କନ୍ୟାଯାତ୍ରୀ ମିନିଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ୨ ମୃତ, ୩୨ ଆହତ

0

ଦଶପଲ୍ଲା: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍ ଅଧୀନ କଳସାଖମଣ ଗ୍ରାମପଞ୍ଚାୟତର ଠୁକେଇନାଳ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଦିବାସୀ ସମ୍ପ୍ରଦାୟର ଏକ ଝିଅ ବିବାହର କନ୍ୟାଯାତ୍ରୀମାନଙ୍କୁ ନେଇ ଯାଉଥିବା ମିନିଟ୍ରକ୍ ଭାରସାମ୍ୟ ହରାଇ ଡାହାଣ ପାଶ୍ୱର୍ରେ ଥିବା ୩୦ ଫୁଟ ଗଭୀର ନାଳ ଭିତରକୁ ଖସି ପଡିବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ଜଣଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ଦଶପଲ୍ଲାରୁ ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳକୁ ଯାଇ ଆହତମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛି।
ବାଣିଗୋଚ୍ଛା ଥାନା ଅଧୀନ କଳସାଖମଣ ପଞ୍ଚାୟତ ଗେଣ୍ଡାଳି ଗ୍ରାମର ସୁରେନ୍ଦ୍ର ମାଝୀଙ୍କ ଝିଅ ନିକଟସ୍ଥ ଶ୍ରୀଖରପଙ୍କା ଗ୍ରାମ ଚିତ୍ରସେନ ମଳିକଙ୍କ ପୁଅ ଭରତକୁ ବିବାହ କରିଥିଲେ। ଆଜି କନ୍ୟାଘର ପକ୍ଷରୁ ବାହାଘର ସଜ ନେଇ ୩୫ଜଣ ପୁରୁଷ ଓ ମହିଳା ମିନିଟ୍ରକ୍ ଯୋଗେ ଯାଉଥିବାବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ମିନିଟ୍ରକ୍ ତଳେ ଚାପିହୋଇ ଗେଣ୍ଡାଳି ଗ୍ରାମର ସତ୍ୟନାରାୟଣ ମଲ୍ଲିକ(୧୮)ଙ୍କର ମୃତ୍ୟୁ ଘଟିଥିବାବେଳେ ଗୁରୁତର ଆହତ ଅବସ୍ଥାରେ ସେହି ଗ୍ରାମର ସୁକୁଟା ମାଝୀ (୪୫) ନାମକ ଜଣେ ମହିଳା ୧୦୮ ଆମ୍ବୁଲାନ୍ସରେ ଆସିବାବେଳେ ବାଟରେ ମୃତ୍ୟୁବରଣ କରିଛନ୍ତି। ଉଦ୍ବେଗଜନକ ଅବସ୍ଥାରେ ଦଶପଲ୍ଲା ଡାକ୍ତରଖାନାରୁ ୬ଜଣଙ୍କୁ ନୟାଗଡ଼ ସ୍ଥାନାନ୍ତରିତ କରାଯାଇଛି।

Leave A Reply