ଦିନରେ ମାଙ୍କଡ଼, ରାତିରେ ହାତୀ, ମଞ୍ଚାରେ ବିତୁଛି ଚାଷୀଙ୍କ ରାତି

0

କଙ୍କଡ଼ାହାଡ଼ : ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅଞ୍ଚଳରେ ବନ୍ୟଜନ୍ତୁ ଉପଦ୍ରବରେ ଚାଷୀମାନେ ନୟାନ୍ତ ହୋଇଗଲେଣି। ବିଲରେ ଥିବା ପାଚିଲା ଫସଲ ଖାଇଯାଉଥିବା ବେଳେ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ବନ୍ୟଜନ୍ତୁଙ୍କଠାରୁ କଷ୍ଟ ଉପାର୍ଜିତ ଫସଲକୁ ରକ୍ଷା କରିବା ପାଇଁ ଚାଷୀମାନେ ରାତିରେ ଗଛରେ ମଞ୍ଚା ବାନ୍ଧି ଜଗି ରହୁଛନ୍ତି।
ମହାବିରୋଡ଼, ଡ଼ିହଡ଼ୋଳ, ଦଦରାଘାଟି, ପଙ୍ଗାତିରା ସେକ୍ସନରେ ବଣୁଆ ହାତୀ ଉପଦ୍ରବ ଲାଗି ରହିଛି। କୁଟୁରିଆ, ଗଡ଼ପଳାଶୁଣୀ, ମହାବିରୋଡ଼, ଝିଲ୍ଲୀ, ଦଶିପୁର, ପଙ୍ଗାତିରା, ବିରିବୋଲେଇ, ଚାନ୍ଦପୁର, ଘାଗରାମୁଣ୍ଡା, ବାମ ପଞ୍ଚାୟତ ଅନ୍ତର୍ଗତ ଗାଁଗୁଡ଼ିକରେ ଖରିଫ ଧାନଚାଷ ହୋଇଛି। ଜୁନ୍‍ରେ ଧାନ ବୁଣାଯାଇ ସେପ୍ଟେମ୍ବରରେ ରୁଆ, ବିହୁଡ଼ା ପରେ ଫସଲ ପାଚିଲା ବେଳକୁ ବନ୍ୟଜନ୍ତୁ ଉପଦ୍ରବ ଚାଷୀଙ୍କ ନିଦ ହଜାଇ ଦେଇଛି। ଦିନରେ ବଣୁଆ ମାଙ୍କଡ଼, ରାତିରେ ହାତୀ ଏବଂ ବାର୍‍ହା ଉପଦ୍ରବ। ଶହ ଶହ ଏକର ଧାନ ବିଲକୁ ଦଳି ଚକଟି ନଷ୍ଟ କରି ଦେଉଛନ୍ତି। ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ପାଦଦେଶ ହେଉ କି ବାରୁଆ ପାହାଡ଼ ହେଉ ସବୁ ଜଙ୍ଗଲରେ ହାତୀ ଦିନବେଳା ଆଶ୍ରୟ ନେଇ ସଞ୍ଜ ହେଲେ ବିଲ ମୁହାଁ ହେଉଛନ୍ତି। ଧାନଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ ଗଛ ଉପରେ ମଞ୍ଚା ବାନ୍ଧି ରହୁଛନ୍ତି। ଚାଷୀମାନଙ୍କ କହିବା ଅନୁସାରେ ୩୦ରୁ ୪୦ ଫୁଟ ଗଛ ଉପରେ ଅସ୍ଥାୟୀ ମଞ୍ଚାରେ ରାତି କଟୁଛି। ଅପରାହ୍ଣ ୪ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ମଞ୍ଚାରେ ରହୁଛନ୍ତି। ଅପରାହ୍ଣରେ ପଖାଳ ଧରି ମଞ୍ଚା ଜଗିଥାନ୍ତି, ପାଖରେ ଭଙ୍ଗା ଟିଣ, ନିଅାଁ ହୁଳା ପାଇଁ ମଶାଲ ଆଉ ଠେଙ୍ଗା। ବହୁ କଷ୍ଟରେ ଧାନ ଅମଳ ଆଶା ରହିଛି।
ଏ ସମ୍ପର୍କରେ ଦଦରାଘାଟି ସେକ୍ସନ କଟୁମୁଣ୍ଡା ଗାଁ ଆଦିବାସୀ ଚାଷୀ ନଟ ପଧାନଙ୍କ ଦୁଃଖ କଥା କହିଲେ ନ ସରେ। ତାଙ୍କର ବାଲିପଟା ଚକରେ ୧୫ ଏକର ଧାନ ଚାଷଜମି ରହିଛି। ଏମାନଙ୍କ ଭିତରେ ୨ ଏକର ଚାଷ ଜମି। ପତ୍ନୀ ରଇବାରୀ ପଧାନ ମଧ୍ୟ ଗାଁ ଛାଡ଼ି ବିଲରେ ଥିବା ଗଛ ଉପରେ ମଞ୍ଚାରେ ସ୍ୱାମୀ ସହ ହାତୀ ଜଗନ୍ତି। ୪୦ ଫୁଟ ମହୁଲ ଗଛ ଉପରେ ମଞ୍ଚା। ହାତୀ ଖାଇଲେ କ୍ଷତିପୂରଣ ମିଳୁ ନାହିଁ। ଚଳିତ ବର୍ଷ ଅଧା ଏକର ଫସଲ ବାର୍‍ହା ଖାଇ ଧ୍ୱଂସ କରିଛନ୍ତି।
ସେହିପରି ଗାଁର ମହର୍ଗା ପଧାନ ପତ୍ନୀ ବାରି ପଧାନଙ୍କୁ ସାଥୀରେ ନେଇ ଗଛରେ କଟାନ୍ତି ଜୀବନ। ରାଜ ପଧାନଙ୍କୁ ସାହାଯ୍ୟ କରନ୍ତି ତାଙ୍କ ମା ସୁଲକି ପଧାନ, କାନ୍ଦୁରୁ ପଧାନ, ଲକ୍ଷ୍ମୀଧର ପଧାନ, ଦେବ ପଧାନ ସମସ୍ତେ ଆଦିବାସୀ ସଂପ୍ରଦାୟର। ଚଳିତ ବର୍ଷ ଆଶାନୁରୂପ ବର୍ଷା ଯୋଗୁଁ ଫସଲ ଭଲ ହୋଇଛି। ମାତ୍ର ହାତୀ ଦାଉରୁ ଫସଲ ବଞ୍ଚେଇବା କଷ୍ଟକର ବୋଲି କୁହନ୍ତି ଏହି କ୍ଷୁଦ୍ର ଚାଷୀ ଗଣ। ପ୍ରତିବର୍ଷ ବିଲ ହୁଡ଼ାରେ ଥିବା ବିରାଟ ଗଛ ଉପରେ ଭଙ୍ଗା ଟିଣ ବଜାଇ ଧାନ ଜଗୁଥିବା କ୍ଷୁଦ୍ର ଚାଷୀଙ୍କୁ ସରକାରୀ କ୍ଷତିପୂରଣ ଆଦୌ ମିଳୁ ନାହିଁ। ଖରା, ବର୍ଷା, ଶୀତ କାକରରେ ବିପଦସଙ୍କୁଳ ଅବସ୍ଥାରେ ଚାଷୀ କିପରି ଧାନ ଅମଳ କରୁଛି ତାହା ନଦେଖିଲେ ବିଶ୍ୱାସ କରି ହେବ ନାହିଁ। ଗାଁରେ ଘର ଛାଡ଼ି ଜୀବନକୁ ବାଜି ଲଗାଇଥିବା ଚାଷୀର ଦୁଃଖ ଦିନକୁ ଦିନ ବଢ଼ି ଚାଲିଛି। ଉପଯୁକ୍ତ କ୍ଷତିପୂରଣ ଏବଂ ସହଯୋଗ ନ ମିଳିଲେ ଆଗାମୀ ଦିନରେ ଧାନ ଚାଷ ଜମି ପଡ଼ିଆ ପଡ଼ିବ ଏଥିରେ ସନ୍ଦେହ ନାହିଁ। କାରଣ ଜୀବନକୁ ବାଜି ଲଗାଇ ଚାଷ କରି ହେବ ନାହିଁ ବୋଲି ଅଞ୍ଚଳର ଚାଷୀମାନେ କହିଛନ୍ତି।

Leave A Reply