ବିଶ୍ୱ ଚେସ୍‍: କାର୍ଲସେନ ଚମ୍ପିଆନ

0

ଲଣ୍ଡନ : ନରୱେର ମ୍ୟାଗନସ କାର୍ଲସେନ ଏଠାରେ ଚାଲିଥିବା ବିଶ୍ୱ ଚେସ୍‍ ଚମ୍ପଆନସିପ୍‍ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ଏହି ମୁକାବିଲାରେ କାର୍ଲସେନ ତାଙ୍କର ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀ ଫାବିୟାନୋ କାରୁଆନାଙ୍କୁ ଟାଇବ୍ରେକର ଜରିଆରେ ପରାସ୍ତ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ନିୟମ ଅନୁଯାୟୀ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ୧୨ଟି ଗେମ ଖେଳାଯାଇଥିଲା। ତେବେ ସବୁ ଗେମ ଅମୀମାଂସିତ ରହିବା ଫଳରେ ବିଜେତା ଘୋଷଣା ପାଇଁ ଟାଇବ୍ରେକରର ସହାୟତା ନିଆଯାଇଥିଲା। ଟାଇବ୍ରେକର ପର୍ଯ୍ୟାୟରେ ଖେଳାଯାଇଥିବା ୩ଟି ର‍୍ୟାପିଡ୍‍ ଫାୟାର ଗେମରେ କାର୍ଲସେନ ବିଜୟୀ ହୋଇଥିଲେ। ୨୭ ବର୍ଷୀୟ କାର୍ଲସେନ ଏଥରକୁ ମିଶାଇ କ୍ରମାଗତ ଚତୁର୍ଥ ଥର ପାଇଁ ବିଶ୍ୱ ଚେସ ଚମ୍ପିଆନସିପ୍‍ ଟାଇଟଲ ବଜାୟ ରଖିଛନ୍ତି। ୨୦୧୩ ଓ ୨୦୧୪ ବିଶ୍ୱ ଚମ୍ପିଆନସିପ୍‍ରେ ସେ ଭାରତର ବିଶ୍ୱନାଥନ ଆନନ୍ଦଙ୍କୁ ପରାସ୍ତ କରିଥିବାବେଳେ ୨୦୧୬ରେ ରୁଷ ଗ୍ରାଣ୍ଡମାଷ୍ଟର ସର୍ଗେଇ କାର୍ଜାକିନ୍‍ଙ୍କୁ ହରାଇଥିଲେ। ଅପରପକ୍ଷରେ କାରୁଆନାଙ୍କ ପରାଜୟ ଫଳରେ ଆମେରିକାର ଚେସ୍‍ପ୍ରେମୀ ନିରାଶ ହୋଇପଡିଛନ୍ତି। ୧୯୭୨ରେ ରୁଷର (ତତ୍କାଳୀନ ସୋଭିଏତ୍‍ ସଂଘ) ବୋରିସ ସ୍ପାସ୍‍କିଙ୍କୁ ପରାସ୍ତ କରି ଆମେରିକାର ବବି ଫିସର ବିଶ୍ୱ ଚେସ ଚମ୍ପିଆନ ହୋଇଥିଲେ। ଦୀର୍ଘ ୪୬ ବର୍ଷ ପରେ ଆମେରିକୀୟ ଖେଳାଳି ପୁଣି ଚମ୍ପିଆନ ହେବେ ବୋଲି ଯାହା ଆଶା କରାଯାଉଥିଲା ତାହା ବାସ୍ତବରେ ପରିଣତ ହୋଇପାରିନାହିଁ।

Leave A Reply