ଆଜି ଆସୁଛନ୍ତି ଉପରାଷ୍ଟ୍ରପତିି

0

ଭୁବନେଶ୍ୱର : ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍‍ସ)ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆସନ୍ତାକାଲି(ଶନିବାର)ରେ ଅନୁଷ୍ଠିତ ହେବ। ଏଥିରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମାବର୍ତ୍ତନ ଉତ୍ସବରେ ୨୩ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ଏମ୍‍ସ ପ୍ରଥମ ବ୍ୟାଚ୍‍ ଉତ୍ତୀର୍ଣ୍ଣ ହୋଇଥିବା ୫୦ଜଣ ଏମ୍‍ବିବିଏସ୍‍ ଏବଂ ୫୬ଜଣ ବିଏସ୍‍ସି ନର୍ସିଂ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଡିଗ୍ରୀ ପ୍ରଦାନ କରାଯିବ। ଉତ୍ସବରେ ଅନତଘା ମେନନ୍‍ଙ୍କୁ ସର୍ବାଧିକ ୧୧ଟି ସ୍ୱର୍ଣ୍ଣପଦକ ମିଳିବ ଓ ଶିବାନୀଙ୍କୁ ୫ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ସେହିପରି ସ୍ୱୟଂଜିତ୍‍ ଶତପଥୀଙ୍କୁ ଦୁଇଟି ସ୍ୱର୍ଣ୍ଣପଦକ ମିଳିବ ବୋଲି ଏଠାରେ ଆୟୋଜିତ ସାମ୍ବଦିକ ସମ୍ମିଳନୀରେ ନିର୍ଦେଶିକା ଡ.ଗୀତାଞ୍ଜଳି ବାତ୍ମାନାବାନେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡିନ୍‍ ପ୍ରଫେସର ବିକାଶ ଭଟ୍ଟିଆ, ମେଡ଼ିକାଲ୍‍ ସୁପରିଟେଣ୍ଡେଣ୍ଟ ଡ.ସଚ୍ଚିଦାନନ୍ଦ ମହାନ୍ତି, କୁଳସଚିବ ବିଧୁଭୂଷଣ ମିଶ୍ର, ଅର୍ଥ ପରାମର୍ଶଦାତା ପ୍ରଭାତ କୁମାର ମିଶ୍ର, ପ୍ରଭାସ ମିଶ୍ର, ପ୍ରଦୀପ କୁମାର ରାୟ ପ୍ରମୁଖ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆସନ୍ତାକାଲି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ ୮.୨୦ରେ ପହଞ୍ଚିବେ। ସେଠାରେ ଏମ୍‍ସ ନିର୍ଦେଶିକା ଡ.ଗୀତାଞ୍ଜଳି ବାତ୍ମାନାବାନେ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ। ସେଠାରୁ ଉପରାଷ୍ଟପ୍ରତି ରାଜଭବନ ଆସିବେ ଏବଂ ସେଠାରେ ୪୫ମିନିଟ୍‍ ରହିବେ। ରାଜଭବନରେ ବ୍ରେକ୍‍ଫାଷ୍ଟ କରିବା ସହିତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିବେ। ରାଜଭବନରୁ ସକାଳ ୯.୨୫ରେ ଏମ୍‍ସ ଅଭିମୁଖେ ଯାତ୍ରା କରିବେ ଓ ସେଠାରେ ପୂର୍ବାହ୍ନ ୯.୫୦ରେ ପହଞ୍ଚିବେ ଏବଂ ପୂର୍ବାହ୍ନ ୧୧.୩୦ରେ ଏମ୍‍ସ କ୍ୟାମ୍ପସ ଛାଡ଼ିବେ।
ବିଜୁ ପଟ୍ଟନାୟକ ବିମାନବନ୍ଦରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ। ଏହାପରେ ଉପରାଷ୍ଟ୍ରପତି ରାଜଭବନ ଯାଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଜଳପାନ କରିବେ। ସେଠାରୁ ଉପରାଷ୍ଟ୍ରପତି ଓ ରାଜ୍ୟପାଳ ଏମ୍‍ସ ଅଭିମୁଖେ ଯାତ୍ରା କରିବେ।
କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା, କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଡ.ପ୍ରସନ୍ନ କୁମାର ପାଟଶାଣୀ, କୁଳସଚିବ ବିଧୁଭୂଷଣ ମିଶ ପ୍ରମୁଖ ଯୋଗଦେବାର ସୂଚନା ମିଳିଛି।

Leave A Reply