ଇରାନକୁ ଶେଷ ବୁନ୍ଦ ପର୍ଯ୍ୟନ୍ତ ଚିପୁଡ଼ିବୁ: ଆମେରିକା

0

ସିଙ୍ଗାପୁର : ଇରାନ ଉପରେ ଦୃଢ କଟକଣା ଜାରି କରଯିବାର ସପ୍ତାହେ ପରେ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜୋନ ବୋଲ୍ଟନ୍‍ ଏହା ଉପରେ ନିଜ ମତ ରଖିଛନ୍ତି। ସିଙ୍ଗାପୁରଠାରେ ଆୟୋଜିତ ଏକ ସମ୍ମିଳନୀରେ ବୋଲ୍ଟନ୍‍ କହିଛନ୍ତି ଯେ ଇରାନ ସରକାର ଏବେ ଚାପରେ ରହିଛନ୍ତି। ତେବେ ଇରାନକୁ ଶେଷ ବୁନ୍ଦ ପର୍ଯ୍ୟନ୍ତ ଚିପୁଡ଼ି ତା ଭିତରେ କେବଳ ଟାକୁଆ ଛାଡ଼ି ଦେବାକୁ ଆମେ ଲକ୍ଷ୍ୟ ରଖିଛୁ। ଏହାସହ ଆଗକୁ ଏହି କଟକଣାକୁ ବୃଦ୍ଧି କରାଯିବ ବୋଲି ସେ ସଂକେତ ଦେଇଛନ୍ତି।
ପ୍ରକାଶଯୋଗ୍ୟ ଯେ ଇରାନ ସହ ପରମାଣୁ ରାଜିନାମାରେ ସାମିଲ ବ୍ରିଟେନ୍‍, ଫ୍ରାନ୍ସ, ଚୀନ ଏବଂ ରୁଷ ଭଳି ଦେଶ ଆମେରିକାର ଏହି କଟକଣାକୁ ବିରୋଧ କରୁଛନ୍ତି। ମିଳିତ ଜାତିସଂଘର ନିରୀକ୍ଷକ ଦଳ ଇରାନ ପରମାଣୁ ରାଜିନାମା ସର୍ତ୍ତ ଭଙ୍ଗ କରିନାହିଁ ବୋଲି ମତ ଦେବା ପରେ ସେମାନେ କଟକଣା ଉଠାଇବାକୁ ପରମର୍ଶ ଦେଇଛନ୍ତି। ଏହି ଦେଶଗୁଡ଼ିକ ରାଜିନାମାକୁ କାଏମ ରଖିବାକୁ ଚାହୁଁଛନ୍ତି। କଟକଣାକୁ ନେଇ ଏକମାତ୍ର ଦେଶ ଭାବେ ସାଉଦି ଆରବ ଆମେରିକାକୁ ସମର୍ଥନ କରୁଛି।
ତେବେ ୮ଟି ଦେଶ ପାଇଁ ଆମେରିକା ଇରାନ ଉପରେ ଲଗାଯାଇଥିବା କଟକଣାକୁ ସାମାନ୍ୟ କୋହଳ କରିଛି। ଏହି ୮ ଦେଶ ମଧ୍ୟରେ ଭାରତ ରହିଛି। ଭାରତ ବ୍ୟତୀତ ଚୀନ, ଦକ୍ଷିଣ କୋରିଆ, ଜାପାନ, ଇଟାଲି, ଗ୍ରୀସ, ତାଇୱାନ ଏବଂ ତୁର୍କୀ ପାଇଁ କଟକଣାକୁ କୋହଳ କରାଯାଇଛି।

Leave A Reply