ଖୁଆଡ଼ରୁ ଫିଟିଲା; ସାତକୋଶିଆରେ ବୁଲିଲା

0

ଅନୁଗୋଳ(ସହର) : ଖୁଆଡ଼ ଭିତରେ ୧୭ଦିନ ରହିବା ପରେ ଶୁକ୍ରବାର ମୁକ୍ତ ହୋଇଛି ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଓଡ଼ିଶା ଆସିଥିବା ମହାବଳ। ସ୍ବାସ୍ଥ୍ୟ ପରୀକ୍ଷା ପରେ ବନ ଅଧିକାରୀମାନେ ଆଜି ଅପରାହ୍ଣରେ ଉକ୍ତ ମହାବଳକୁ ସାତକୋଶିଆ ଜଙ୍ଗଲରେ ଛାଡ଼ିଛନ୍ତି।
ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ୩ ବର୍ଷର ବାଘକୁ ନିଶ୍ଚେତକ ଦିଆଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ଭିତରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ରାଇଗୁଡ଼ା ରେଞ୍ଜରେ ଥିବା ଏନ୍‍କ୍ଲୋଜର ଭିତରେ ଗତ ୨୧ ତାରିଖରୁ ରଖାଯାଇଥିଲା। ଉକ୍ତ ବାଘକୁ ଅଢ଼େଇ ଏକର ଜମିରେ ନିର୍ମାଣ କରାଯାଇଥିବା ଏନ୍‍କ୍ଲୋଜର ଭିତରେ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ରଖାଯିବା ସହ ସିସିଟିଭି ମାଧ୍ୟମରେ ୨୪ ଘଣ୍ଟା ତା ଗତିବିଧି ଉପରେ ନଜର ରଖାଯାଇଥିଲା। ମହାବଳ ବେକରେ ରେଡ଼ିଓ କଲାର ରଖାଯାଇ ବାଘ କେଉଁ ସ୍ଥାନରେ ଅଛି ତାହା ବନ ବିଭାଗ ଜାଣି ପାରିବାର ବ୍ୟବସ୍ଥା କରାଯାଇଛି। ମହାବଳଟି ଏନ୍‍କ୍ଲୋଜର ଭିତରେ ଜୀବନ୍ତ ବାର୍‍ହାକୁ ଶିକାର କରି ଖାଇଥିଲା। ବାଘର ସ୍ୱାସ୍ଥ୍ୟକୁ ପରୀକ୍ଷା କରାଯିବା ସହ ନ୍ୟାସନାଲ ଟାଇଗର ପ୍ରୋଜେକ୍ଟର ଅଧିକାରୀମାନେ ବୁଧବାର ସନ୍ଧ୍ୟାରେ ଆସି ମହାବଳକୁ ଦେଖିବା ପରେ ଜଙ୍ଗଲକୁ ଛଡ଼ାଯିବାର ନିଷ୍ପତ୍ତି ନେଇଥିଲେ। ଡ଼େରାଡ଼ୁନ୍‍ରୁ ସ୍ୱତନ୍ତ୍ର ଭାବେ ଆସିଥିବା ବିଶେଷଜ୍ଞ ଟିମର ଯାଞ୍ଚ ପରେ ବନ ବିଭାଗ ବାଘ ଜଙ୍ଗଲକୁ ଛଡ଼ା ହେବାର ନିଷ୍ପତ୍ତି ନେଇଥିଲା। ଆଜି ସେହି ନିଷ୍ପତ୍ତି ମୁତାବକ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ବନ ସଂରକ୍ଷକ ତଥା ଚିଫ୍‍ ୱାଇଲ୍ଡ ଲାଇଫ୍‍ ୱାଡେନ ଡଃ ସନ୍ଦିପ ତ୍ରିପାଠୀ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଫିଲ୍ଡ ଡ଼ାଇରେକ୍ଟର ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ଃ ସୁଦର୍ଶନ ପଣ୍ଡାଙ୍କ ଉପସ୍ଥିତିରେ ଅପରାହ୍ଣ ୨ଟା ୬ମିନିଟରେ ଏନ୍‍କ୍ଲୋଜର-୧ର ଫାଟକ ଖୋଲାଯାଇ ମହାବଳକୁ ଜଙ୍ଗଲକୁ ଛଡ଼ାଯାଇଛି। ଏହି ମହାବଳର ସାଥୀ ଭାବେ ସହାୟକ ହେବା ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପର ମନପୁର ରେଞ୍ଜରୁ ଏକ ଦୁଇବର୍ଷ ଛଅ ମାସର ବାଘୁଣୀକୁ ଅଣାଯାଇ ଜୁନ ୨୮ରୁ ଏନ୍‍କ୍ଲୋଜର ୨ରେ ରଖାଯାଇଛି। ଏହା ଉପରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ବାଘୁଣୀ ବେକରେ ରେଡ଼ିଓ କୋଲାର ଲଗାଇବା ସହ ସିସିଟିଭି ମାଧ୍ୟମରେ ବାଘୁଣୀର ଗତିବିଧି ନଜର ରଖାଯାଇଛି। ଖୁବ୍‍ ଶୀଘ୍ର ବାଘୁଣୀକୁ ମଧ୍ୟ ଏନ୍‍କ୍ଲୋଜରରୁ ମୁକ୍ତ କରାଯାଇ ଜଙ୍ଗଲକୁ ଛଡ଼ାଯିବ। ଏହି ଦୁଇ ଏନ୍‍କ୍ଲୋଜର ଖାଲି ହେବା ପରେ ଆଉ ଦୁଇ ଯୋଡ଼ା ବାଘ ବାଘୁଣୀ ଆଣି ଏନ୍‍କ୍ଲୋଜରରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଏହା ବାଘ ବଂଶ ବୃଦ୍ଧିରେ ସହାୟକ ହେବ ବୋଲି କ୍ଷେତ୍ର ନିର୍ଦେଶକ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ଏହି ମହାବଳକୁ ଜଙ୍ଗଲରେ ଛାଡ଼ିବା ପାଇଁ ସାତକୋଶିଆ ଡିଏଫଓ ଏସ ଡି ଟି ରହମାନ, ଅନୁଗୋଳ ଡିଏଫଓ ଭି. କାର୍ତ୍ତିକ, ପଶୁ ବିଶେଷଜ୍ଞ, ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ବିଶେଷଜ୍ଞ, ସାତକୋଶିଆ ବନ୍ୟପ୍ରାଣୀ ବିଭାଗର ଏସିଏଫ ଶୁଭେନ୍ଦୁ ପ୍ରସାଦ ବେହେରା, ରାଜକିଶୋର ସ୍ୱାଇଁ, ରାଇଗୁଡ଼ା ରେଞ୍ଜ ଅଫିସର ଏବଂ କର୍ମଚାରୀମାନେ ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ। ବାଘ ଜଙ୍ଗଲରେ ଛଡ଼ାଯିବା ପରେ ସ୍ଥାନୀୟ ଅଧିବାସୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ସାତକୋଶିଆରେ ଜନ୍ତୁ ଶିକାରୀଙ୍କ ଭୟ ବନ ବିଭାଗକୁ ଘାରିଥିବା ଜଣାଯାଇଛି।

Leave A Reply