ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ: ସିନ୍ଧୁ ସେମିଫାଇନାଲରେ

0

ଲଣ୍ଡନ : ସମ୍ମାନଜନକ ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପରେ ତାଙ୍କ ଅଭିଯାନ ଜାରି ରଖିଛନ୍ତି ବିଶ୍ୱର ୩ନଂ ଖେଳାଳି ପି.ଭି. ସିନ୍ଧୁ। ଶୁକ୍ରବାର କ୍ୱାର୍ଟରଫାଇନାଲ ମ୍ୟାଚ୍‌ରେ ୪ର୍ଥ ସିଡ୍‌ ସିନ୍ଧୁ ତାଙ୍କର ଚିର ପ୍ରତିଦ୍ୱନ୍ଦ୍ୱୀ ଜାପାନର ନୋଜୁମି ଓକୁହାରାଙ୍କୁ କଡ଼ା ମୁକାବିଲା ପରେ ପରାସ୍ତ କରିଛନ୍ତି। ୧ ଘଣ୍ଟା ୨୪ ମିନିଟ ଧରି ଚାଲିଥିବା ମୁକାବିଲାରେ ସିନ୍ଧୁ ୨୦-୨୨, ୨୧-୧୮, ୨୧-୧୮ରେ ବିଜୟୀ ହୋଇଥିଲେ। ଏହି ବିଜୟ ସହ ଗତ ବିଶ୍ୱ ଚମ୍ପିଆନ୍‌ସିପ୍‌ ଫାଇନାଲରେ ଓକୁହାରାଙ୍କଠାରୁ ପରାଜୟର ପ୍ରତିଶୋଧ ନେଇ ପାରିଛନ୍ତି ସିନ୍ଧୁ।
ଫଳରେ ସାଇନା ନେହୱାଲଙ୍କ ପରେ ୨ୟ ଭାରତୀୟ ଭାବେ ସିନ୍ଧୁ ଅଲ୍‌ଇଂଲଣ୍ଡ ଚମ୍ପିଆନ୍‌ସିପ୍‌ର ମହିଳା ସିଙ୍ଗଲ୍‌ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସାଇନା ୨୦୧୩ରେ ସେମିଫାଇନାଲ ଖେଳିବା ପରେ ୨୦୧୫ରେ ରନର୍ସଅପ୍‌ ହୋଇଥିଲେ। ଭାରତୀୟ ପୁରୁଷଙ୍କ ମଧ୍ୟରେ ପ୍ରକାଶ ପାଦ୍ୟୁକୋନ୍‌ ୧୯୮୦ରେ ଏବଂ ପି. ଗୋପୀଚାନ୍ଦ ୨୦୦୧ରେ ଏଠାରେ ପୁରୁଷ ସିଙ୍ଗଲ୍‌ସ ଚମ୍ପିଆନ୍‌ ହୋଇଥିଲେ। ଅଲିମ୍ପିକ୍‌ସ ଓ ବିଶ୍ୱ ଚମ୍ପିଆନ୍‌ସିପ୍‌ ରୌପ୍ୟପଦକ ବିଜୟିନୀ ସିନ୍ଧୁ ଏହି ମୁକାବିଲାରେ ଆରମ୍ଭରୁ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲେ। ପ୍ରଥମ ଗେମ୍‌ରେ ଉଭୟ ଖେଳାଳିଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିବା ବେଳେ ଓକୁହାରା ଏହାକୁ ୨୨-୨୦ରେ ଜିତି ନେଇଥିଲେ। ତେବେ ପରବର୍ତ୍ତୀ ୨ଟି ଗେମ୍‌ରେ ସିନ୍ଧୁ ଆଗୁଆ ରହିଥିଲେ। ୨ୟ ଗେମ୍‌ରେ ଉଭୟ ଖେଳାଳିଙ୍କ ମଧ୍ୟରେ ଏକ ୨୪ ସଟ୍‌ର ରାଲି ଦେଖିବାକୁ ମିଳିଥିଲା। ସ୍କୋର୍‌ ୧-୧ ହେବା ପରେ ନିର୍ଣ୍ଣାୟକ ୩ୟ ଗେମ୍‌ରେ ଓକୁହାରା ୪-୧ରେ ଆଗୁଆ ହୋଇ ଯାଇଥିଲେ। ତେବେ ସିନ୍ଧୁ ଲଢ଼ୁଆ ପ୍ରଦର୍ଶନ କରି ମ୍ୟାଚ୍‌କୁ ଫେରିଥିଲେ ଏବଂ ୧୬-୧୩ ଓ ୧୮-୧୬ରେ ଆଗୁଆ ରହିଥିଲେ। ତେବେ ଓକୁହାରା ସ୍କୋର୍‌କୁ ୧୮-୧୮ କରି ଦେଇଥିଲେ। ତେବେ ସିନ୍ଧୁ କ୍ରମାଗତ ୩ ପଏଣ୍ଟ ଜିତି ମ୍ୟାଚ୍‌କୁ ଜିତି ନେଇଥିଲେ। ଏହି ବିଜୟ ସହ ସିନ୍ଧୁ ଓ ଓକୁହାରାଙ୍କ ମଧ୍ୟରେ ମୁକାବିଲା ୫-୫ ସ୍ଥିତିରେ ପହଞ୍ଚିଛି।

Leave A Reply