ବାଇକ ସହ ଜଳିଗଲେ ଆରୋହୀ, ୩ ମୃତ

0

ପାରଳାଖେମୁଣ୍ଡି/ରାୟଗଡ: ଏକ ଦୁଃଖଦ ଘଟଣାକ୍ରମରେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ରାୟଗଡଠାରୁ ୧୫ କିଲୋମିଟର ଦୂର ବଗଡଗାଁ-କଣ୍ଟ୍ରାଗଡ ବୁଲାଣି ରାସ୍ତାରେ ଏକ ଟାଟାସୁମୋ ଗାଡି ଓ ଏକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ, ବାଇକଟି ଜଳିଯିବା ସହ ଜଣେ
ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବାଇକରେ ବସିଥିବା ଅନ୍ୟ ଦୁଇଜଣ ରାସ୍ତାରେ ଛିଟିକି ପଡି ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଗାରାବନ୍ଧ ଥାନା ଅନ୍ତର୍ଗତ କାମନ୍ତରା ଗ୍ରାମର ଲମ୍ବା ଶବର, ଇରାସା ଶବର ଓ ବଳରାମ ଶବର। ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ତିନି ଚାରିଖଣ୍ଡ ଗ୍ରାମର ଲୋକେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ କରିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ, ଅଗ୍ନିଶମ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି।
ମିଳିଥିବା ସୂଚନା ଅନୁଯାୟୀ ପାରଳାଖେମୁଣ୍ଡିରୁ ଏକ ଟାଟାସୁମୋ (ନଂ ଓଡି-୧୧-ଇ- ୦୯୦୪) ରେ ୪ଜଣ ଯୁବକ ଗଣ୍ଡାହାତୀରୁ ପାରଳାଖେମୁଣ୍ଡି ଅଭିମୁଖେ ବାହାରିଥିଲେ। ବିପରୀତ ଦିଗରୁ ଏକ ଡିସକଭରି ବାଇକ ଦ୍ରୁତ ଗତିରେ ଯିବା ବେଳେ ବଡଗାଁ- କଣ୍ଟ୍ରାଗଡ ବୁଲାଣି ରାସ୍ତାରେ ଟାଟା ସୁମୋ ସହ ଧକ୍କା ହୋଇଥିଲା। ଦୁର୍ଘଟଣାସ୍ଥଳରେ ବାଇକଟି ଜଳିଯିବା ସହ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଅନ୍ୟ ଦୁଇଜଣ ରାସ୍ତାରେ ଛିଟିକି ପଡି ପ୍ରାଣ ହରାଇଛନ୍ତି। ସେଥିରୁ ଗୋଟିଏ ମୃତଦେହ ଟାଟାସୁମୋ ନିକଟରେ ଠାବ ହୋଇଥିବା ଅନ୍ୟଟି ନିକଟସ୍ଥ ବିଲରୁ ଠାବ ହୋଇଛି।
ଟାଟା ସୁମୋରେ ବସିଥିବା ୪ଜଣଙ୍କ ମଧ୍ୟରୁ ଚାଳକ ସମେତ ୨ଜଣ ଫେରାର ହୋଇଯାଇଛନ୍ତି। ଅନ୍ୟ ଦୁଇଜଣ ରାୟଗଡା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ ଗୋଇବନ୍ଧ ଗ୍ରାମର ନିରଞ୍ଜନ ଘଣ୍ଟ ଓ ବିହାର ବେଗୁସରାଇ ଅଞ୍ଚଳର ହୀରା ବୋଲି ଜଣାପଡିଛି। ଏମାନଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି। ସେମାନେ ମିସ୍ତ୍ରୀ କାମ ପାଇଁ ନାରାୟଣପୁରକୁ ଯିବା ବେଳେ ବଡଗାଁ ବୁଲାଣିରେ ଏକ ବାଇକ ଦ୍ରୁତ ବେଗରେ ଆସି ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲା ବୋଲି ନିରଞ୍ଜନ ଘଣ୍ଟ ପ୍ରକାଶ କରିଛି। ରାୟଗଡା ଥାନା ଅଧିକାରୀ କରୁଣାକର ମୁର୍ମୁ ଏବଂ ପାରଳାଖେମୁଣ୍ଡି ଏସଡିପିଓ ଠାକୁରପ୍ରସାଦ ପାତ୍ର ଘଟଣାସ୍ଥଳରେ ପହଞ୍ଚି ତିନୋଟିଯାକ ମୃତଦେହ ଉଦ୍ଧାର କରି ପାରଳାଖେମୁଣ୍ଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Leave A Reply