ମହିଳା ଟି-୨୦ ବିଶ୍ୱକପ୍ : ଭାରତ-ଆୟରଲାଣ୍ଡ ମୁକାବିଲା ଆଜି

0

ଗୁଏନା : ଆଇସିସି ମହିଳା ଟି-୨୦ ବିଶ୍ୱକପରେ  ଗୁରୁବାର ଭାରତର ମୁକାବିଲା ଆୟର୍ଲାଣ୍ଡ ସହ ହେବ। ଗ୍ରୁପ୍‍ ବି’ର ଏହି ମ୍ୟାଚ୍‍ ଜିତି ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ଭାରତୀୟ ଦଳ ପୂର୍ବରୁ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଛି। ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହୋଇଥିବାରୁ ଅପେକ୍ଷାକୃତ ଦୁର୍ବଳ ଆୟର୍ଲାଣ୍ଡକୁ ସହଜରେ ପରାସ୍ତ କରିବ ବୋଲି ଆଶା ରହିଛି। ଅନ୍ୟପକ୍ଷରେ ଆୟର୍ଲାଣ୍ଡ ଅଷ୍ଟ୍ରେଲିଆ ଓ ପାକିସ୍ତାନ ଠାରୁ ପରାସ୍ତ ହୋଇସାରିଛି। ଭାରତୀୟ ଦଳର ଅଧିନାୟିକା ହରମନ୍‍ପ୍ରୀତ କୌର୍‍ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ  ଶତକ ହାସଲ କରିଥିବାରୁ ସେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‍ରେ ବଡ଼ ସ୍କୋର କରିବେ ବୋଲି ଆଶା ରହିଛି। ଆର୍ୟଲାଣ୍ଡ ବିପକ୍ଷରେ ଭାରତକୁ ଫେଭରେଟ୍‍ ବୋଲି ବିଚାର କରାଯାଉଥିଲେ ମଧ୍ୟ ଏହି ମ୍ୟାଚ୍‍କୁ ହାଲୁକା ଭାବେ ଗ୍ରହଣ କରିବା ଭାରତ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।
ପାକିସ୍ତାନ ବିପକ୍ଷ ମ୍ୟାଚରେ ବରିଷ୍ଠ ଖେଳାଳି ମିତାଲି ରାଜ୍‍ ଭଲ ପ୍ରଦର୍ଶନ କରିଥିବାରୁ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କ ଠାରୁ ସମାନପ୍ରକାର ପ୍ରଦର୍ଶନ ଆଶା କରିବ ଭାରତ। ଆୟର୍ଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ସ୍ମୃତି ମାନ୍ଧାନା ଓ ବେଦା କ୍ରିଷ୍ଣମୂର୍ତ୍ତି ନିଶ୍ଚିତ ଭାବେ ପ୍ରୟାସ କରିବେ। ଭାରତୀୟ ଅଫ୍‍ସ୍ପିନର ହେମଲତା ଓ ଲେଗ୍‍ ସ୍ପିନର ପୁନମ ଯାଦବ ମିଳିତ ଭାବେ ଗତ ଦୁଇଟି ମ୍ୟାଚ୍‍ରୁ ୧୦ଟି ୱିକେଟ୍‍ ଅକ୍ତିଆର କରିଥିବାରୁ ଆୟର୍ଲାଣ୍ଡ ବିପକ୍ଷରେ ଏହି ଦୁଇ ବୋଲର ନିଜ ପ୍ରଦର୍ଶନ ବଳରେ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

Leave A Reply