ବାୟୁ ସେନା ଓ ନୌସେନା ମୁଖ୍ୟଙ୍କୁ ଜେଡ୍‌ ପ୍ଲସ୍ ସୁରକ୍ଷା

0

ନୂଆଦିଲ୍ଲୀ : ଭାରତର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିଏସ୍ ଧାନୱା ଓ ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ମଙ୍ଗଳବାର ପାକିସ୍ତାନ ଆତଙ୍କବାଦୀ ଶିବିର ଉପରେ ଭାରତ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକ କରିବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ଦୁଇ ସେନାମୁଖ୍ୟଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସମୟରେ ବାୟୁସେନା ଓ ନୌସେନା ମୁଖ୍ୟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଇ ନାହିଁ। ଏମାନଙ୍କୁ ନିଜ ନିଜ ବାହିନୀର କମାଣ୍ଡୋମାନେ ସୁରକ୍ଷା ଦେଇଥାନ୍ତି। ଶୁକ୍ରବାର ଗୁଇନ୍ଦା ବ୍ୟୁରୋ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧିକାରୀଙ୍କ ବୈଠକରେ ଦୁଇ ସେନାମୁଖ୍ୟଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବକୁ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି। ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ଦୁଇ ସେନାମୁଖ୍ୟଙ୍କୁ ୩୬ଜଣ ଅର୍ଦ୍ଧସାମରିକ ଯବାନ ୨୪ଘଣ୍ଟିଆ ସୁରକ୍ଷା ଦେବେ। ଜେଡ୍ ପ୍ଲସ ସୁରକ୍ଷା ପାଇଁ ଏନଏସଜି, ସିଆରପିଏଫ୍ କିମ୍ବା ସିଆଇଏସଏଫ୍ କମାଣ୍ଡୋ ନିୟୋଜିତ ହୋଇଥାନ୍ତି।

Leave A Reply