ଏସ୍‌ପି- ବିଏସପିର ବିଜୟ ନୁହେଁ ବରଂ ବିଜେପିର ପରାଜୟ

0

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁର ଓ ଫୁଲପୁରର ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନର ପରିଣାମ ବିଜେପି ପାଇଁ ଶକ୍ତ ଧକ୍କା ପାଲଟି ଯାଇଛି। ୨୦୧୪ ନିର୍ବାଚନରେ ବିଜେପି ବିପୁଳ ଭୋଟରେ ବିଜୟୀ ହେବା ସତ୍ତ୍ୱେ ଉପନିର୍ବାଚନରେ ଏଭଳି ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ ଏକଥା ବିଜେପିର ନେତୃମଣ୍ଡଳୀଠାରୁ ଆରମ୍ଭ କରି କର୍ମୀ ମଧ୍ୟ ବିଶ୍ୱାସ କରି ନଥିଲେ। ପରିଣାମକୁ ନେଇ ଏକାଧିକ କଳ୍ପନା ଓ ସ୍ପଷ୍ଟିକରଣ ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ, ଆତ୍ମବିଶ୍ୱାସ ଅତିରୁ ଇତିରେ ପାଲଟିଗଲା ବୋଲି ସ୍ୱୀକାର କରିଛନ୍ତି। ଅପରପକ୍ଷରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ଅଖିଳେଶ ଏହାକୁ ବିଜେପି ବିକଳ୍ପର ବିଜୟ ବୋଲି ମତ ରଖିଛନ୍ତି।
ତେବେ କେନ୍ଦ୍ର ରାଜନୀତିକୁ ତର୍ଜମା କଲେ ୟୁପି ଉପ-ନିର୍ବାଚନରେ କେବଳ ବିଜେପି ପରାଜିତ ହୋଇ ନାହିଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଯୋଗୀଙ୍କ ପରାଜୟ ବୋଲି ମଧ୍ୟ କୁହାଯାଇ ପାରେ। ନହେଲେ ବର୍ଷେ ପୂର୍ବେ ଦୁଇ ତୃତୀୟାଂଶରେ ବିଜୟୀ ହୋଇଥିବା ବିଜେୟୀ ନିଜ ଜିତା ଆସନ ହରାଇଲା କିପରି? ଅନ୍ୟପକ୍ଷରେ ଦେଖିବାକୁ ଗଲେ ଗୋରଖପୁର ଖୋଦ୍‌ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ନିର୍ବାଚନ କ୍ଷେତ୍ର ହୋଇଥିବାବେଳେ ଫୁଲପୁର ଆସନ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯଙ୍କ କ୍ଷେତ୍ର। ବିଜେପିର ମୁଖପାତ୍ର ଏହି ପରାଜୟ ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିର କୌଣସି ସମ୍ପର୍କ ନାହିଁ ବୋଲି ପ୍ରକାଶ କରୁଥିଲେ ମଧ୍ୟ ବାସ୍ତବରେ ଦେଖିବାକୁ ଗଲେ ବିଜେପିର ପରାଜୟର ଏକମାତ୍ର କାରଣ ୟୁପି ନିର୍ବାଚନ ପରେ ସ୍ପଷ୍ଟ ହୋଇଯାଇଛି। କେବଳ ୟୁପି କାହିଁକି? ନିକଟରେ ଓଡ଼ିଶାରେ ମଧ୍ୟ ଉପ-ନିର୍ବାଚନରେ ବିଜେପିକୁ ପରାଜିତ ହେବାକୁ ପଡ଼ିଛି। ଏହି ଆସନରେ ଦୀର୍ଘ ବର୍ଷ ଧରି କଂଗ୍ରେସ ନିଜ ସ୍ଥିତି ସୁଦୃଢ କରି ରଖିଥିଲେ ମଧ୍ୟ ଚଳିତ ଥର ଏହାକୁ ବିଜେଡି ବିପୁଳ ଭୋଟରେ ଆଗେଇ ସ୍ଥିତି ମଜବୁତ୍‌ କରିଛି। ଅପରପକ୍ଷରେ ବିଜେପି କେବଳ ଆରୋପ ପ୍ରତ୍ୟାରୋପର ରାଜନୀତି ମଧ୍ୟରେ ସୀମିତ ରହିଗଲା ପରି ମନେ ହେଉଛି।
ବାସ୍ତବତାକୁ ବିଜେପି ଯେତେ ଆଡ଼େଇ ଗଲେ ମଧ୍ୟ ପରାଜୟର କାରଣ ଦେଶବ୍ୟାପୀ ପ୍ରାୟତଃ ଏକ। ବିଜେପି ବିପକ୍ଷରେ ଭୋଟ୍‌ ଅନ୍ୟ ରାଜନୈତିକ ଦଳକୁ ଶକ୍ତିଶାଳୀ କରିବା ନୁହେଁ ବରଂ ଦଳକୁ ଶିକ୍ଷା ଦେବା ମୁଖ୍ୟ ଲକ୍ଷ ବୋଲି ପରିଲକ୍ଷିତ ହେଉଛି। ମୋଦି ପ୍ରବାହରେ ପାଗଳ ପ୍ରାୟ ହୋଇଯାଇଥିବା ନେତା କର୍ମୀଙ୍କ ଅଖି ଖୋଲିବା ବିପକ୍ଷର ବିଜୟର ପ୍ରମୁଖ କାରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ସମୟରେ ଦେଶବାସୀଙ୍କୁ ଯେଉଁ ସ୍ୱପ୍ନ ଦେଖାଇଥିଲେ, କାର୍ଯ୍ୟକ୍ଷେତ୍ରରେ ସେଭଳି କିଛି ଆଖି ଦୃଶିଆ ଫଳାଫଳ ଦେଶବାସୀଙ୍କ ସମ୍ମୁଖରେ ଟେକି ଦେବାରେ ବିଜେପି ବିଫଳ ହୋଇଛି। ବାସ୍ତବତାକୁ ଗ୍ରହଣ କରି ଆଗାମୀ ଦିନରେ ବିଜେପି ଲୋକାଭିମୂଖୀ କାର୍ଯ୍ୟ ପାଇଁ ପ୍ରସ୍ତୁତ ନହେଲେ ଆଗାମୀ ନିର୍ବାଚନରେ ଦଳକୁ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

Leave A Reply