ବିଶ୍ୱଶାନ୍ତି ଓ ସ୍ୱାସ୍ଥ୍ୟ ପାଇଁ ‘ଯୋଗ’ ଭାରତର ଶ୍ରେଷ୍ଠ ଉପହାର : ମୋଦୀ

0

ବୋଏନସ୍‍ ଏୟାରେସ୍‍ : ଶାନ୍ତି ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ ହେଉଛି ବିଶ୍ୱକୁ ଭାରତର ଉପହାର। ଏହି ପ୍ରାଚୀନ ଭାରତୀୟ ଅଭ୍ୟାସ ସାମଗ୍ରିକ ସୁସ୍ଥତା କ୍ଷେତ୍ରରେ ଅନବଦ୍ୟ ଅବଦାନ ରଖିଆସିଛି। ଏହା ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ରହିଥିବା ବିଶାଳ ଦୂରତାକୁ ମଧ୍ୟ ସଂଯୁକ୍ତ କରୁଛି। ଯୋଗ ସମସ୍ତଙ୍କୁ ସୁଖ ଶାନ୍ତିରେ ବାନ୍ଧି ରଖିଥାଏ। ବୋଏନସ୍‍ ଏୟାରେସ୍‍ଠାରେ ଯୋଗ ସର୍ମ୍ପରେ ଆୟୋଜିତ ‘ଶାନ୍ତି ପାଇଁ ଯୋଗ’ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆର୍ଜେଟିନାର ଏହି ସହରରେ ଉପସ୍ଥିତ ଅଛନ୍ତି। ମୋଦୀ ଉପସ୍ଥିତ ଜନତାଙ୍କୁ ହିନ୍ଦୀରେ ଉଦ୍‍ବୋଧନ ଦେଇ କହିଥିଲେ ଯେ ୨୪ଘଣ୍ଟା କାଳ ବିମାନରେ ବସି ୧୫ହଜାର କିଲୋମିଟର ଦୂର ଏହି ଦେଶରେ ପହଞ୍ଚିଥିଲେ ମଧ୍ୟ ସେ ଭାରତ ବାହାରେଥିବା ଅନୁଭବ କରୁନାହାନ୍ତି। ଉଭୟ ଦେଶର ଜନତାଙ୍କ ମଧ୍ୟରେ କଳା, ସଂସ୍କୃତି ଓ ଫୁଟବଲ୍‍ ଖେଳାଳି ମାରାଡୋନାଙ୍କୁ ନେଇ ଅପୂର୍ବ ଯୋଗସୂତ୍ର ରହିଛି ବୋଲି ସେ କହିଥିଲେ। ଏହି ଅବସରରେ ଓଡ଼ିଶାରେ ହେଉଥିବା ହକି ବିଶ୍ୱକପ୍‍ରେ ଆର୍ଜେଣ୍ଟିନା ଦଳ ପ୍ରଥମ ବିଜୟ ହାସଲ କରିଥିବାରୁ ସେ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ଏହି ଦେଶ ଜି-୨୦ ସମ୍ମିଳନୀ ଆୟୋଜନ କରିଥିବାରୁ ମଧ୍ୟ ସେ ବଧାଇ ଜଣାଇଥିଲେ।
ବିଶ୍ୱ ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ, ଆର୍ଥିକ ଅବସ୍ଥା, ବିକାଶ ସମ୍ପର୍କିତ ସମସ୍ୟା ଦେଇ ଗତି କରୁଥିବାବେଳେ ତ୍ରୟୋଦଶ ଜି-୨୦ ସମ୍ମିଳନୀରେ ଏ ସମ୍ପର୍କରେ ଆଲୋଚନା ହେବାର ରହିଛି। ଏଥିରେ ବିଶ୍ୱର ସମସ୍ତ ରାଷ୍ଟ୍ର ସହିତ ଉଭୟ ଭାରତ ଓ ଆର୍ଜେଣ୍ଟିନାର ସ୍ୱାର୍ଥ ନିହିତ ରହିଛି ବୋଲି ମୋଦୀ କହିଥିଲେ। ଏହି ଅବସରରେ ସେ ଜାତିସଙ୍ଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ବିଶ୍ୱରେ ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ସମାଧାନ କ୍ଷେତ୍ରରେ ଭାରତର ଭୂମିକା ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ। ପୁନଶ୍ଚ ମୋଦୀ ସାଉଦିଆରବ ରାଜକୁମାର ମହମ୍ମଦ ବିନ୍‍ ସଲମାନଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ। ଆର୍ଥିକ, ସାଂସ୍କୃତିକ, ଶକ୍ତି, ପ୍ରଯୁକ୍ତି, ଖାଦ୍ୟ ସୁରକ୍ଷା ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ପ୍ରକାଶ। ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ସାଉଦି ଆରବ ମଧ୍ୟରେ ସହଯୋଗ ବୃଦ୍ଧି ପାଇଥିବା ନେଇ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ସୂଚନା ଦେଇଛନ୍ତି।
ଏହି ଦୁଇ ଦିନିଆ ସମ୍ମିଳନୀରେ ମୋଦୀଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜାପାନ ପ୍ରଧାନମନ୍ତ୍ରୀ ସିନ୍‍ଜୋ ଆବେଙ୍କ ସହିତ ତ୍ରିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହି ଆଲୋଚନାରେ ଭାରତ ମହାସାଗରରେ ଚୀନ୍‍ର ଦାଦାଗିରି ପ୍ରସଙ୍ଗ ଉତ୍ଥାପନ ହେବ। ପୂର୍ବରୁ ଏହି ପ୍ରସଙ୍ଗରେ ଟ୍ରମ୍ପ ଓ ଆବେଙ୍କ ମଧ୍ୟରେ ଆଲୋଚନା ହୋଇଥିଲାବେଳେ ଏଥିରେ ପ୍ରଥମ ଥର ପାଇଁ ଭାରତକୁ ସାମିଲ କରାଯାଇଛି। ହ୍ୱାଇଟ ହାଉସ୍‍ ଗଣମାଧ୍ୟମ ସଚିବସାରା ସାଣ୍ଡର୍ସଙ୍କ ସୂଚନାନୁଯାୟୀ, ଏହି ତ୍ରିପାକ୍ଷିକ ବୈଠକରେ ଭାରତକୁ ସାମିଲ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାବ୍ୟତୀତ ସମ୍ମିଳନୀ ଅବସରରେ ମୋଦୀ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ୍‍ ଓ ଜର୍ମାନୀ ଚାନ୍‍ସେଲର ଆଞ୍ଜେଲଶ ମର୍କେଲଙ୍କ ସହିତ ମଧ୍ୟ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

Leave A Reply