ଜିଏସ୍‌ଟି ମହାଠକେଇରେ ରାଉରକେଲାର ୩୬ ଜାଲ୍‌ ସଂସ୍ଥା

0

ରାଉରକେଲା(ପ୍ରତାପ କିଶୋର ରାଉତ): ଜିଏସ୍‌ଟି (ଗୁଡ୍ସ ଏଣ୍ଡ ସର୍ଭିସ ଟ୍ୟାକ୍ସ) ମହାଠକେଇର ଗୁମର ଖୋଲିବାରେ ଲାଗିଛି। ଜିଏସ୍‌ଟି ଲାଗୁ ହେବାର ପ୍ରାୟ ଦେଢ଼ବର୍ଷ ଭିତରେ କଳାବେପାରୀ ମାନେ କୋଟି କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଛନ୍ତି। ଏହି ୩୬ଟି ନକଲି ସଂସ୍ଥା ବିରୋଧରେ ଦେଶବ୍ୟାପୀ ‘ଆଲର୍ଟ ନୋଟିସ’ ଜାରି କରାଯାଇଛି। ଗତ କିଛି ମାସ ଭିତରେ ରାଉରକେଲା ଜିଏସଟି କମିଶନରେଟ୍‌ ପକ୍ଷରୁ ଠକେଇ ଅଭିଯୋଗରେ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଜାଲ୍‌ କାରବାର ସହିତ ସମ୍ପୃକ୍ତ ଅନ୍ୟମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।
ଜିଏସ୍‌ଟି ଜାଲିଆତି ସହ ସମ୍ପୃକ୍ତ ରାଉରକେଲାର ବହୁ ନକଲି ଫାର୍ମ ବିଷୟରେ ଅନୁସନ୍ଧାନ ଜାରି ରହିଛି। ରାଉରକେଲା ଜିଏସ୍‌ଟି କମିଶନରେଟ୍‌ ଅଧୀନରେ ପଞ୍ଜିକୃତ ୩୬ଟି ଫାର୍ମର ଚିହ୍ନବର୍ଣ୍ଣ ନାହିଁ। ରାଉରକେଲାରୁ କୋଟି କୋଟି ଟଙ୍କାର ଜାଲ୍‌ ବିଲ୍‌ (ଫେକ୍‌ ଇନ୍‌ଭଏସ୍‌) ଇସ୍ୟୁ କରାଯାଇଥିବା ବିଭାଗର ନଜରକୁ ଆସିଛି। ଏହି ୩୬ଟି ନକଲି ସଂସ୍ଥା ବିରୋଧରେ ଦେଶବ୍ୟାପୀ ‘ଆଲର୍ଟ ନୋଟିସ’ ଜାରି କରାଯାଇଛି। ଏସବୁ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଏସ୍‌ଟି କମିଶନରେଟ୍‌ ପ୍ରସ୍ତୁତି ଚଳାଇଥିବା ବେଳେ ଯେଉଁମାନେ ଏସବୁ ସଂସ୍ଥାରୁ ବିଲ ନେଇ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି) ହାସଲ କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ୧ ଜୁଲାଇ ୨୦୧୭ରୁ ଦେଶବ୍ୟାପୀ ଏକକ ଟିକସ ବ୍ୟବସ୍ଥା ବା ଜିଏସ୍‌ଟି ଲାଗୁ କରାଗଲା।
ସରକାରୀ ଅଫିସ ନଯାଇ ଜଣେ ଯେମିତି ନିଜ ନିଜ ବ୍ୟବସାୟିକ ପ୍ରତିଷ୍ଠାନର ପଞ୍ଜିକୃତ କରି ପାରିବ ସେ ନେଇ ଜିଏସ୍‌ଟିରେ ବ୍ୟବସ୍ଥା କରିଥିଲେ ସରକାର। ଘରେ ବସି ବ୍ୟବସାୟୀମାନେ ଜିଏସ୍‌ଟି ରେଜିଷ୍ଟ୍ରେସନ ନମ୍ବର ପାଇଗଲେ। ସଚ୍ଚୋଟ ବା ପ୍ରକୃତ ବ୍ୟବସାୟୀ ଏହାର ସଦୁପଯୋଗ କରୁଥିବା ବେଳେ ଅସାଧୁ ବ୍ୟବସାୟୀ ମାଲାମାଲ୍‌ ହୋଇ ଯାଇଛନ୍ତି। ପ୍ରଥମେ ପ୍ରଥମେ ଏହି ଦୁର୍ନୀତି ଲୋକଲୋଚନକୁ ଆସି ପାରୁନଥିଲା। ମାତ୍ର ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଏହି ଦୁର୍ନୀତିର ଚେର କେତେ ଯେ ଗଭୀରକୁ ପଶି ସାରିଲାଣି ତା’ର ଆକଳନ କରିବା କାଠିକର ପାଠ ହୋଇପଡ଼ିଛି। ଗତ କିଛି ମାସ ମଧ୍ୟରେ ଜିଏସ୍‌ଟି ଠକେଇ ଅଭିଯୋଗରେ ୪ ଜଣ ବ୍ୟକ୍ତି ଗିରଫ ହୋଇଥିଲେ। ସେମାନଙ୍କ ଭିତରୁ ଏବେ ଦୁଇ ଜଣ ଜେଲ୍‌ରେ ଅଛନ୍ତି। ଗତ ପ୍ରାୟ ୧୫ ଦିନ ତଳେ ଡିଲକ୍ସ ଲେନସ୍ଥିତ ଅନ୍ୟ ଜଣେ ବ୍ୟବସାୟୀଙ୍କ ଘରେ ମଧ୍ୟ ଚଢ଼ଉ ହୋଇଥିଲା। ଏସବୁ ମାମଲା ସାମ୍‌ନାକୁ ଆସିଲା ପରେ ବିଭାଗ ପକ୍ଷରୁ ତଦନ୍ତ ଜୋରଦାର ହୋଇଥିଲା। ଚାଲାକ ବ୍ୟବସାୟୀ ଭାଇ ବନ୍ଧୁ କୁଟୁମ୍ବଙ୍କଠାରୁ ଆରମ୍ଭ କରି ଚିହ୍ନାଜଣା ଲୋକଙ୍କୁ ମାଲିକ ଦର୍ଶାଇ ଜିଏସ୍‌ଟି ନମ୍ବର ହାସଲ କରିଛନ୍ତି। ଫାର୍ମ ନାହିଁ କି ପଞ୍ଜିକୃତ ଠିକଣାରେ କିଛି ଚିହ୍ନବର୍ଣ୍ଣ ନାହିଁ। ଏପରିକି କୌଣସି ମାଲପତ୍ର ଯୋଗାଣ ନକରି ମଧ୍ୟ କୋଟି କୋଟି ଟଙ୍କାର ଜାଲ ଇନ୍‌ଭଏସ୍‌ ଜରିଆରେ ବିପୁଳ ଟିକସ ଫାଙ୍କି ହୋଇଛି। ତେଣୁ ଏହି ଧରଣର ୩୬ଟି ସଂସ୍ଥାକୁ ଜିଏସ୍‌ଟି ନକଲି ବୋଲି ଘୋଷଣା କରିଛି। ସେଗୁଡ଼ିକ ହେଲା ମେସର୍ସ ତମନ୍ନା ଟ୍ରେଡର୍ସ,ମେସର୍ସ ଗିରିଧାରୀ ଷ୍ଟିଲ୍ସ କମ୍ପାନୀ, ବନଦୁର୍ଗା ଏଣ୍ଟରପ୍ରାଇଜେସ୍‌ ,କେ.କେ.ଏଣ୍ଟରପ୍ରାଇଜେସ୍‌, ଭି.ଏସ୍‌.ଷ୍ଟିଲ୍ସ, ବସନ୍ତ ଟ୍ରେଡର୍ସ, ଶ୍ରୀ ଗଣେଶ ଟେଡର୍ସ, ସୁରେଶ ଏଣ୍ଟରପ୍ରାଇଜେସ୍‌, ସିଦ୍ଧି ବିନାୟକ ଏଣ୍ଟରପ୍ରାଇଜେସ୍‌, ଜେ.କେ.ଟ୍ରେଡିଂ, ଓଡ଼ିଶା ଷ୍ଟିଲ ଏଣ୍ଡ ଷ୍ଟ୍ରାଇପ୍ସ, ବି୍ରଷ୍ଟଲ ଷ୍ଟିଲ, ସୁଶୀଲ ମାଇନ୍ସ ଏଣ୍ଡ ମିନେରାଲ୍ସ, ରାକେଶ ଓରସ୍‌, ୟୁନିୟନ ମେଟାଲ୍ସ, ମେଟାଲ ଏଣ୍ଡ ମେଟାଲ୍ସ, ମେସର୍ସ ସୌଭାଗ୍ୟ ଶତପଥୀ, ଓମ୍‌ ବାରସ ଏଣ୍ଡ ଷ୍ଟିଲ୍ସ କୋ., ବସନ୍ତ ଟିଏମ୍‌ଟି ଏଣ୍ଡ ବାରସ୍‌ ଟ୍ରେଡର୍ସ, ତୁଳସୀ ଏଣ୍ଟର ପ୍ରାଇଜେସ୍‌, କାମଧେନୁ ଟିଏମ୍‌ଟି ଏଣ୍ଡ ଷ୍ଟିଲ୍ସ କୋ., କ୍ରିଷ୍ଣା ଟେଡର୍ସ, ମା’ କାଳୀ ଏଣ୍ଟରପ୍ରାଇଜେସ୍‌, କ୍ରିଷ୍ଣା ଟ୍ରେଡିଂ, ହିଙ୍ଗୁଳା ଏଣ୍ଟରପ୍ରାଇଜେସ୍‌, ଆର୍‌.ଏମ୍‌.ଏସ୍‌. ଷ୍ଟିଲ୍ସ, ଏମ୍‌.ଡି.ଷ୍ଟିଲ୍ସ, ସାହୁ ଏଣ୍ଟରପ୍ରାଇଜେସ୍‌, ରେହମାନିଆ ଷ୍ଟିଲ, ମା’ କାଳୀ ଏଣ୍ଟରପ୍ରାଇଜେସ୍‌, ଆର୍‌.ଏସ.ଷ୍ଟିଲର୍ସ, ମା’ ଏଣ୍ଟରପ୍ରାଇଜେସ୍‌, କପିଳାସ ଇଣ୍ଡଷ୍ଟି୍ରଜ୍‌, ଅମର ଷ୍ଟିଲ୍ସ, ଚନ୍ଦନ ଟିଏମ୍‌ଟି କୋ. ଏବଂ ଷ୍ଟାର ବିଲେଟ୍‌। ନୋଟିସ୍‌ରେ ସ୍ଥାନ ପାଇଥିବା ଏହି ସଂସ୍ଥା ଗୁଡ଼ିକର ମାଲିକ ଯେଉଁମାନେ ବୋଲି ଦର୍ଶାଯାଇଛି, ବାସ୍ତବରେ ସେଭଳି ବ୍ୟକ୍ତି କେହି ମିଳୁନାହାନ୍ତି। ସଂସ୍ଥା ଗୁଡ଼ିକ ସକାଶେ ପ୍ରଦତ୍ତ ଠିକଣାରେ ମଧ୍ୟ ସେହି ନାମରେ ବସ୍ତୁତଃ କିଛି ଚାଲୁନାହିଁ। ତେଣୁ କମିଶନରେଟ୍‌ ପକ୍ଷରୁ ଜାରୀ ଏହି ସତର୍କ ନୋଟିସ୍‌ ଜିଏସ୍‌ଟିର ନୂଆଦିଲ୍ଲୀ କାର୍ଯ୍ୟାଳୟ, ଦେଶର ସମସ୍ତ ଜିଏସ୍‌ଟି ଜୋନ, ବାଣିଜ୍ୟକର କମିଶନର କଟକ ଓ ରାଉରକେଲା ଚ୍ୟାମ୍ବର ଅଫ୍‌ କମର୍ସ ସମେତ ବିଭିନ୍ନ ଅନୁଷ୍ଠାନକୁ ପଠାଯାଇଛି। ଏହା ବାଦ୍‌ ଯେଉଁ ବ୍ୟବସାୟୀମାନେ ଏହି ସଂସ୍ଥାରୁ ଜାଲ ଇନ୍‌ଭଏସ୍‌ ଜରିଆରେ ଟ୍ୟାକ୍ସ ରିହାତି ପାଇଛନ୍ତି ତାକୁ ମଧ୍ୟ ବେଆଇନ ଘୋଷଣା କରାଯାଇଛି। ଆବଶ୍ୟକସ୍ଥଳରେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଦର୍ଶାଯାଇଛି। ଏହି ସଂସ୍ଥା ଗୁଡ଼ିକ ବ୍ୟତୀତ ଖୁବ୍‌ ଶୀଘ୍ର ତଦନ୍ତାଧୀନ ଆଉ କିଛି ସଂସ୍ଥାକୁ ମଧ୍ୟ ଚିହ୍ନଟ କରାଯିବା ସମ୍ଭାବନା ରହିଥିବା ଜଣାପଡ଼ିଛି।

Leave A Reply