ବିଜେପିର ୨୦:୨୦ ବନାମ ଜେଡିୟୁର ୫୦:୫୦

0

ପାଟ୍‍ନା: ବିହାରରେ ଜେଡିୟୁ ଓ ବିଜେପି ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ବୁଝାମଣା ପ୍ରାୟ ଚୂଡ଼ାନ୍ତ ହୋଇଥିବା ଅନୁମାନ କରାଯାଉଥିଲା। ଗତ ସପ୍ତାହରେ ଏ ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ଘୋଷଣା ମଧ୍ୟ କରିଥିଲେ। କିନ୍ତୁ ପ୍ରଶାନ୍ତ କିଶୋର ଜେଡିୟୁରେ ଯୋଗ ଦେବା ପରେ ଏବେ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ବୁଝାମଣାକୁ ନେଇ ପୁଣି ବିବାଦ ଦେଖାଦେଇପାରେ ବୋଲି ରାଜନୀତି ବିଶାରଦମାନେ ଅନୁମାନ କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଶାନ୍ତ ନୂଆଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟି ସାନି ଆଲୋଚନା କରିଥିବା ଜଣାପଡ଼ିଛି।
ବିହାରରେ ୨୦:୨୦ ଫର୍ମୁଲା ଉପରେ ବିଜେପି ଜୋର ଦେଇ ଆସୁଛି। ୪୦ ଲୋକସଭା ଆସନ ବିଶିଷ୍ଟ ବିହାରରେ ଗତ ଲୋକସଭା ନିର୍ବାଚନରେ ବିଜେପି ୨୦ଟି ଆସନରେ ଜିତିଥିବାରୁ ଆସନ୍ତା ୨୦୧୯ ନିର୍ବାଚନରେ ବିଜେପି ଏକାକୀ ୨୦ଟି ଆସନ ଚାହୁଁଛି। ଅନ୍ୟ ୨୦ଟି ଆସନରୁ ୧୨ଟି ଆସନ ଜେଡିୟୁକୁ, ୬ଟି ରାମ ବିଳାସ ପାଶୱାନ୍‍ଙ୍କ ଏଲଜେପି ଓ ୨ଟି ଉପେନ୍ଦ୍ର ଖୁସ୍‍ୱାଙ୍କ ଆରଏଲ୍‍ଏସ୍‍ପିକୁ ଦେବାକୁ ବିଜେପି ଚାହୁଁଛି।
ଅପରପକ୍ଷରେ ଜେଡିୟୁ ୫୦:୫୦ ଫର୍ମୁଲା ଉପରେ ଗୁରୁତ୍ୱ ଦେଉଛି। ଏହି ଫର୍ମୁଲା ଅନୁଯାୟୀ, ବିଜେପି ଓ ଜେଡିୟୁ ୧୬ଟି ଲେଖାଏଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବାକି ୮ଟି ଆସନରୁ ୫ଟି ଏଲ୍‍ଜେପିକୁ ଓ ୩ଟି ଆସନ ଆରଏଲ୍‍ଏସ୍‍ପିକୁ ଦେବାକୁ ଜେଡିୟୁ ପ୍ରସ୍ତାବ ଦେଇଛି। ସେହିପରି ବିହାରର ଏନ୍‍ଡିଏରେ ଜେଡିୟୁକୁ ଏକ ସ୍ୱତନ୍ତ୍ର ସମ୍ମାନ ଦେବାକୁ ଜେଡିୟୁ ଦାବି କରୁଛି।

Leave A Reply