ଅନ୍ଧାରି ବିଜେର ନାୟକ

0

ନିର୍ବାଚନରେ ପ୍ରାର୍ଥୀଙ୍କ ଲୋକପ୍ରିୟତା, ଜନସମ୍ପର୍କ ଓ ଭାବମୂର୍ତ୍ତି ବ୍ୟତୀତ ଅନ୍ୟ ଯେଉଁ କାରକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସୁଛି ତାହାର ଚିତ୍ର ଓ ଚରିତ୍ର ସମ୍ପର୍କରେ ଭାରତର ଭୋଟଦାତା ଅଛପା ନୁହନ୍ତି। ନିର୍ବାଚନୀ ଶବ୍ଦକୋଷରେ ନୂତନ ଭାବେ ସ୍ଥାନ ପାଇଥିବା ‘ଅନ୍ଧାରି ବିଜେ’ର ନାୟକ ଭାବେ ପରିଚିତ ଏହି କାରକର ସଦ୍ୟତମ ଆତ୍ମପ୍ରକାଶ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଘଟିଛି ବୋଲି କୁହାଯାଇପାରେ। କଟକରୁ ଛତିଶଗଡ଼ ଦେଇ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ଏହି ନାୟକର ଆକାର ହେଉଛି ୧୧ କୋଟି ଟଙ୍କା। ଏତେ ପରିମାଣର ଟଙ୍କା ଚାଲାଣର ଉଦ୍ଦେଶ୍ୟ ଓ ଉତ୍ସ ସମ୍ପର୍କରେ ପୁଲିସ ଏ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚି ପାରିନାହିଁ। ତଦନ୍ତ ପରେ ଯଦି ଏହି ଟଙ୍କା ଅନ୍ଧାରି ବିଜେ(ଭୋଟଦାନ ପୂର୍ବ ରାତି) ବା ରାଜନୀତିରେ ଭୋଟ କିଣିବା ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼େ ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଘଟଣା ଓଡ଼ିଶା ପାଇଁ ଏକ ଅଲୋଡ଼ା ରେକର୍ଡ ସ୍ଥାପନ କରିବ।
ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ଭାରତର ମୁଖ୍ୟ ନିର୍ବାଚନ ଆୟୋଗ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ଏହି ସୀମା ବହିର୍ଭୂତ ଖର୍ଚ୍ଚ ପାଇଁ ସମ୍ପୃକ୍ତ ପ୍ରାର୍ଥୀ ଆୟୋଗଙ୍କ ନିକଟରେ ଉତ୍ତରଦାୟୀ ରହିବେ; କିନ୍ତୁ ଏହି ନିୟମର ଯେ ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି ତାହା ଅଛପା ନୁହେଁ। ବିଶେଷତଃ ଭୋଟ କିଣା ବା ‘ଭୋଟ ବଦଳରେ ନୋଟ୍‌’ ଲାଗି ପ୍ରାର୍ଥୀମାନେ ବିପୁଳ ଅବୈଧ ଟଙ୍କା ଖର୍ଚ୍ଚ କରୁଥିବା ନିର୍ବାଚନ ଆୟୋଗ ଅବଗତ ଥିଲେ ସୁଦ୍ଧା ‘ଅନ୍ଧାରି ବିଜେ’ ନାୟକଙ୍କ ଉପସ୍ଥିତିକୁ ଏଡ଼ାଇ ଦିଆଯାଇ ପାରୁନାହିଁ।
୨୦୧୪ ମେ’ ମାସରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ‘ଅନ୍ଧାରି ବିଜେ’ ତାଲିକାର ଶୀର୍ଷରେ ରହିଛି ଆନ୍ଧ୍ରପ୍ରଦେଶ। ଷୋଡ଼ଶ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ନିର୍ବାଚନ ପର୍ଯ୍ୟନ୍ତ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଟିମ୍‌ ବା ଫ୍ଲାଇଂ ସ୍କ୍ୱାଡ୍‌ କେବଳ ଆନ୍ଧ୍ରପ୍ରଦେଶରୁ ଚୋରା ଚାଲାଣ ହେଉଥିବା ୧୫୩ କୋଟି ଟଙ୍କା ଜବତ କରିଥିଲେ। ତାଲିକାରେ ଆନ୍ଧ୍ରପ୍ରଦେଶ ପଛକୁ ଯଥାକ୍ରମେ କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଉତ୍ତରପ୍ରଦେଶ ସ୍ଥାନ ପାଇଥିଲା। ଏହି ପାଞ୍ଚ ରାଜ୍ୟ ସମେତ ଅନ୍ୟାନ୍ୟ ରାଜ୍ୟରୁ ଫ୍ଲାଇଂ ସ୍କ୍ୱାଡ ଜବତ କରିଥିବା ଅବୈଧ ଚାଲାଣର ପରିମାଣ ଥିଲା ୩୧୩ କୋଟି ୩୧ ଲକ୍ଷ ୭୬ ହଜାର ୮୬୮ ଟଙ୍କା। ଏହା କେବଳ ସରକାରୀ ତଥ୍ୟ ବା ବିଧିବଦ୍ଧ ଭାବେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ। ଏହି ଅବୈଧ ଚୋରାଚାଲାଣ ହେଉଥିବା ଟଙ୍କାର ପରିମାଣ ଯେ ଏହାଠାରୁ ଆହୁରି ଅଧିକ ଓ ବିପୁଳ ହୋଇପାରେ ତାହା ଅସ୍ୱୀକାର କରିହେବ ନାହିଁ। ଚଢ଼ଉ ସମୟରେ ଧରାପଡ଼ିଥିବା ମଦ ଓ ଅନ୍ୟାନ୍ୟ ନିଷିଦ୍ଧ ନିଶା ସାମଗ୍ରୀକୁ ଯଦି ତାଲିକାଭୁକ୍ତ କରାଯାଏ ତେବେ ‘ଅନ୍ଧାରି ବିଜେ’ ନାୟକର ଆକାର ଓ ସ୍ୱରୂପ ଆହୁରି ବିରାଟ ହେବ।
ଆୟୋଗ ପକ୍ଷରୁ ପ୍ରଦତ୍ତ ଆଉ ଏକ ତଥ୍ୟ ଅନୁଯାୟୀ ୨୦୧୪ ନିର୍ବାଚନ ସମୟରେ ଆନ୍ଧ୍ର ପ୍ରଦେଶରୁ ସର୍ବାଧିକ ୧.୪୪ କୋଟି ଲିଟର ମଦ ଜବତ ହୋଇଥିଲା ବେଳେ ପଞ୍ଜାବରୁ ୧୧.୫୦ ଲକ୍ଷ ଲିଟର, ଗୁଜରାଟରୁ ୧୧.୩୨ ଲକ୍ଷ ଲିଟର, ପଶ୍ଚିମବଙ୍ଗରୁ ୮.୪୬ ଲକ୍ଷ ଲିଟର, ଉତ୍ତରପ୍ରଦେଶରୁ ୭.୨୫ ଲକ୍ଷ ଲିଟର ମଦ ଜବତ ହୋଇଥିଲା। ନିର୍ବାଚନ ତାରିଖ ଘୋଷଣା ଓ ନିର୍ବାଚନ ପର୍ଯ୍ୟନ୍ତ ସମଗ୍ର ଦେଶରୁ ମୋଟ ୨ କୋଟି ୨୫ ଲକ୍ଷ ୬୭ ହଜାର ୪୭୬ ଲିଟର ମଦ ଜବତ ହୋଇଥିଲା। ସେହିପରି ସମଗ୍ର ଦେଶରୁ ଜବତ ହୋଇଥିବା ୧.୮୫ ଲକ୍ଷ କେଜି ଡ୍ରଗ୍ସରୁ ପଞ୍ଜାବର ଭାଗ ଥିଲା ୧ ଲକ୍ଷ ୩୯ ହଜାର କେଜି, ଉତ୍ତରପ୍ରଦେଶର ୨୪ ହଜାର ୮୮୧ କେଜି ଓ ରାଜସ୍ଥାନର ୧୦ ହଜାର ୨୬୬ କେଜି। ଚୋରା ଚାଲାଣ ଅଭିଯୋଗରେ ସମଗ୍ର ଦେଶରେ ୭୫, ୩୦୬ଟି ମାମଲା ରୁୁଜୁ ହୋଇଥିଲା।
ଉପରୋକ୍ତ ପରିସଂଖ୍ୟାନ ଓ ସୂଚନା ପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ସବୁ ସମସ୍ତେ ଜାଣି ମଧ୍ୟ ଏହାର ନିରାକରଣ ଦିଗରେ ପଦକ୍ଷେପ ନିଆଯାଇପାରୁନି କାହିଁକି। ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଶତତ ଚେଷ୍ଟିତ ମୁଖ୍ୟ ନିର୍ବାଚନ ଆୟୋଗ ଏ ସମ୍ପର୍କରେ କ’ଣ ଉଦ୍ୟମ କରିଛନ୍ତି? ଏ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ପି ରାୱତ ଦେଇଥିବା ମତ ପ୍ରଣିଧାନଯୋଗ୍ୟ। ଗତବର୍ଷ ସେପ୍ଟେମ୍ବର ମାସରେ ‘ଭାରତର ନିର୍ବାଚନୀ ଗଣତନ୍ତ୍ରର ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ର ଅବସରରେ ଶ୍ରୀ ରାୱତ କହିଥିଲେ ଯେ ଅବାଧ ନିର୍ବାଚନ ପରିଚାଳନା ପାଇଁ କଳା ଟଙ୍କା ବାଧକ ହେଉଥିଲାବେଳେ ଏହି କାରବାର ରୋକିବାକୁ ଉଦ୍ଦିଷ୍ଟ ଆଇନ ପର୍ଯ୍ୟାପ୍ତ ନୁହେଁ।
ନୀତି ନିର୍ଦ୍ଧାରକମାନେ ଏ ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ। ୨୦୧୯ ଆସନ୍ନ ନିର୍ବାଚନ ପୂର୍ବରୁ ଏ ଦିଗରେ ଯେ କୌଣସି ପ୍ରଭାବଶାଳୀ ଆଇନ ପ୍ରଣୟନ ଓ କାର୍ଯ୍ୟକାରୀ ହୋଇପାରିବ ସେ ଆଶା ବୃଥା। ଆପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାସନ୍ଦ କରିବା ପାଇଁ ଅରାଜି ନୀତି ନିର୍ଦ୍ଧାରକମାନେ ନିର୍ବାଚନରେ କଳାଟଙ୍କା ରୋକିବାକୁ କେତେ ତତ୍ପର ହେ‌େ‌ବ ତାହା ଆଉ ଏକ ପ୍ରଶ୍ନ। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପବିତ୍ରତା ଓ ମୌଳିକ ଲକ୍ଷ୍ୟ ବଜାୟ ରଖିବା ପାଇଁ ନିର୍ବାଚନକୁ ସ୍ୱଚ୍ଛ କରିବା ବିଧେୟ। ଏ ଦିଗରେ ଯେତେ ଶୀଘ୍ର ପଦକ୍ଷେପ ନିଆଯିବ ତାହା ନିର୍ବାଚନ, ଗଣତନ୍ତ୍ର ଓ ସର୍ବୋପରି ରାଷ୍ଟ୍ର ପାଇଁ ମଙ୍ଗଳପ୍ରଦ।

Leave A Reply