ଡିଏସ୍‍ପି ଚାକିରି ହରାଇଲେ ହରମନପ୍ରୀତ

0

ଚଣ୍ଡିଗଡ : ଜାଲ୍‍ ସାର୍ଟିଫିକେଟ ଦାଖଲ କରିଥିବା କାରଣରୁ ଭାରତୀୟ ମହିଳା ଟ୍ୱେଣ୍ଟି୨୦ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କୁ ଡିଏସ୍‍ପି ଚାକିରି ହରାଇବାକୁ ପଡିଛି। ହରମନପ୍ରୀତଙ୍କର ସ୍ନାତକ ସାର୍ଟିଫିକେଟ ଜାଲ୍‍ ହୋଇଥିବାର ପ୍ରମାଣ ମିଳିବାପରେ ପଞ୍ଜାବ ସରକାର ମଙ୍ଗଳବାର ହରମନପ୍ରୀତଙ୍କୁ ଡିଏସ୍‍ପି ପଦରୁ ହଟାଇ ଦେଇଛନ୍ତି। ତେବେ ହରମନପ୍ରୀତ ଜାତୀୟ କ୍ରିକେଟ ଦଳକୁ ପ୍ରତିନିଧିତ୍ୱ କରୁଥିବାରୁ ରାଜ୍ୟ ସରକାର ତାଙ୍କ ପ୍ରତି କିଛିଟା ଅନୁକମ୍ପା ପ୍ରଦର୍ଶନ କରିଛନ୍ତି। ହରମନପ୍ରୀତ ଚାହିଁଲେ ପଞ୍ଜାବ ପୁଲିସରେ କନଷ୍ଟେବଳ ପଦରେ କାର୍ଯ୍ୟ କରିପାରିବେ ବୋଲି ବିଭାଗୀୟ ସୂତ୍ରରୁ କୁହାଯାଇଛି। ଯଦି ଭବିଷ୍ୟତରେ ସେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ହାସଲ କରିବେ ତାହାହେଲେ ନିୟମ ଅନୁଯାୟୀ ହରମନପ୍ରୀତଙ୍କୁ ପୁଣି ଡିଏସ୍‍ପି ପାହ୍ୟାରେ ନିଯୁକ୍ତି ମିଳିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ ହରମନପ୍ରୀତ ପୂର୍ବରୁ ଭାରତୀୟ ରେଳବାଇରେ କାର୍ଯ୍ୟରତ ଥିଲେ। ତେବେ ୨୦୧୭ରେ ମହିଳା ବିଶ୍ୱକପରେ ଉନ୍ନତ ପ୍ରଦର୍ଶନ କରିଥିବା କାରଣରୁ ପଞ୍ଜାବ ସରକାର ଚଳିତବର୍ଷ ମାର୍ଚ୍ଚରେ ସ୍ପୋର୍ଟସ କୋଟାରେ ହରମନପ୍ରୀତଙ୍କୁ ଡିଏସ୍‍ପି ପାହ୍ୟାରେ ନିଯୁକ୍ତି ଦେଇଥିଲେ। ଏଥିପାଇଁ ସେ ଉତ୍ତର ପ୍ରଦେଶର ମିରଟସ୍ଥିତ ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟର ସ୍ନାତକ ଡିଗ୍ରୀ ସାର୍ଟିଫିକେଟ ଦାଖଲ କରିଥିଲେ। ଏପ୍ରିଲରେ ହରମନପ୍ରୀତଙ୍କ ସ୍ନାତକ ସାର୍ଟିଫିକେଟ ଯାଞ୍ଚ କରିବାକୁ ପଞ୍ଜାବ ପୁଲିସର ଜଣେ ଅଧିକାରୀ ଉକ୍ତ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ହରମନପ୍ରୀତ ୨୦୧୧ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ବୋଲି ଉକ୍ତ ସାର୍ଟିଫିକେଟରେ ଉଲ୍ଲେଖ କରାଯାଇଥିଲା। ତେବେ ଯାଞ୍ଚ ସମୟରେ ଏହା ଜାଲ୍‍ ବୋଲି ଜଣାପଡିଥିଲା। ହରମନପ୍ରୀତ କୌଣସି ସମୟରେ ଉକ୍ତ ବିଶ୍ୱବିଦ୍ୟାଳୟର ଛାତ୍ରୀ ନ ଥିଲେ ବୋଲି ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟର ଭିଜିଲାନ୍ସ ଅଧିକାରୀ ପ୍ରଫେସର ସଞ୍ଜୟ ଭରଦ୍ୱାଜ ପଞ୍ଜାବ ପୁଲିସକୁ ଅବଗତ କରାଇଥିଲେ। ଏହା ଜଣାପଡିବାପରେ ହରମନପ୍ରୀତଙ୍କଠାରୁ ଡିଏସ୍‍ପି ଚାକିରି ପ୍ରତ୍ୟାହାର କରାଯାଇଛି। ଏ ପ୍ରସଙ୍ଗରେ ହରମନପ୍ରୀତଙ୍କ ପ୍ରତିକ୍ରିୟା ଜଣାପଡିନାହିଁ।
ପଞ୍ଜାବର ମୋଗା ଜିଲାରେ ଜନ୍ମିତ ୨୯ ବର୍ଷୀୟା ହରମନପ୍ରୀତ ୨୦୦୯ ମାର୍ଚ୍ଚରେ ପାକିସ୍ତାନ ବିପକ୍ଷ ଦିନିକିଆ ଖେଳି ନିଜର ଆନ୍ତର୍ଜାତିକ କ୍ୟାରିୟର ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ସେ ୨ଟି ଟେଷ୍ଟ, ୭୮ଟି ଦିନିକିଆ ଓ ୬୮ଟି ଟ୍ୱେଣ୍ଟି୨୦ ଖେଳିସାରିଛନ୍ତି। ଦିନିକିଆ ଫର୍ମାଟରେ ସେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି। ସଫଳ ବ୍ୟାଟସମ୍ୟାନଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଥିବାବେଳେ ଆବଶ୍ୟକସ୍ଥଳେ ତାଙ୍କର ଉପଯୋଗୀ ବୋଲିଂ ଯୋଗୁଁ ମଧ୍ୟ ଭାରତୀୟ ଦଳ ଏକାଧିକ ମ୍ୟାଚରେ ବିଜୟୀ ହୋଇପାରିଛି। ୨୦୧୬ରେ ହରମନପ୍ରୀତ ପ୍ରଥମ ଭାରତୀୟ କ୍ରିକେଟର ଭାବେ ଅଷ୍ଟ୍ରେଲିଆର ମହିଳା ବିଗ୍‍ବାସ୍‍ ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ୨୦୧୭ରେ ସେ ଆଇସିସି ପକ୍ଷରୁ ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ପୁରସ୍କୃତ ହୋଇଥିଲେ।

Leave A Reply