ଭାରତୀୟ ଅଭିଯାନର ନେତୃତ୍ୱ ନେବେ ସିନ୍ଧୁ ଓ ଶ୍ରୀକାନ୍ତ

0

ବେଜିଂ  : ସୋମବାରଠାରୁ ଚୀନର ନାନ୍‍ଜିଙ୍ଗ୍‍ଠାରେ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ ଆରମ୍ଭ ହେବାକୁ ଯାଉଛି। ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଅଭିଯାନର ନେତୃତ୍ୱ ନେଉଛନ୍ତି। ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ମହିଳା ଖେଳାଳି ସିନ୍ଧୁଙ୍କ ବିଶ୍ୱ ଚମ୍ପିଆନସିପ୍‍ ରେକର୍ଡ ବେଶ ସନ୍ତୋଷଜନକ। ସିନ୍ଧୁ ୨୦୧୩ ଓ ୨୦୧୪ରେ ଏହି ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜପଦକ ଜିତିଥିବାବେଳେ ୨୦୧୭ରେ ରୌପ୍ୟପଦକ ହାସଲ କରିଥିଲେ। ଗତବର୍ଷ ଗ୍ଲାସଗୋରେ ଆୟୋଜିତ ବିଶ୍ୱ ଚମ୍ପିଆନସିପ୍‍ ଫାଇନାଲରେ ସିନ୍ଧୁଙ୍କୁ ପରାସ୍ତ କରି ଜାପାନର ନୋଜୋମି ଓକୁହାରା ସ୍ୱର୍ଣ୍ଣପଦକ ଜିତିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ମାରାଥନ ମ୍ୟାଚରେ ଓକୁହାରା ୨୧-୧୯, ୨୦-୨୨ ଓ ୨୨-୨୦ ଗେମରେ ସିନ୍ଧୁଙ୍କୁ ହରାଇଥିଲେ।
୨୩ ବର୍ଷୀୟା ସିନ୍ଧୁ ୨୦୧୭ରେ ୬ଟି ମୁଖ୍ୟ ଟୁର୍ଣ୍ଣାମେଣ୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲେ। ଏଥିମଧ୍ୟରୁ ସେ ଇଣ୍ଡିଆ ଓପନ, କୋରିଆ ଓପନ ଓ ସୟଦ ମୋଦି ଇଣ୍ଟରନ୍ୟାସନାଲରେ ଚମ୍ପିଆନ ହୋଇଥିବାବେଳେ ବିଶ୍ୱ ଚମ୍ପିଆନସିପ୍‍, ଦୁବାଇ ଓ ହଂକଂ ସୁପର ସିରିଜରେ ରନର୍ସଅପ୍‍ ହୋଇଥିଲେ। ଚଳିତବର୍ଷ ସିନ୍ଧୁ ଇଣ୍ଡିଆ ଓପନ, ରାଜ୍ୟଗୋଷ୍ଠୀ କ୍ରୀଡା ଓ ଥାଇଲାଣ୍ଡ ଓପନରେ ଫାଇନାଲକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ଚମ୍ପିଆନ ହୋଇପାରିନାହାନ୍ତି। ତେଣୁ ଏହି ବିଫଳତାକୁ ପଛରେ ପକାଇ ପୁଣି ଥରେ ଚମ୍ପିଆନ ହେବାକୁ ସିନ୍ଧୁ ସଙ୍କଳ୍ପବଦ୍ଧ ବୋଲି କହିଛନ୍ତି। ସିନ୍ଧୁଙ୍କ ବ୍ୟତୀତ ବିଶ୍ୱର ୧୦ ନମ୍ବର ଖେଳାଳି ସାଇନା ନେହୱାଲ ମଧ୍ୟ ବିଶ୍ୱ ଚମ୍ପିଆନସିପ୍‍ରେ ଅଂଶଗ୍ରହଣ କରୁଛନ୍ତି। ସାଇନା ୨୦୧୫ରେ ରୌପ୍ୟ ଓ ୨୦୧୭ରେ ବ୍ରୋଞ୍ଜପଦକ ଜିତିଥିଲେ। ତେବେ ବିଶ୍ୱ ଚମ୍ପିଆନସିପ୍‍ରେ ସିନ୍ଧୁ ଓ ସାଇନାଙ୍କ ବିଜୟ ଅଭିଯାନରେ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି ବିଶ୍ୱର ୧ ନମ୍ବର ଖେଳାଳି ଚାଇନିଜ୍‍ ତାଇପେର ତାଇ ଜୁ ୟିଙ୍ଗ୍‍, ଜାପାନର ଆକାନେ ୟାମାଗୁଚି, ଥାଇଲାଣ୍ଡର ରାତ୍‍ଚାନୋକ୍‍ ଇନ୍ତାନନ୍‍, ଚୀନର ଚେନ୍‍ ୟୁଫେଇ, କୋରିଆର ସୁଙ୍ଗ୍‍ ଜୁ ହ୍ୟୁନ୍‍ ଓ ସ୍ପେନର କ୍ୟାରୋଲିନା ମାରିନ। ମହିଳା ସିଙ୍ଗଲ୍‍ସରେ ସିନ୍ଧୁଙ୍କୁ ୩ୟ ଓ ସାଇନାଙ୍କୁ ୧୦ମ ସିଡ୍‍ ମାନ୍ୟତା ମିଳିଛି।
ପ୍ରାରମ୍ଭିକ ରାଉଣ୍ଡରେ କୌଣସି ଅଘଟଣ ନ ଘଟିଲେ ସିନ୍ଧୁ ୩ୟ ରାଉଣ୍ଡରେ କୋରିଆର ସୁଙ୍ଗ୍‍ ଜି ହ୍ୟୁନ୍‍ଙ୍କୁ ଓ କ୍ୱାର୍ଟର ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନୋଜୋମି ଓକୁହାରାଙ୍କୁ ଭେଟିବେ। ଅପରପକ୍ଷରେ ସାଇନା ୩ୟ ରାଉଣ୍ଡରେ ରାତ୍‍ଚାନୋକ୍‍ଙ୍କୁ ଓ କ୍ୱାର୍ଟର ଫାଇନାଲରେ ମାରିନଙ୍କୁ ଭେଟିବାର ସମ୍ଭାବନା ରହିଛି। ବିଶ୍ୱ ଚମ୍ପିଆନସିପ୍‍ର ପୁରୁଷ ସିଙ୍ଗଲ୍‍ସରେ ଭାରତରୁ କିଦାମ୍ବି ଶ୍ରୀକାନ୍ତ, ଏଚ.ଏସ.ପ୍ରଣୟ, ସମୀର ବର୍ମା ଓ ସାଇ ପ୍ରଣିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ଆୟରଲାଣ୍ଡର ଏନ୍‍ହଟ୍‍ ଏନ୍‍ଗ୍ୟୁଏନଙ୍କୁ ଭେଟୁଥିବାବେଳେ ପ୍ରଣୟ ଅଷ୍ଟ୍ରେଲିଆର ଅଭିନବ ମାନୋଟାଙ୍କୁ, ସମୀର ଫ୍ରାନ୍‍ସର ଲୁକାସ କୋର୍ଭିଙ୍କୁ ଓ ସାଇପ୍ରଣିତ ସ୍ପେନର ଏନ୍‍ରିକ୍‍ ପେନାଲଭରଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍‍ସରେ ଶ୍ରୀକାନ୍ତଙ୍କୁ ୫ମ ସିଡ୍‍ ମାନ୍ୟତା ମିଳିଥିବାବେଳେ ପ୍ରଣୟଙ୍କୁ ୧୧ଶ ସିଡ୍‍ ମିଳିଲା। ପୁରୁଷ ଡବଲ୍‍ସରେ ସ୍ୱସ୍ତିକସାଇରାଜ-ଚିରାଗ ସେଟ୍ଟି, ମନୁ ଅତ୍ରି-ସୁମିତ ରେଡ୍ଡି, ମହିଳା ଡବଲ୍‍ସରେ ଅଶ୍ୱିନୀ ପୋନାପ୍ପା-ସିକ୍କି ରେଡ୍ଡି, ମିକ୍ସଡ ଡବଲ୍‍ସରେ ଅଶ୍ୱିନୀ-ସ୍ୱସ୍ତିକସାଇରାଜ, ସିକ୍କି ରେଡ୍ଡି-ପ୍ରଣବ ଚୋପ୍ରା ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି।

Leave A Reply