ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ କଠୋର ପଦକ୍ଷେପ ନେବାକୁ ପାକିସ୍ତାନକୁ ଆମେରିକାର ତାଗିଦ୍

0

ୱାଶିଂଟନ :ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ କଠୋର ପଦକ୍ଷେପ ନେବାକୁ ପାକିସ୍ତାନକୁ ଆମେରିକାର ତାଗିଦ୍ କରିଛି।  ପାକିସ୍ତାନରୁ କାର୍ଯ୍ୟକରୁଥିବା ଆତଙ୍କବାଦୀ ସଂଗଠନ ଗୁଡ଼ିକ ବିରୁଦ୍ଧରେ କଠୋର ପଦକ୍ଷେପ ନେବାକୁ ଆମେରିକା ପାକିସ୍ତାନକୁ କହିଛି । ଆମେରିକା ବୈଦେଶିକ ବିଭାଗ ଉପ-ମୁଖପାତ୍ର ରବର୍ଟ ପାଲାଡିନୋ ତାଙ୍କର ଦ୍ୱି-ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ୱାଶିଂଟନରେଏହା କହିଛନ୍ତି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଓ ଫେବୃୟାରୀ ୨୬ ତାରିଖରେ ବାଲାକୋଟରେ ଜୈସ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତର ବିମାନ ଆକ୍ରମଣ ପରେ ପାକିସ୍ତାନ ଉପରେ ଆନ୍ତର୍ଜାତିକ ସ୍ତରରୁ ପ୍ରବଳ ଚାପ ପଡୁଥିବା ସମୟରେ ଆମେରିକା ବୈଦେଶିକ ବିଭାଗର ଏହି ବିବୃତ୍ତି ପାକିସ୍ତାନର ଚିନ୍ତା ବଢାଇ ଦେଇଛି ।
ଗତ କିଛିଦିନ ହେବ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଓ ତା’ର ନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଶ୍ରୀ ପାଲାଡିନୋ କହିଛନ୍ତି ଆମେରିକା ଏହିସବୁ ପଦକ୍ଷେପକୁ ବିଚାରକୁ ନେଇ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନକୁ ଅନୁରୋଧ କରିଛନ୍ତି । ଯାହାଫଳରେ ଭବିଷ୍ୟତରେ ସେହି ଅଞ୍ଚଳରେ ଏଭଳି ଆକ୍ରମଣର ପୁନରାବୃତ୍ତି ଘଟିବ ନାହିଁ ଓ ଆଞ୍ଚଳିକ ସ୍ଥିରତା ବଜାୟ ରହିବ। ସେ କହିଛନ୍ତି ପାକିସ୍ତାନ ଜାତିସଂଘ ନିରାପତ୍ତା ପରିଷଦରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପାକିସ୍ତାନକୁ କୁହାଯାଇଛି ।

Leave A Reply