ବାସନ୍ଦ ପରିବାରକୁ ଗାଁ କମିଟିର ଫତୁଆ

0

ଫୁୁଲବାଣୀ: ଚଳିତ ବର୍ଷ ଜୁନ୍‍ ମାସରେ କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ କେରେଡି ପଞ୍ଚାୟତର ଡାଙ୍ଗୁଲୁ ଗାଁରେ ଏକ ପରିବାରକୁ ସାମାଜିକ ବାସନ୍ଦ କରିବା ସହିତ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ପୁଲିସ ପରିବାରକୁ ଉଦ୍ଧାର କରିବା ବେଳେ ପୁଲିସ ଟିମ୍‍ ମଧ୍ୟ ବର୍ତ୍ତିନଥିଲା। ଜୁନ୍‍ ୨୧ରେ ଗ୍ରାମବାସୀଙ୍କ କବଳରୁ ପରିବାରକୁ ଉଦ୍ଧାର କରିଥିଲା ପୁଲିସ। ତେବେ ୩ ମାସ ଧରି ପରିବାର ଗାଁରୁ ବାହାରେ ନିର୍ବାସିତ ଜୀବନ ବିତାଉଛନ୍ତି। ପୁଲିସ ବୁଝାମଣା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଗାଁ କମିଟି ବୈଠକ କରି ୬ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି ପୀଡ଼ିତ ପରିବାରକୁ। ୫ ଲକ୍ଷ ଟଙ୍କା ମୃତକ ପରିବାରକୁ ଏବଂ ୧ ଲକ୍ଷ ଟଙ୍କା ଗାଁ କମିଟିକୁ ପ୍ରଦାନ କରିବା ପରେ ଗାଁରେ ରହିପାରିବେ ବୋଲି ରୋକ୍‍ଠୋକ୍‍ ପୁଲିସକୁ ଶୁଣାଇବା ପରେ ଏହି ପରିବାର ସମସ୍ତ ଆସ୍ଥା ହରାଇଛି ପ୍ରଶାସନ ଉପରେ। କିପରି ବଞ୍ଚିବୁ ବୋଲି କହିଛନ୍ତି ପୀଡ଼ିତ ଦମ୍ପତି ପରିବାର। ଏହି ସମ୍ବେଦନଶୀଳ ଘଟଣାରେ ପୁଲିସ ଓ ପ୍ରଶାସନର ପାରିବାର ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜୀବନଜୀବିକା ବନ୍ଦ ହୋଇଯାଇଥିବା ବେଳେ ବନ୍ଧୁ ପରିଜନ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ତେଣୁ ପରିବାରକୁ ନ୍ୟାୟ ଦେବା ପାଇଁ ଏସ୍‍ପିଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ। ଏସପିଙ୍କୁ ଗୁହାରି କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଏସ୍‍ପି ପ୍ରତୀକ ସିଂ। ଏହାପରେ ସଦର ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଓ ସଦର ଥାନା ଅଧିକାରୀ ରାଧାକାନ୍ତ ସାହୁ ପୀଡ଼ିତ ପରିବାରକୁ ଥାନାକୁ ଡକାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ବୁଝାମଣା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗ୍ରାମବାସୀଙ୍କୁ ଦୀର୍ଘ ସମୟ ଆଲୋଚନା ପରେ ରୋକଠୋକ୍‍ ଶୁଣାଇଥିଲେ ସେମାନଙ୍କ ନିଷ୍ପତ୍ତି। ଫଳରେ ନିରାଶ ହୋଇ ଫେରିଛୁ ବୋଲି କହିଛନ୍ତି କୁମୁଦିନି ବେହେରା। ପ୍ରଶାସନ ଠାରେ ଆମର ଆସ୍ଥା ହରାଇଲୁଣି। କେବେ ନ୍ୟାୟ ମିଳିବ ବୋଲି ପ୍ରଶ୍ନ କରିଛନ୍ତି।
ଜୁନ ୩ରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାସିରିପଡା ଛକରେ ଏକ ବାଇକ ଦୁର୍ଘଟଣାରେ ସଦର ଥାନା ଅନ୍ତର୍ଗତ ଡାଙ୍ଗୁଲୁ ଗାଁର ସୋମନାଥ ଭୁକ୍ତା(୨୧)ଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ମେଡିକାଲରେ ୫ ତାରିଖରେ ମୃତ୍ୟୁ ହୋଇଥିଲା। ଦୁଇ ସାଙ୍ଗ ସୋମନାଥ ଓ କାହ୍ନୁଚରଣ ବାରିକ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ହେଇଥିଲା। ଏହି ଦୁର୍ଘଟଣାରେ କାହ୍ନୁଚରଣ ସୋମନାଥକୁ ହତ୍ୟା କରିଥିବା ଅଭିଯୋଗ କରି ଜୁନ୍‍ ୫ରୁ କାହ୍ନୁଚରଣଙ୍କ ବାପା ସନ୍ତୋଷ ବାରିକ ଓ ମା’ କୁମୁଦିନିଙ୍କ ସମେତ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିଲା। ନିଆଁପାଣି ସବୁ ବନ୍ଦ କରାଯାଇଥିଲା। କାହ୍ନୁ ଭୁବନେଶ୍ୱରରେ ପାଠ ପଢୁଥିବା ବେଳେ ଘରକୁ ଫେରିଥିଲେ ମଧ୍ୟ ଗାଁକୁ ଆସିନଥିଲେ। ଏହି ଘଟଣାକୁ ନେଇ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବାପା ସନ୍ତୋଷଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଭର୍ତ୍ତି ହୋଇଥିଲେ। ଏପରିକି କାହ୍ନୁଙ୍କ ବଡବାପା ମଧ୍ୟ ଭାଇ ଓ ପୁତୁରା ସହିତ କଥା ହେବାରୁ ୫ ହଜାର ଟଙ୍କା ଜୋରିମାନା କରିଥିଲେ। ଭୟରେ ପଇଠ ମଧ୍ୟ କରିଥିଲେ ଗ୍ରାମ କମିଟିକୁ। ପରେ ଫୁୁଲବାଣୀରେ ଏଠି ସେଠି ରହୁଥିବା ବେଳେ ପୁଲିସର ସହାୟତା ନେଇଥିଲେ। ସଦର ପୁଲିସ ନିର୍ଦେଶରେ ଫିରିଙ୍ଗିଆ ଥାନାରେ ଗାଡି ସହିତ ଆତ୍ମସମର୍ପଣ କରିଥିଲେ କାହ୍ନୁ। ପରେ ଗାଁ ଲୋକେ ଓ ମହିଳା ସ୍ଥାନୀୟ ଏସ୍‍ପି ଅଫିସକୁ ଧସେଇ ପଶି ପର୍ଟିକୋ ସାମ୍ନାରେ ଧାରଣାରେ ବସି କାହ୍ନୁକୁ ଗିରଫ କରିବାକୁ ଅଡି ବସିଥିଲେ। ପୁଲିସ ଶେଷରେ କାହ୍ନୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ଜାମିନ ମଞ୍ଜୁର କରିଥିଲେ। ପରେ ସଦର ପୁଲିସ ଏହି ପରିବାର ଓ ଗ୍ରାମବାସୀଙ୍କୁ ଥାନାକୁ ଡାକି ବୁଝାମଣା କରିବା ପରେ ଜୁନ ୨୦ ରାତିରେ ଦଳିତ ଦମ୍ପତି ସନ୍ତୋଷ ବାରିକ ଓ କୁମୁଦିନି ବେହେରା ଗାଁକୁ ଯାଇଥିଲେ। ରାତିରେ ହିଁ ଗାଳି କରିବା ସହିତ ଦୁର୍ବ୍ୟବହାର କରିଥିଲେ କିଛି ଲୋକେ। ଜୁନ ୨୧ରେ ଦମ୍ପତିଙ୍କୁ ଭୀଷଣ ମାଡ ମାରିବା ସହିତ ତାଙ୍କ ଘରେ ବନ୍ଦ କରି ବାହାରୁ କବାଟ କିଳିି ରଖିଥିଲେ। ଏସ୍‍ପି ପ୍ରତୀକ ସିଂଙ୍କ ନିର୍ଦେଶରେ ଟାଉନ ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ପୁଲିସ ଟିମ୍‍ ଗାଁକୁ ଯାଇ ପିଡିତ ଦଳିତ ପରିବାରକୁ ଉଦ୍ଧାର କରିବା ବେଳେ ତୁମୁଳକାଣ୍ଡ ହୋଇଥିଲା। ପୁଲିସ ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଇନସ୍ପେକ୍ଟର ରେବତୀ ଶବରଙ୍କ ସମେତ ଏଏସ୍‍ଆଇ ଅରୁନ୍ଧତୀ ସାହାଣୀ ଏବଂ ଦୁଇ ୩ ଜଣ କନେଷ୍ଟବଳ ଆହତ ହୋଇଥିବା ବେଳେ ଏଏସ୍‍ଆଇ ସାହାଣୀ ଅଧିକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ପୁଲିସ ଦୁଇଟି ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆଳରେ ତିନି ମାସ ଧରି ଚୁପ ବସିରହିଛି। ଏହି ପୀଡ଼ିତ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବେ ଗାଁ କମିଟିର ତାଲିବାନୀ ଆଦେଶ ଆଗରେ ନିଃସହାୟ ହୋଇିଛନ୍ତି ପରିବାର।

Leave A Reply