ଟଳିନି କର୍ଣ୍ଣାଟକ ସଙ୍କଟ;କାଲି ଶକ୍ତି ପରୀକ୍ଷା

0

ବେଙ୍ଗାଲୁରୁ: ମେ ୧୫ରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ କର୍ଣ୍ଣାଟକରେ ନାଟକୀୟ ମୋଡ଼ ଥମିବାର ନାମ ନେଉ ନାହିଁ। ସଂଖ୍ୟା ଗରିଷ୍ଠତା ନିଜ ସପକ୍ଷରେ ରହିଥିବା ଦୃଢୋକ୍ତିରେ ପ୍ରଥମେ ୟେଦୁରପ୍ପା ଶପଥ ଗ୍ରହଣ କରିଥିବାବେଳେ ବୁଧବାର ଭବ୍ୟ ସମାରୋହରେ ଏଚଡି କୁମାରସ୍ୱାମୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ତେବେ ତଥାପି ଟଳିନି ସଙ୍କଟ। ୟେଦୁରପ୍ପାଙ୍କ ସମର୍ଥନରେ ରହିଛି ସଂଖ୍ୟାଗରିଷ୍ଠତା ବୋଲି ସେ ଦୃଢୋକ୍ତି କରିଥିଲେ। ବିଜେପି ନେତା ୟେଦୁରପ୍ପା ମୋଟ୍‍ ୧୦୪ଟି ଆଦସନରେ ସୀମିତ ରହିଥିବାବେଳେ କୁମାରସ୍ୱାମୀ ମାତ୍ର ୩୭ଟି ଆସନ ଅଧିକାର କରି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏଭଳି ଅସମ୍ଭବକୁ ସମ୍ଭବ ହୋଇଛି କଂଗ୍ରେସର ସମର୍ଥନ ହେତୁ। କୁମାରସ୍ୱାମୀଙ୍କ ଦଳ ଜେଡିଏସକୁ କଂଗ୍ରେସ ତା’ର ୭୮ଟି ଆସନ ସହ ସମର୍ଥନ କରିଛି। ହେଲେ ଏହି ସମର୍ଥନର ବାସ୍ତବତା ଶୁକ୍ରବାର ଜଣାପଡ଼ିବ। ଏହା ବ୍ୟତୀତ କର୍ଣ୍ଣାଟକରେ ଅନ୍ୟାନ୍ୟ ୨ଟି ଆସନ ରହିଛି। ଉଭୟ ବିଜୟୀ ବିଧାୟକ କୁମାରସ୍ୱାମୀଙ୍କୁ ସମର୍ଥନ କରିଛନ୍ତି। ଏଭଳି କ୍ଷେତ୍ରରେ ଦଳର ସମର୍ଥନ ମିଳିଥିଲେ ମଧ୍ୟ ଆଗାମୀ ଦିନରେ ଉଭୟ ଦଳୀୟ ନେତାଙ୍କ ମଧ୍ୟରେ କେତେଦୂର ସମନ୍ୱୟ ରହିବ ଏହାକୁ ନେଇ ଦେଖା ଦେଇଛି ଦ୍ୱନ୍ଦ୍ୱ। ଫଳରେ ଶୁକ୍ରବାର ଶକ୍ତି ପ୍ରଦର୍ଶନକୁ ନେଇ ଏବେ ମଧ୍ୟ ଲାଗି ରହିଛି ଆଶଙ୍କା।

Leave A Reply