ବନ୍ଦନା ଚହ୍ୱାଣ ବିରୋଧୀଙ୍କ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ

0

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କ୍ଷମତାସୀନ ଏନ୍‍ଡିଏ ପକ୍ଷରୁ ନୀତୀଶ କୁମାରଙ୍କ ଜେଡି(ୟୁ) ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ପ୍ର୍ରାର୍ଥୀ କରାଯିବା ପରେ ବିରୋଧୀ ଦଳଙ୍କ ପକ୍ଷରୁ ଶରଦ ପୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‍ସିପି) ସାଂସଦ ୫୭ବର୍ଷୀୟା ବନ୍ଦନା ହେମନ୍ତ ଚହ୍ୱାଣଙ୍କ ନାମ ଘୋଷଣା କରାଯାଇଛି। ଗୁରୁବାର ଉଭୟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱତା ହେବାର ସମ୍ଭାବନା ରହିଛି। ବନ୍ଦନା ମହାରାଷ୍ଟ୍ରରୁ ଦ୍ୱିତୀୟ ଥର ରାଜ୍ୟସଭାକୁ ଆସିଛନ୍ତି। ୨୦୧୨ ଏପ୍ରିଲରୁ ସେ ରାଜ୍ୟସଭା ସଦସ୍ୟ ରହିଆସିଛନ୍ତି। ପୂର୍ବରୁ ସେ ରାଜ୍ୟ ବିଧାନ ପରିଷଦର ସଦସ୍ୟା ଓ ପୁଣେ ମହାନଗର ନିଗମର ଅଧ୍ୟକ୍ଷା ଥିଲେ। ସେ ଜଣେ ବରିଷ୍ଠ ଆଇନଜୀବୀ ଓ ଅପରାଧିକ ଆଇନ ବିଶେଷଜ୍ଞ।
ହରିବଂଶଙ୍କୁ ଏନ୍‍ଡିଏ ପ୍ରାର୍ଥୀ କରିବା ପରେ ଶିରୋମଣି ଅକାଳି ଦଳ ଓ ଶିବସେନା ଖପ୍ପା ହୋଇଛନ୍ତି। ଏନ୍‍ଡିଏ ସଦସ୍ୟ ଥିବା ଏହି ଦୁଇ ଦଳ ଗୁରୁବାର ହେବାକୁ ଥିବା ଉପାଧ୍ୟକ୍ଷ ନିର୍ବାଚନରେ ଅନୁପସ୍ଥିତ ରହିବେ ବୋଲି ମଙ୍ଗଳବାର ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଶିରୋମଣି ଅକାଳି ଦଳ ସାଂସଦ ନରେଶ ଗୁଜରାଲ ଉପାଧ୍ୟକ୍ଷ ପଦ ପାଇଁ ଆଗ୍ରହୀ ଥିଲେ। ଉଭୟ ଶିବସେନା ଓ ଅକାଳି ଦଳର ତିନି ଜଣ ଲେଖାଏଁ ସଦସ୍ୟ ରହିଥିବାରୁ ସେମାନଙ୍କ ସମର୍ଥନ ଉଭୟ ପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଏହି ଦୁଇ ଏନ୍‍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ। ଏଆଇଏଡିଏମ୍‍କେ, ଟିଆରଏସ୍‍, ୱାଇଏସ୍‍ଆର କଂଗ୍ରେସ ଓ ବିଜେଡି ଭଳି ଚାରିଟି ଦଳ ନିକଟରେ ୩୦ ସଦସ୍ୟ ରହିଥିବାରୁ ସେମାନେ ମଧ୍ୟ ଏହି ନିର୍ବାଚନରେ ଗୁରୁତ୍ୱ ବହନ କରୁଛନ୍ତି। ଅପରପକ୍ଷରେ ହରିବଂଶଙ୍କୁ ସମର୍ଥନ ପାଇଁ ନୀତୀଶ କୁମାର ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଫୋନ୍‍ ଯୋଗେ ନିବେଦନ କରିଛନ୍ତି। ଦଳୀୟସ୍ତରରେ ଆଲୋଚନା ପରେ ସେ ସମର୍ଥନ ପ୍ରସଙ୍ଗରେ ନିଷ୍ପତ୍ତି ନେବେ ବୋଲି ଚନ୍ଦ୍ରଶେଖର ରାଓ କହିଛନ୍ତି। ବନ୍ଦନାଙ୍କୁ ବିଜୁ ଜନତା ଦଳ ଓ ଶିବସେନାର ସମର୍ଥନ ମିଳିବ ନାହିଁ ବୋଲି ଏନ୍‍ସିପି ମୁଖ୍ୟ ପୱାର ସ୍ପଷ୍ଟ ସୂଚନା ପାଇଛନ୍ତି।

Leave A Reply