ଜାଣନ୍ତୁ ଗହଣା ପିନ୍ଧିବାର ସଠିକ୍‍ ନିୟମ ଓ ଏହାର ଉଚିତ ରକ୍ଷଣାବେକ୍ଷଣ

0

ନିଜ ପରିଶ୍ରମ ଆୟରୁ ବହୁ ଟଙ୍କା ଖର୍ଚ୍ଚ କରି ମୂଲ୍ୟବାନ ଗହଣା କିଣିବା ପରେ ତା’ର ଉଚିତ ଢଙ୍ଗରେ ରକ୍ଷଣା ବେକ୍ଷଣ କରିବା ମଧ୍ୟ ଜରୁରୀ ହୋଇଥାଏ। ସମସ୍ତେ ଆଶା କରିଥା’ନ୍ତି ଯେ ତାଙ୍କ ଗହଣା ସବୁଦିନ ଯେପରି ଚିକ୍‍ଚିକ୍‍ କରୁଥାଉ। ତେଣୁ ସେଥିପ୍ରତି ଯତ୍ନବାନ ହୋଇ ଗହଣାର ଉଚିତ ଦେଖାରଖା କରିବା ଆବଶ୍ୟକ। ଯେତେବେଳେ ଆପଣ ଅସଲି ମୋତିର ଗହଣା କିଣୁଛନ୍ତି ତାକୁ କପଡ଼ାରେ ଗୁଡ଼ାଇ ରଖିବାକୁ ଭୁଲନ୍ତୁ ନାହିଁ। ହାଇଦ୍ରାବାଦର ଗହଣା ଡ଼ିଜାଇନର୍‍ ପୂଜା ବାସ୍‍ୱାନୀ ଗହଣାର ରକ୍ଷଣାବେକ୍ଷଣ ସମ୍ବନ୍ଧରେ ନିମ୍ନ ଲିଖିତ ମତାମତ ଦେଇଛନ୍ତି।
୧. ଗହଣା ଉପରେ ସିଧା ସଳଖ ଅତର ସ୍ପ୍ରେ କରନ୍ତୁ ନାହିଁ।
୨. କୁନ୍ଦନ(ଅନକଟ ଡାଇମଣ୍ଡ) ଗହଣା ଗୁଡ଼ିକୁ ରେଶମୀ କପଡ଼ା କିମ୍ବା ସ୍ପଞ୍ଜ ଲାଗିଥିବା ପ୍ଲାଷ୍ଟିକ ବାକ୍ସରେ ରଖିବା ଆବଶ୍ୟକ। କାରଣ ଅନ୍ୟ କୌଣସି ରସାୟନିକ ଦ୍ରବ୍ୟ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା କଳା ପଡ଼ିଯାଇଥାଏ।
୩. ରତ୍ନ ବା ମରକତ ମଣି ବହୁତ ସୁକ୍ଷ୍ମ ପଥର ହୋଇଥାଏ। ଏହି ଗହଣାଗୁଡ଼ିକୁ ବସିକରି ପିନ୍ଧିବା ଆବଶ୍ୟକ ଯାହାଦ୍ୱାରା ଏହା ପଡ଼ି ଭାଙ୍ଗିବାର ଭୟ ନ ଥାଏ।

୪. ମୋତି ଗହଣାକୁ କପଡ଼ାରେ ଗୁଡ଼ାଇ ରଖନ୍ତୁ। ଗରମ ଦିନରେ ଏହାକୁ ପିନ୍ଧିବା ଅନୁଚିତ। କାରଣ ଝାଳ ସଂସ୍ପର୍ଶରେ ଆସିଲେ ଏହା ତା’ର ଚମକ ହରାଇ ପାରେ।
୫. ସମସ୍ତ ଗହଣା ଗୁଡ଼ିକୁ ପୃଥକ ପୃଥକ ବାକ୍ସରେ ରଖନ୍ତୁ କାରଣ ଏକାଠି ରଖିବା ଦ୍ୱାରା ଘସି ହୋଇ ଗହଣାରେ ଦାଗ ହୋଇପାରେ ଓ ପରସ୍ପର ଛନ୍ଦି ହୋଇ ଛିଡ଼ିବାର ଆଶଙ୍କା ମଧ୍ୟ ଥାଏ।
୬. ହୀରା ବ୍ୟତୀତ ଅନ୍ୟ କୌଣସି ଗହଣାକୁ ସାବୁନ କିମ୍ବା ପାଣିରେ ସଫା କରନ୍ତୁନାହିଁ।
୭. ଗହଣା ସଫା କରିବା ପଦାର୍ଥରେ ହିଁ କେବଳ ଗହଣାକୁ ସଫା କରିବା ଆବଶ୍ୟକ।
୮. ନିୟମିତ ଅନ୍ତରାଳରେ ଗହଣା ସଫା କରିବା ଆବଶ୍ୟକ। ଏହାଦ୍ୱାରା ଗହଣାର ଚମକ ବଜାୟ ରହିଥାଏ। ସମସ୍ତ ଗହଣାକୁ ଏକା ପଦ୍ଧତିରେ ସଫା କରିବା ଉଚିତ ନୁହେଁ।
୯. ସୁନା ଏକ ସୁକ୍ଷ୍ମ ଧାତୁ। ଏଥିରେ ଦାଗ ସହଜରେ ହୋଇଥାଏ। ଏହାକୁ ଦାଗରୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ, ପଲିସିଙ୍ଗ୍‍ ଓ ଉଚିତ ରକ୍ଷଣାବେକ୍ଷଣ ପାଇଁ ବଣିଆଠାରୁ ପରାମର୍ଶ ନିଅନ୍ତୁ।
୧୦. ଘର କାମ କରିବା ସମୟରେ ସୁକ୍ଷ୍ମ ଗହଣା ପିନ୍ଧନ୍ତୁ ନାହିଁ ଓ ଗରମରେ କିମ୍ବା ଅତ୍ୟଧିକ ଖରାରେ ରତ୍ନ ପରିଧାନ କରନ୍ତୁ ନାହିଁ। ଏହାଦ୍ୱାରା ତା’ର ଚମକ କମିଯାଇଥାଏ।
୧୧. ମେକ୍‍ଅପ୍‍ ସରିବା ପରେ ଗହଣାକୁ ପିନ୍ଧିବା ଆବଶ୍ୟକ।

Leave A Reply