ଉନ୍ନାଓ ମାମଲା : ଅଭିଯୁକ୍ତ ବିଧାୟକ ଗିରଫ

0

ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେନଗରଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିଛି । ଏହା ପୂର୍ବରୁ ସିବିଆଇ ଶୁକ୍ରବାର ସକାଳେ ବିଧାୟକଙ୍କୁ ତାଙ୍କ ବାସଭବନରେ ହେପାଜତକୁ ନେଇଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଗିରଫଦାରୀ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଗିରଫ ପରେ ବିଧାୟକ କୁଲଦୀପ ସିଂହ ସେନଗରଙ୍କୁ ସିବିଆଇ ଶନିବାର କୋର୍ଟରେ ହାଜର କରାଇବ । ସିବିଆଇ ଯୁଗ୍ମ ନିର୍ଦେଶକ ଜିକେ ଗୌସ୍ୱାମୀ ବିଧାୟକଙ୍କ ଗରିଫଦାରୀ ନେଇ ସୂଚନା ଦେଇଛନ୍ତି । ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟ ଅଭିଯୁକ୍ତ ବିଧାୟକଙ୍କୁ ହେପାଜତକୁ ନନେଇ ଗିରଫ କରିବାକୁ ନିର୍ଦେଶଇ ଦେଇଥିଲେ । ସିବିଆଇ ଗୁରୁବାର ରାତିରେ ମାମଲାକୁ ନିଜ ହାତକୁ ନେଇଥିଲା । ଏବେ ବିଧାୟକଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ସିବିଆଇ ୩ଟି ମାମଲା ରୁଜୁ କରିଛି । ଏହି ଘଟଣାରେ ସଂପୃକ୍ତ କେତେକ ପୁଲିସ୍‌ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି । ବିଜେପିର ଅଭିଯୁକ୍ତ ବିଧାୟକଙ୍କ ନାମରେ ହତ୍ୟା, ଗଣବଳାତ୍କାର ମାମଲା ଦାଏର କରାଯାଇଛି। ସିବିଆଇ ବିଧାୟକଙ୍କୁ ଲକ୍ଷ୍ନୌସ୍ଥିତ ଜୋନାଲ ଅଫିସ୍‌ରେ ଘଣ୍ଟେରୁ ଊର୍ଦ୍ଧ୍ବ ସମୟ ଧରି ପଚରାଉଚୁରା କରିଥିଲା । ଏ ସମ୍ପର୍କରେ ସୂଚନା ଦେଇ ପୁଲିସ ମହାନିର୍ଦେଶକ ଓ.ପି ସିଂହ କହିଛନ୍ତିି ଯେ ମାମଲାର ତଦନ୍ତ ଭାର ସିବିଆଇକୁ ନ୍ୟସ୍ତ କରାଯାଇଥିବାବେଳେ ପ୍ରଥମ ପଦକ୍ଷେପ ସ୍ୱରୁପ ବିଧାୟକଙ୍କୁ ଗିରଫ କରାଯାଇଛି।
ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବିଧାୟକ ସେନଗର ପ୍ରାୟ ୨୦ଟି ଗାଡ଼ି ସହିତ ପୁଲିସ ଡିଜିଙ୍କ ଘରକୁ ଯାଇଥିଲେ। ତାଙ୍କର ଆତ୍ମସମର୍ପଣ ନେଇ ଯେଉଁ ପ୍ରଚାର ହେଉଛି ତାହାକୁ ଖଣ୍ଡନ କରିବା ପାଇଁ ସେ ପୁଲିସ ଡିଜିଙ୍କୁ ଜଣାଇବାକୁ ଆସିଥିଲେ ବୋଲି ଗଣମାଧ୍ୟମକୁ କହିଥିଲେ। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସେନ୍‌ଗରଙ୍କ ବିରୋଧରେ ମାମଲା ରୁଜୁ ସହ ସମଗ୍ର ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଘୋଷଣା କରିଥିଲେ। ପୁଲିସ କହିବାନୁସାରେ, ପୀଡ଼ିତାଙ୍କ ଏତଲାରେ ବିଧାୟକଙ୍କ ନାମ ନଥିବାରୁ ତାଙ୍କୁ ଗିରଫ କରାଯାଇ ନଥିଲା। ପରେ ପୀଡ଼ିତାଙ୍କ କହିବାନୁସାରେ ବିଧାୟକଙ୍କ ନାମରେ ଅଭିଯୋଗ ଦାଏର ହୋଇଥିଲା ଓ ଏବେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏହି ଘଟଣାକୁ ନେଇ ବିରୋଧୀ ଦଳମାନେ ଶାସକ ବିଜେପିକୁ ଘେରିଛନ୍ତି ।

Leave A Reply