ଭାରତକୁ ହରାଇ କ୍ୱାର୍ଟରରେ ଆୟରଲାଣ୍ଡ

0

ଲଣ୍ଡନ : ଭାରତ ଏଠାରେ ଚାଲିଥିବା ମହିଳା ବିଶ୍ୱକପ ହକି ପ୍ରତିଯୋଗିତାର ଦ୍ୱିତୀୟ ଲିଗ୍‍ ମ୍ୟାଚରେ ପରାଜୟ ବରଣ କରିଛି। ଗୁରୁବାର ଖେଳାଯାଇଥିବା ପୁଲ-ବି’ର ଏହି ମ୍ୟାଚରେ ଆୟରଲାଣ୍ଡ ୧-୦ ଗୋଲରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଆୟରଲାଣ୍ଡ ଦୁଇଟି ମ୍ୟାଚରୁ ୬ ପଏଣ୍ଟ ପାଇ ଏହି ଗ୍ରୁପ୍‍ର ପ୍ରଥମ ଦଳଭାବେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଅପରପକ୍ଷରେ ଭାରତ ଦୁଇଟି ମ୍ୟାଚରୁ ୧ ପଏଣ୍ଟ ପାଇଥିବାବେଳେ ଆସନ୍ତା ୨୯ରେ ଶେଷ ଲିଗ୍‍ ମ୍ୟାଚରେ ଆମେରିକାକୁ ଭେଟିବ। ପରାଜୟ ସତ୍ତ୍ବେ କ୍ୱାର୍ଟର ଫାଇନାଲ ଆଶାକୁ ଉଜ୍ଜିବୀତ ରଖିବାକୁ ହେଲେ ଭାରତକୁ ତାହାର ଶେଷ ମ୍ୟାଚରେ ଆମେରିକାକୁ ପରାସ୍ତ କରିବାକୁ ପଡିବ। ଏହି ମ୍ୟାଚ ଜିତିଲେ ହିଁ ଭାରତ ପ୍ଲେଅଫ୍‍ ଖେଳିବ।
ପ୍ରଥମ ମ୍ୟାଚରେ ଆୟୋଜକ ଇଂଲଣ୍ଡ ସହ ମ୍ୟାଚ ଅମୀମାଂସିତ ରଖିଥିବା ଭାରତୀୟ ଦଳ ଏହି ମୁକାବିଲା ପ୍ରାରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା। ଭାରତୀୟ ଅଧିନାୟକ ରାଣୀ ରାମପାଲ ଏହି ଆକ୍ରମଣର ନେତୃତ୍ୱ ନେଇଥିବାବେଳେ ପ୍ରଥମ କ୍ୱାର୍ଟରର ୪ର୍ଥ ମିନିଟରେ ଭାରତକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଗୁରଜିତ କୌରଙ୍କ ସଟ୍‍କୁ ଆୟରଲାଣ୍ଡ ରକ୍ଷଣଭାଗ ଖେଳାଳି ଅଟକାଇବା ଫଳରେ ଭାରତ ଗୋଲଦେବା ସୁଯୋଗରୁ ବଞ୍ଚିତ ହୋଇଥିଲା। ୧୨ ମିନିଟରେ ପ୍ରତିଆକ୍ରମଣରୁ ଆୟରଲାଣ୍ଡ ପ୍ରଥମ ପେନାଲଟି କର୍ଣ୍ଣର ହାସଲ କରିଥିଲା। ଆନ୍‍ ଓ’ଫ୍ଲାନାଗାନ କୌଣସି ତ୍ରୁଟି ନ ଦର୍ଶାଇ ଏହାକୁ ଗୋଲରେ ପରିବର୍ତ୍ତନ କରିବା ସହ ଆୟରଲାଣ୍ଡକୁ ୧-୦ରେ ଆଗୁଆ କରିଥିଲେ। ୧୪ ମିନିଟରେ ଭାରତକୁ ୨ୟ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଗୁରଜିତ୍‍ଙ୍କ ସଟ୍‍କୁ ଆୟରଲାଣ୍ଡ ରକ୍ଷଣଭାଗ ଖେଳାଳି ପୁଣି ଥରେ ଅକାମୀ କରିଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରର ୧୮ ମିନିଟରେ ଭାରତୀୟ ଖେଳାଳି ସୁନିତା ଲାକ୍ରା ସବୁଜ କାର୍ଡ ପାଇ ପଡିଆରୁ ବିଦା ହୋଇଥିଲେ। ଫଳରେ ପରବର୍ତ୍ତୀ ପାଞ୍ଚ ମିନିଟ ପାଇଁ ଭାରତ ୧୦ ଜଣ ଖେଳାଳିରେ ଖେଳିଥିଲା। ୧୯ ମିନିଟରେ ଭାରତୀୟ ଡିଫେଣ୍ଡର ଦୀପଗ୍ରେସ ଏକ୍କାଙ୍କ ଗୋଡରେ ବଲ ବାଜିବାରୁ ଆୟରଲାଣ୍ଡକୁ ୨ୟ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଆୟରଲାଣ୍ଡ ଖେଳାଳିଙ୍କ ସଟ୍‍କୁ ଭାରତୀୟ ଗୋଲରକ୍ଷକ ସବିତା ଚମତ୍କାର ଭଙ୍ଗିରେ ଅଟକାଇଥିଲେ। ୨୫ ମିନିଟରେ ଭାରତ ୩ୟ ପେନାଲଟି କର୍ଣ୍ଣର ପାଇଥିଲା। ତେବେ ଗୁରଜିତଙ୍କ ସଟ୍‍କୁ ଆନ୍ନା ମାଥ୍ୟୁସ ଗୋଲଲାଇନ ଉପରେ ଅଟକାଇଥିଲେ। ୨୬ ମିନିଟରେ ଲିଲିମା ମିଞ୍ଜ୍‍ଙ୍କ ସଟ୍‍କୁ ଆୟରଲାଣ୍ଡ ଗୋଲରକ୍ଷକ ଅଟକାଇଥିଲେ। ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ଆୟରଲାଣ୍ଡ ସପକ୍ଷରେ ୧-୦ ରହିଥିଲା।
ବିରତି ପରେ ଭାରତୀୟ ଦଳ ଗୋଲ ପରିଶୋଧ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲା। ୩୮ ମିନିଟରେ ଭାରତକୁ ୪ର୍ଥ ପେନାଲଟି କର୍ଣ୍ଣର ମିଳିଥିଲା। ପୂର୍ବଥର ଭଳି ଏଥର ମଧ୍ୟ ଗୁରଜିତ କୌରଙ୍କ ସଟ୍‍କୁ ଆୟରଲାଣ୍ଡ ଗୋଲରକ୍ଷକ ଅଟକାଇବା ଫଳରେ ଭାରତର ଏହି ସୁଯୋଗ ହାତଛଡା ହୋଇଥିଲା। ୩୯ ମିନିଟରେ ମଧ୍ୟ ଭାରତ ୫ମ ପେନାଲଟି କର୍ଣ୍ଣରର ସଦୁପଯୋଗ କରିପାରିନଥିଲା। ଭାରତୀୟ ଫରୱାର୍ଡବାହିନୀ ଆୟରଲାଣ୍ଡ ଗୋଲ ଏରିଆ ଉପରେ ଚାପ ବଜାୟ ରଖିଥିଲା। ଫଳସ୍ୱରୂପ ୪୪ ମିନିଟରେ ଭାରତକୁ ୬ଷ୍ଠ ପେନାଲଟି କର୍ଣ୍ଣର ମିଳିଥିଲା। ତଥାପି ଭାରତୀୟ ଦଳ ଗୋଲ ପରିଶୋଧ କରିବାରେ ବିଫଳ ହୋଇଥିଲା। ଦୀପିକାଙ୍କ ରିଭର୍ସ ସଟ୍‍ ଆୟରଲାଣ୍ଡ ଗୋଲପୋଷ୍ଟ ବାହାରକୁ ଚାଲି ଯାଇଥିଲା। ଫଳରେ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଆୟରଲାଣ୍ଡ ୧-୦ରେ ଆଗୁଆ ରହିଥିଲା। ଚତୁର୍ଥ କ୍ୱାର୍ଟରର ୫୫ ମିନିଟରେ ଭାରତକୁ ୭ମ ପେନାଲଟି କର୍ଣ୍ଣର ମିଳିଥିଲା। ଏଥର ଗୁରଜିତଙ୍କ ପରିବର୍ତ୍ତେ ଦୀପଗ୍ରେସ ଏକ୍କା ସଟ୍‍ ମାରିଥିଲେ ସୁଦ୍ଧା ଏହା ଲକ୍ଷ୍ୟଭେଦ କରିପାରିନଥିଲା। ଅନ୍ତିମ ଲଗ୍ନରେ ରାଣୀ ରାମପାଲ ଗୋଲଦେବାର ସୁଯୋଗ ପାଇଥିଲେ ସୁଦ୍ଧା ତାଙ୍କର ଶକ୍ତିଶାଳୀ ସଟ୍‍ ଆୟରଲାଣ୍ଡ ଗୋଲରକ୍ଷକଙ୍କ ପ୍ୟାଡ୍‍ରେ ବାଜି ଫେରିଆସିଥିଲା।

Leave A Reply