ଦଶ ଲକ୍ଷ ଗଛ ବଞ୍ଚାଇଲା ରେଳବାଇ!

0

ନୂଆଦିଲ୍ଲୀ: ରେଳବାଇର ଭିନ୍ନ ଭିନ୍ନ ୮୮ ହଜାର ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ଦେଉଛନ୍ତି ୨ କୋଟି ୩୭ ହଜାର ପ୍ରାର୍ଥୀ।ା କେନ୍ଦ୍ରରେ ଅନୁଷ୍ଠିତ ହେଉଛି ଏହି ପରୀକ୍ଷା। ରେଳବାଇ କର୍ତ୍ତୃପକ୍ଷ ପାରମ୍ପରିକ କାଗଜରେ ପ୍ରସ୍ତୁତ ପ୍ରଶ୍ନପତ୍ର ବଦଳରେ ଏଥର ଅନ୍‌ଲାଇନ୍‌ ପରୀକ୍ଷା ବ୍ୟବସ୍ଥା କରିଛନ୍ତି। ଏହି ପରୀକ୍ଷା ସମ୍ଭବତଃ ବିଶ୍ୱର ସବୁଠୁ ବଡ଼ ଅନ୍‌ଲାଇନ୍‌ ପରୀକ୍ଷା ହେବାକୁ ଯାଉଛି। ପାରମ୍ପରିକ ପରୀକ୍ଷା ବ୍ୟବସ୍ଥା ବଦଳରେ ଅନ୍‌ଲାଇନ୍‌ ପରୀକ୍ଷା କରାଯିବା ପଛରେ ରେଳବାଇ କର୍ତ୍ତୃପକ୍ଷ ଯେଉଁ କାରଣ ସବୁ ଦର୍ଶାଉଛନ୍ତି ତା’ମଧ୍ୟରେ ‘କାଗଜ ବଞ୍ଚାଇବା’ ଭଳି ଗୋଟିଏ ପ୍ରମୁଖ ରହିଛି। ଏତେ ସଂଖ୍ୟକ ପରୀକ୍ଷାର୍ଥୀଙ୍କ ପାଇଁ କାହିଁ କେତେ ଦିସ୍ତା କାଗଜ ଆବଶ୍ୟକ ହୋଇଥାଆନ୍ତା ତାହା ଆକଳନ କରିବା କଷ୍ଟକର; ତଥାପି ୭ କୋଟି ୫୦ ଲକ୍ଷ ସିଟ୍‌(ଏ-୪ ଆକାର) ଆବଶ୍ୟକ ଥିବା ହିସାବ କରାଯାଇଛି। ହିସାବ ଅନୁଯାୟୀ, ଏତିକି କାଗଜ ପ୍ରସ୍ତୁତି ପାଇଁ ଯେତିକି ଗଛ କାଟିବାକୁ ପଡ଼ିଥାଆନ୍ତା ତାହାର ସଂଖ୍ୟା ହେଉଛି ୧୦ ଲକ୍ଷ। ରେଳବାଇ କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ ପରୀକ୍ଷା ଆୟୋଜନ ମାଧ୍ୟମରେ ଅନ୍ତତଃ ଏହି ସଂଖ୍ୟକ ଗଛର ଜୀବନ ରକ୍ଷା କରିଥିବା କୁହାଯାଉଛି।
କୌଣସି ପରୀକ୍ଷା ପାଇଁ ରେଳବାଇ କର୍ତ୍ତୃପକ୍ଷ ବହୁଭାଷୀ ପ୍ରଶ୍ନପତ୍ର ପ୍ରସ୍ତୁତ କରିଥା’ନ୍ତି। ଏଥିପାଇଁ ପ୍ରଶ୍ନପତ୍ର ସ୍ୱାଭାବିକ ଭାବେ ମୋଟା ହୋଇଥାଏ। ଏଗୁଡ଼ିକୁ ବିଭିନ୍ନ ସ୍ଥାନକୁ ପରିବହନ ଓ ସୁରକ୍ଷା ମଧ୍ୟ ସମସ୍ୟା ହୋଇଥାଏ। ପାରମ୍ପରିକ ପରୀକ୍ଷାରେ ଜଣେ ପ୍ରାର୍ଥୀ ପ୍ରାୟତଃ ୩ରୁ ୪ପୃଷ୍ଠା ବ୍ୟବହାର କରିଥାଆନ୍ତି; ଯାହାକୁ ଅନ୍‌ଲାଇନ୍‌ ପରୀକ୍ଷା ଦ୍ୱାରା ରୋକାଯାଇପାରିବ। ଏହାଛଡ଼ା ପ୍ରଶ୍ନପତ୍ର ପ୍ରଘଟ ଭଳି ଆଶଙ୍କା ଅନ୍‌ଲାଇନ୍‌ ପରୀକ୍ଷାରେ ନ ଥାଏ। ରେଳବାଇ ବିଶ୍ୱର ସବୁଠୁ ବଡ଼ ନିଯୁକ୍ତିଦାତା ସଂସ୍ଥା; ଯେଉଁଥିରେ ୧୦ ଲକ୍ଷ ୩୦ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି। ସର୍ବବୃହତ୍‌ ଅନ୍‌ଲାଇନ୍‌ ପରୀକ୍ଷା ଆୟୋଜନ ମାଧ୍ୟମରେ କାଗଜ ବଞ୍ଚାଇବା ପାଇଁ ଏତେଗୁଡ଼ାଏ ଗଛ ରକ୍ଷା କରିବା ଏକ ରେକର୍ଡ଼। ପୁନଶ୍ଚ ପରୀକ୍ଷା ଦିନ ବଡ଼ ଧରଣର ଟ୍ରାଫିକ ସମସ୍ୟାକୁ ମଧ୍ୟ ଏଡ଼ାଇ ଯିବାର ସୁବିଧା ହେବ ବୋଲି ଆଶା କରାଯାଉଛି। ଏ ସବୁ ବାଦ୍‌ ଏତେ ବଡ଼ ଅନ୍‌ଲାଇନ୍‌ ପରୀକ୍ଷା ଆୟୋଜନ ମାଧ୍ୟମରେ ରେଳବାଇ ଏହାର ପ୍ରଯୁକ୍ତି ଭିତ୍ତିଭୂମିକୁ ମଧ୍ୟ ଶକ୍ତିଶାଳୀ କରିବାରେ ସମର୍ଥ ହୋଇପାରିଛି।

Leave A Reply