ବରିଷ୍ଠ କିରାଣିଙ୍କ ଘରୁ ୧.୨୦କୋଟିର ସମ୍ପତ୍ତି ଠାବ

0

ଫୁଲବାଣୀ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳ ଜିଲା ଘୁ.ଉଦୟଗିରି ତହସିଲ କାର୍ୟ୍ୟାଳୟର ବରିଷ୍ଠ କିରାଣି ସୁଶୀଲକୁମାର ସେନାପତିଙ୍କ ଘରେ ଭଜିଲାନ୍ସ ଚଢଉ ହୋଇଛି। ଫୁଲବାଣୀ, ବ୍ରହ୍ମପୁର, ବୌଦ୍ଧ ଓ ଗଜପତି ଭିଜିଲାନ୍ସର ୪ଟି ମିଳିତ ଟିମ୍‍ ଆଜି ତିନୋଟି ସ୍ଥାନରେ ଏକକାଳୀନ ଚଢଉ କର ୧କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି। ସୁଶୀଲଙ୍କ ସ୍ଥାନୀୟ ଅମଲାପଡା କ୍ୱାର୍ଟର,କଲେଜ ଛକରେ ଥିବା ନିଜସ୍ୱ ଘର ଏବଂ ଘୁ.ଉଦୟଗିରି
ତହସିଲ କାର୍ୟ୍ୟାଳୟରେ ଭିଜିଲାନ୍ସ ଟିମ୍‍ ଚଢଉ କରିଥିଲେ। ଅମଲାପଡା ସରକାରୀ କ୍ୱାର୍ଟରରେ ଫୁୁଲବାଣୀ ଡିଏସପି ରବିକାନ୍ତ ସୁନା ଏବଂ ପାରଳାଖେମୁଣ୍ଡି ଭିଜିଲାନ୍ସ ଡିଏସପି ଅରୁଣକୁମାର ନାୟକଙ୍କ ନେତୃତ୍ୱରେ ଇନ୍ସିପେକ୍ଟର ପୁଲସ୍ତି ଛତ୍ରିଆ ଓ ଅନ୍ୟ ଅଧିକାରୀ ଘର ସର୍ଚ୍ଚ କରିବା ସହିତ ସମ୍ପତ୍ତି ଆକଳନ କରିଥିଲେ। ସେଠାରେ ଏକ ବ୍ୟାଗରେ ଥିବା ଏକ ଲକ୍ଷ ଛବିଶ ହଜାର ନଗଦ ଟଙ୍କା ଜବତ କରିଥିଲେ। ଏହାସହ ବିଭିନ୍ନ ବ୍ୟାଙ୍କରେ ଥିବା ପାସବୁକକୁ ଯାଞ୍ଚ ପାଇଁ ଜବତ କରିଛନ୍ତି। ଚାରୋଟି ପ୍ଲଟର ସନ୍ଧାନ ପାଇଛି ଭିଜିଲାନ୍ସ ଟିମ୍‍। ଏହି ଘରବାରି ଜମିର ମୂଲ୍ୟ ୪୬୧୦୦୦ ଟଙ୍କା ଆକଳନ କରାଯାଇଛି। ସରକାରୀ କଲେଜ ନିକଟରେ ଥିବା ତିନି ମହଲା କୋଠାର ମୂଲ୍ୟ ୬୨,୨୪୦୦୦ ଟଙ୍କା ଆକଳନ କରାଯାଇଥିବା ବେଳେ ଅନ୍ୟ ଏକ ତିନି ମହଲା କୋଠାର ମୂଲ୍ୟ ୪୫,୩୪୨୫୦ ଟଙ୍କା ଆକଳନ କରାଯାଇଛି। ଘର କରଣା ସାମଗ୍ରୀର ମୂଲ୍ୟ ପ୍ରାୟ ତିନି ଲକ୍ଷ ହୋଇଥିବା ବେଳେ ୬୫ ଗ୍ରାମ ଗହଣା ସୁନାର ମୂଲ୍ୟ ୬୩୦୦୦ ଟଙ୍କା ଆକଳନ କରାଯାଇଛି। ବ୍ୟାଙ୍କରେ ବନ୍ଧକ ଥିବା ୩୭୦ ଗ୍ରାମ ସୁନାର ମୂଲ୍ୟ ଆକଳନ କରାଯାଇନି। ଷ୍ଟେଟ୍‍ ବ୍ୟାଙ୍କ, ପିଏନବି ଏବଂ ଇକୋ ବ୍ୟାଙ୍କରେ ତିନି ଲକ୍ଷ ଟଙ୍କା ଜମା ରହିଛି। ସର୍ବମୋଟ ଏକ କୋଟି କୋଡିଏ ଲକ୍ଷ ପଚାଶ ହଜାର ପାଞ୍ଚଶହ ଟଙ୍କା ବର୍ତ୍ତମାନ ସୁଦ୍ଧା ତାଙ୍କର ସମ୍ପତ୍ତିି ବୋଲି ଆକଳନ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ। ତଦନ୍ତ ଜାରି ରହିଛି ଏବଂ ତାଙ୍କର ଅନ୍ୟ ସମ୍ପତ୍ତି ଓ ଖର୍ଚ୍ଚ ଇତ୍ୟାଦିର ଆକଳନ ଚାଲିଛି ବୋଲି ଏସପି କହିଛନ୍ତି।
ଅଫିସ ଓ ବାଲିଗୁଡା ଜକି ସାହିରେ ଥିବା ତାଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଟିମ୍‍ ଚଢଉ କରି ଖାନତଲାସି କରିଛନ୍ତି। ଅନେକ କାଗଜପତ୍ର, ଜମାରାଶି ପ୍ରଭୃତି ଜବତ କରି ଯାଞ୍ଚଞ୍ଚ କରାଯାଉଛି। ଆୟ ଓ ସମ୍ପତ୍ତିି ଆକଳନ କରାଯାଉଛି ବୋଲି କହିଛନ୍ତି ଭିଜିଲାନ୍ସ୍‍ ଡିଏସପି ରବିକାନ୍ତ ସୁନା। ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୧୦/୨୦୧୮ରେ ଏକ ମାମଲା ରୁଜୁ ହୋଇଛି। ଗିରଫ କିରାଣୀଙ୍କୁ ସ୍ଥାନୀୟ ସ୍ୱତନ୍ତ୍ର ଭିଜିଲାନ୍ସ୍‍ କୋର୍ଟରେ ହାଜର ରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଜିଲା ଜେଲ ହାଜତକୁ ଯାଇଛନ୍ତି କିରାଣୀ ସୁଶୀଲକୁମାର ସେନାପତି। ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ଇନିସ୍ପେକ୍ଟର ପୁଲସ୍ତି ଛତ୍ରିଆ ଥିବା ବେଳେ ଡିଏସପି ଆର.କେ. ସୁନା ମଧ୍ୟ ତଦାରଖ କରୁଛନ୍ତି। ଚଢଉରେ ଡିଏସପି ରବିକାନ୍ତ ସୁନା, ଇନ୍ସିପେକ୍ଟର ପୁଲସ୍ତି ଛତ୍ରିଆ, କନେଷ୍ଟବଳ ଦିଲୀପ ପ୍ରଧାନ, ରାମ ସାହୁ, ମନୋଜ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave A Reply