ଗୋଷ୍ଠୀବଦ୍ଧ ଆକ୍ରମଣ ରୋକିବାକୁ ନିର୍ଦେଶାବଳୀ ଜାରି କଲେ ୟୁପି ସରକାର

0

ଲକ୍ଷ୍ନୌ : ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଉତ୍ତର ପ୍ରଦେଶ ସରକାର ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା ଘଟଣା ରୋକିବା ନିମନ୍ତେ ନିର୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦେଶାବଳୀ ଅନୁସାରେ ଆଗାମୀ ଦିନରେ ରାଜ୍ୟରେ ଏଭଳି ଘଟଣା ରୋକିବା ନିମନ୍ତେ ଟାସ୍କଫୋର୍ସ ଗଠନ ହେବ। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏ ସମ୍ବନ୍ଧୀୟ ଖବରର କଡ଼ାକଡ଼ି ଯାଞ୍ଚ କରାଯିବ। ଏଥିସହ ନିୟମିତ ଭାବେ ବୈଠକ କରି ପରିସ୍ଥିତି ଅନୁଧ୍ୟାନ କରାଯିବ। ମିଥ୍ୟ ଖବର ସମ୍ବନ୍ଧରେ ସଚେତନତା ସୃଷ୍ଟି ସହ ଏଭଳି ଖବର ପ୍ରଚାର କରୁଥିବା ଲୋକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲେଖ ଯେ ଦେଶରେ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ରୋବିକା ନିମନ୍ତେ ନିର୍ଦେଶାବଳୀ ଜାରି କରିବାକୁ ସୁପ୍ରିମକୋର୍ଟ ଜୁଲାଇରେ କଡ଼ା ନିର୍ଦେଶ ଦେଇଥିଲେ। ଗୋଷ୍ଠୀବଦ୍ଧ ଆକ୍ରମଣ ଜନିତ ହତ୍ୟା ଘଟଣାକୁ ଉଚିତ ସମୟରେ ରୋକା ନ ଗଲେ ଏହା ସମାଜିକ ବ୍ୟାଧିରେ ପରିଣତ ହେବ ବୋଲି କୁହାଯାଇଥିଲା। ଅନ୍ୟପଟେ ଏକ କେନ୍ଦ୍ରୀୟ କମିଟି ଖୁବଶୀଘ୍ର ଏଭଳି ଘଟଣା ସମ୍ବନ୍ଧୀୟ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତି ଦିଗରେ କାର୍ଯ୍ୟ କରୁଥିବା ଜଣାପଡିଛି।

Leave A Reply