ବର୍ଷା ପାଣିରେ ଫସିଲା ଭଡୋଦରା ଏକ୍ସପ୍ରେସ୍‍, ୪୧୧ ଯାତ୍ରୀଙ୍କୁ ଉଦ୍ଧାର କଲା ଏନ୍‍ଡିଆରଏଫ୍‍

0

ମୁମ୍ବଇ : ଚାରି ଦିନ ହେବ ଲାଗିରହିଥିବା ମୂଷଳଧାରାର ବର୍ଷା ଯୋଗୁଁ ମୁମ୍ବଇର ଅନେକ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ମୁମ୍ବଇ, ପାଲଘର, ଥାଣେ ଏବଂ ନଭି ମୁମ୍ବଇରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ସକାଳେ ହିନ୍ଦମାତା, କୋଲାବା, ମାଟୁଙ୍ଗା, ଦାଦର, ସାନ୍ତାକ୍ରୁଜ୍‍ ଏବଂ ସାୟନର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଥିଲେ। ଏଥିଯୋଗୁଁ ନାଲାସୋପାରା ନିକଟରେ ୧୨୯୨୮ ନମ୍ବର ବିଶିଷ୍ଟ ଭଡୋଦରା ଏକ୍ସପ୍ରେସ୍‍ ଟ୍ରେନ୍‍ ଫସି ଯାଇଥିଲା। ରେଳ ଧାରଣା ପାଣିରେ ବୁଡ଼ି ରହିଥିବାରୁ ଯାତ୍ରୀଙ୍କୁ ନେଇ ଯାଉଥିବା ଭଡୋଦରା ଏକ୍ସପ୍ରେସ୍‍ ନାଲାସୋପାରା ଏବଂ ଭିରାର ମଝିରେ ଅଟକି ରହିଥିଲା। ଫଳରେ ଏନଡିଆରଏଫ ଏବଂ ତଟରକ୍ଷୀ ବାହିନୀ (କୋଷ୍ଟ ଗାର୍ଡ଼)ଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଟ୍ରେନ୍‍ରୁ ସୁରକ୍ଷିତ ବାହାର କରାଯାଇଥିଲା। ପରେ ଯାତ୍ରୀଙ୍କୁ ବସ୍‍ ଯୋଗେ ଅନ୍ୟ ଏକ ରେଳ ଷ୍ଟେସନ୍‍ନୁ ନିଆଯାଇଥିଲା। ନାଲାସୋପାରା ରେଳ ଧାରଣା ଉପରେ ୪୦୦ ମିଲି ମିଟର ଉଚ୍ଚର ପାଣି ଜମା ହୋଇ ରହିଛି। ଫଳରେ ମୁମ୍ବଇ ଯାଉଥିବା ସମସ୍ତ ଟ୍ରେନ୍‍ ଚଳାଚଳ ବ୍ୟାହତ ହୋଇଛି। ଅନେକ ଟ୍ରେନ୍‍ ବାଟରେ ଅଟକି ରହିଛନ୍ତି। ରେଳ ବିଭାଗ ସୂଚନା ଅନୁସାରେ ୨୦ ଟ୍ରେନ୍‍ର ଯାତ୍ରା ପଥ ବଦଳାଇ ଦିଆଯାଇଛି। ମୁମ୍ବଇ-ଅହମଦାବାଦ ଶତାବ୍ଦୀ ଏବଂ ଦୁରନ୍ତୋ ଏକ୍ସପ୍ରେସ୍‍ ସମେତ ୧୩ ଟ୍ରେନ୍‍ ଚଳାଚଳ ବାତିଲ କରିଦିଆଯାଇଛି। ୧୨୯୫୧ ନମ୍ବର ବିଶିଷ୍ଟ ମୁମ୍ବଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‍ ସମୟରେ ପରିବର୍ତ୍ତନ କରାଯାଇଛି। ମୁମ୍ବଇରୁ ଅନ୍ୟ ରାଜ୍ୟକୁ ଯାତ୍ରା କରୁଥିବା ୬ ଟ୍ରେନ୍‍ର ଯାତ୍ରା ପଥ ବଦଳାଇ ଦିଆଯାଇଛି।
ସେହିପରି ବର୍ଷା ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ସକାଳ ୬ଟାରୁ ଦନ ୧୨ଟା ମଧ୍ୟରେ ୨୩୬ଟି ବିମାନ ଚଳାଚଳକୁ ବାତିଲ କରିଦିଆଯାଇଛି ଓ କେତେକ ବିମାନ ଚଳାଚଳର ସମୟରେ ପରିବର୍ତ୍ତନ କରାଯାଇଛି।
ପ୍ରବଳ ମାତ୍ରାରେ ବର୍ଷା ଯୋଗୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଜୁହ ସମୁଦ୍ର ତଟରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ସତର୍କ କରାଇ ଦିଆଯାଇଛି। ବର୍ଷା ଯୋଗୁଁ ସ୍କୁଲ, କଲେଜ ବନ୍ଦ ରହିଛନ୍ତି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବଇରେ ୧୬୫.୮ ମିମି ବର୍ଷା ହୋଇଛି। ଆସନ୍ତା ୪ ଦିନ ମୁମ୍ବଇ, ଥାଣେ, ରାୟଗଡ଼ ଏବଂ ପାଲଘରରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆଗକୁ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଆଶଙ୍କା କରାଯାଉଛି।

Leave A Reply