ବିଜେପି-ବିରୋଧୀ ରାଲି

0

୨୦୧୯ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୀତିକ ହଟଚମଟ ସେତିକି ବଢ଼ିବାରେ ଲାଗିଛି। ଏହା ଅବଶ୍ୟ ଅସ୍ବାଭାବିକ ନୁହେଁ। ଏହି ନିର୍ବାଚନ ବିଜେପି ବନାମ ଅନ୍ୟ ବିରୋଧୀ ରାଜନୀତିକ ଦଳ ହେବାର ସବୁ ଲକ୍ଷଣ ଦେଖାଗଲାଣି। ଅବଶ୍ୟ ବିରୋଧୀ ଦଳଗୁଡ଼ିକ ଭିତରେ ଏ ଯାଏଁ ସେପରି ଏକତା ଦେଖାଯାଇନାହିଁ, ଯାହା ଗୋଟିଏ ମହାମେଣ୍ଟ ବା ମହାସାମ୍ମୁଖ୍ୟକୁ ଜନ୍ମ ଦେଇପାରିବ। ଏହାସତ୍ତ୍ବେ ଶନିବାର କଲକାତାର ବ୍ରିଗେଡ଼ ପରେଡ଼ ପଡ଼ିଆରେ ଅନୁଷ୍ଠିତ ‘ମିଳିତ ଭାରତ ରାଲି’ (ୟୁନାଇଟେଡ ଇଣ୍ଡିଆ ରାଲି) ଏ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଘଟନା, ସେଥିରେ ସନ୍ଦେହ ନାହିଁ। ଏଥିରେ ୨୦ଟି ଦଳର ପ୍ରମୁଖ ନେତୃବୃନ୍ଦ ଯୋଗାଦେବା ଏହାର ମହତ୍ତ୍ବକୁ ବଢ଼ାଇ ଦେଇଛି। ବିଶେଷତଃ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏଥିରେ ଯୋଗ ଦେଇନଥିଲେ ହେଁ କଂଗ୍ରେସ ପକ୍ଷରୁ ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଅଭିଷେକ ମନୁ ସିଂଘଭି ଯୋଗ ଦେବା ଦର୍ଶାଉଛି ଯେ କଂଗ୍ରେସ ବିଜେପି ବିରୋଧରେ ଯେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। କହିବାର ଅର୍ଥ ହେଉଛି, ମମତାଙ୍କ ଦ୍ବାରା ଆହୂତ ଏହି ରାଲିରେ ଦିଲ୍ଲୀରେ ନିଜର ଘୋର ବିରୋଧୀ ‘ଆପ୍‌’ ନେତା ଅରବିନ୍ଦ କେଜରିୱାଲଙ୍କ ସହ ମଧ୍ୟ ସାମିଲ୍‌ ହେବାକୁ କଂଗ୍ରେସ କୁଣ୍ଠାବୋଧ କରିନାହିଁ। ଏହି ରାଲିରେ କେଜରିୱାଲଙ୍କ ବ୍ୟତୀତ ଯେଉଁ ଆଞ୍ଚଳିକ ଦଳର ବର୍ତ୍ତମାନର ଓ ପୂର୍ବର କ୍ଷମତାସୀନ ନେତାମାନେ ଯୋଗ ଦେଇଥିଲେ, ତନ୍ମଧ୍ୟରେ ଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ସେକୁଲାର୍ (ଜେଡିଏସ୍‌) ନେତା ଏଚ୍‌ଡି କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବ, ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲା, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପୱାର, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେୱେଗୌଡ଼ା, ପୂର୍ବତନ ସାଂସଦ ଶରଦ ଯାଦବ, ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଗେଗୋଙ୍ଗ ଅପାଙ୍ଗ, ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ, ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍, ବିଏସ୍‌ପି ନେତା ସତୀଶଚନ୍ଦ୍ର ମିଶ୍ର ପ୍ରମୁଖ। ଏଥିରେ ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା ଓ ଗୁଜରାଟର ପଟେଲ ନେତା ହାର୍ଦିକ ପଟେଲ ମଧ୍ୟ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। କହିବା ବାହୁଲ୍ୟ ଯେ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ ଏହି ନେତାମାନଙ୍କର ଯେଉଁ କାଟ୍‌ତି ରହିଛି, ତାହା ଜାତୀୟ ଦଳ କଂଗ୍ରେସ ଓ ବିଜେପିର ପ୍ରମୁଖ ନେତାଙ୍କ ସମକକ୍ଷ। ସେହି ଦୃଷ୍ଟିରୁ ବିଚାର କଲେ ଏହି ରାଲି ବର୍ତ୍ତମାନର ଶାସକ ଦଳ ବିଜେପି ପାଇଁ ନିଶ୍ଚିତ ଭାବେ ଏକ ସତର୍କ ଘଣ୍ଟି।
ଏହି ରାଲିରେ ଯେଉଁ କେତେକ ଦଳ ଯୋଗ ଦେଇନାହାନ୍ତି, ତାହା ବି କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ। ଏମାନଙ୍କ ଭିତରେ ଅଛନ୍ତି ଆମ ରାଜ୍ୟର ବିଜୁ ଜନତା ଦଳ, ତେଲଙ୍ଗାନାର ଟିଆର୍‌ଏସ୍‌ ଓ ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି, ବାମ ଦଳ ଆଦି। ବିଜେଡି ମୁଖିଆ ନବୀନ ପଟ୍ଟନାୟକ କେବଳ ବିଜେପି କି କଂଗ୍ରେସ ନୁହେଁ, ଅନ୍ୟାନ୍ୟ ବିଜେପି-ବିରୋଧୀ ମେଣ୍ଟଠାରୁ ମଧ୍ୟ ‘ସମଦୂରତ୍ବ’ ଅବଲମ୍ବନ କରୁଥିବା ଏଥିରୁ ଏକପ୍ରକାର ସ୍ପଷ୍ଟ ହୋଇଛି। ତେବେ ଠିକ୍ ସମୟରେ ‘ବର୍ଷା ଯୁଆଡ଼େ ଛତା ସିଆଡ଼େ’ ନୀତି ପ୍ରୟୋଗ କରିବାରେ ସେ ଧୁରନ୍ଧର। ତେଣୁ ତାଙ୍କୁ ବୋଧହୁଏ ଆଉ କେହି ସହଜରେ ବିଶ୍ବାସକୁ ନେବେ ନାହିଁ। ଟିଆର୍‌ଏସ୍‌ ନେତା କେ ଚନ୍ଦ୍ରଶେଖର ରାଓ ନିଜେ ଏକ ଜାତୀୟ ସାମ୍ମୁଖ୍ୟ ଗଠନ କରିବା ପାଇଁ ପ୍ରୟାସ କରୁଥିବାବେଳେ ସେ ସେଥିପାଇଁ ତୃଣମୂଳ ମୁଖ୍ୟ ମମତାଙ୍କୁ ମଧ୍ୟ ନିକଟ ଅତୀତରେ ସାକ୍ଷାତ କରିଥିଲେ; କିନ୍ତୁ ସେ କାହିଁକି ଏହି ରାଲିରେ ଯୋଗ ଦେଲେ ନାହିଁ, ତାହା ଏକ ବଡ଼ ପ୍ରଶ୍ନବାଚୀ।
ମମତାଙ୍କ ଏହି ରାଲି ଆଗାମୀ ଦିନରେ ବିଜେପି-ବିରୋଧୀ ଦଳଗୁଡ଼ିକ ଭିତରେ କିପରି ସଂହତି ଆଣିବ, ତାହା ବେଶ୍ ଗୁରୁତ୍ବପୂର୍ଣ୍ଣ। କାରଣ ଏମାନଙ୍କ ଭିତରୁ ମଧ୍ୟ ଅନେକଙ୍କର ନିଜର ମହାଦାକାଂକ୍ଷା ବେଶ୍ ପ୍ରବଳ; ଅର୍ଥାତ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖୁଛନ୍ତି। ସେମାନେ ନିଜେ ନିଜର ସାମ୍ମୁଖ୍ୟ ବା ମେଣ୍ଟ ଗଢ଼ିବା ଚିନ୍ତାରେ ଅଛନ୍ତି। ସେପରି ହେଲେ ଏପରି ରାଲିର କିଛି ଅର୍ଥ ରହିବ ନାହିଁ, ତାହା ସମସ୍ତେ ଜାଣନ୍ତି। ବିଜେପି ବି ଏକଥା ବୁଝେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ରାଲିକୁ ‘କେବଳ ବିଜେପି-ବିରୋଧୀ ନୁହେଁ, ଭାରତବିରୋଧୀ’ ବୋଲି କହିଛନ୍ତି। ତେବେ ଭାବପ୍ରବଣ କରିବା ପାଇଁ ଉଦ୍ଦିଷ୍ଟ ତାଙ୍କର ଏହି ମନ୍ତବ୍ୟ ସାଧାରଣ ଜନତାଙ୍କୁ କେତେ ପ୍ରଭାବିତ କରିବ, ତାହା ଦେଖିବା କଥା। ତାଙ୍କ ଶାସନ କାଳରେ ଯେଉଁସବୁ ଘଟନା ଲୋକଙ୍କୁ କଷ୍ଟ ଦେଇଛି, ବିଭ୍ରାନ୍ତ କରିଛି, ସେଗୁଡ଼ିକୁ ନେଇ ବିରୋଧୀ ନିର୍ବାଚନକୁ ଓହ୍ଲାଇବେ। ବିଶେଷତଃ, ନିଜକୁ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ କହୁଥିଲେ ହେଁ ଏବଂ ସର୍ବୋଚ୍ଚ ନ୍ୟାୟାଳୟ କ୍ଳିନଚିଟ୍ ଦେଇଥିବା ସତ୍ତ୍ବେ ‘ରାଫେଲ ବିମାନ କିଣା’ରେ ମହାଦୁର୍ନୀତି ହୋଇଥିବା ସନ୍ଦେହରୁ ମୋଦୀ ସରକାର ଏଯାଏଁ ମୁକୁଳି ପାରିନାହାନ୍ତି। ଅନ୍ୟପକ୍ଷରେ ନିର୍ବାଚନ ମୁଣ୍ଡ ଉପରେ ଥିବା ସମୟରେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ଚର୍ଚା, ସାଧାରଣ ବର୍ଗଙ୍କୁ ସଂରକ୍ଷଣ, କୃଷକଙ୍କ ପାଇଁ ନୂଆ ଯୋଜନା ଆଦି ଭୋଟରଙ୍କୁ କେତେ ଆକର୍ଷିତ କରିବ, ସେ ନେଇ ସନ୍ଦେହ ରହିଛି। ତେବେ ବିଜେପିର ଅର୍ଥବଳ, ବାହୁବଳ ବା ସାଂଗଠନିକ ଶକ୍ତି, ରଣନୀତି ଆଗରେ ବିରୋଧୀ ଏବେମଧ୍ୟ ପଛୁଆ ମନେହେଉଛନ୍ତି। ଏପରି ସ୍ଥଳେ ବିରୋଧୀଙ୍କ ‘ମୋଦୀ ହଟାଅ’ ଅଭିଯାନ କେତେ ସଫଳ ହେବ କି ବିଫଳ ହେବ, ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ।

Leave A Reply