ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ, ଜାତିସଂଘ ମଞ୍ଚରୁ ବିଭ୍ରାନ୍ତିକର ବାର୍ତ୍ତା ଦେଉଛି ପାକିସ୍ତାନ : ଭାରତ

0

ନ୍ୟୁୟର୍କ : ମିଳିତ ଜାତିସଂଘର ସାଧାରଣ ପରିଷଦ (ୟୁଏନ୍‍ଜିଏ୍‍) ବୈଠକରେ ପୁଣି ଥରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ଏହି ବୈଠକରେ ଭାରତ ରାଷ୍ଟ୍ରଦୂତ ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଂଶ ଓ ଏହା ପାକିସ୍ତାନ ଜାଣିନେବା ଉଚିତ୍‍ ବୋଲି କହିଛନ୍ତି। ଉଲ୍ଲେଖ ଯେ ମିଳିତ ଜାତିସଂଘରେ ପାକିସ୍ତାନ ରାଷ୍ଟ୍ରଦୂତ ମଲିହା ଲୋଦୀ ସୋମବାର ଜାମ୍ମୁ କାଶ୍ମୀରରେ ନରସଂହାର, ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୋଧୀ ହିିଂସାକୁ ରୋକିବାକୁ କହିଥିଲେ। ଉତ୍ତର ଦେବାର ଅଧିକାର ସ୍ୱରୁପ ଭାରତ ରାଷ୍ଟ୍ରଦୂତ ସନ୍ଦୀପ କୁମାର ବୟାପୁ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ପାକିସ୍ତାନର କୌଣସି ବି ପ୍ରୟାସ ଏହି ବାସ୍ତବତାକୁ ବଦଳାଇ ପାରିବ ନାହିଁ। ଜାତିସଂଘରେ ନରସଂହାର, ଯୁଦ୍ଧ ଅପରାଧ ଏବଂ ମାନବାଧିକାର ବିରୋଧୀ ଅପରାଧୀ ହିଂସା ବିରୋଧରେ ଆଲୋଚନା ସମୟରେ ପାକିସ୍ତାନ ରାଷ୍ଟ୍ରଦୂତ ଲୋଦୀଙ୍କ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଟିପ୍ପଣୀ ଓ ଅଭିଯୋଗକୁ ନେଇ ଭାରତ ରାଷ୍ଟ୍ରଦୂତ ସନ୍ଦୀପ କୁମାର କହିଛନ୍ତି ଯେ ଭାରତର ରାଜ୍ୟ ଏବଂ ଅଭିନ୍ନ ଅଙ୍ଗ ଜାମ୍ମୁ କାଶ୍ମୀର ବିରୋଧରେ ପାକିସ୍ତାନ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି ଓ ଭୁଲ ବାର୍ତ୍ତା ଦେଉଛି। ଜାତିସଂଘ ଭଳି ମଞ୍ଚର ଦୁରୁପଯୋଗ କରି ପାକିସ୍ତାନ ପ୍ରତିନିଧିମଣ୍ଡଳୀ ଜାମ୍ମୁ କାଶ୍ମୀର ବିରୋଧୀ ବିଭ୍ରାନ୍ତିକର ବାର୍ତ୍ତା ପ୍ରସାର କରିବାକୁ ଚେଷ୍ଟା କରୁଛି ବୋଲି ଭାରତ ଅଭିଯୋଗ କରିଛି।

ଉଲ୍ଲେଖ ଯେ ଜାମ୍ମୁ କାଶ୍ମୀରରେ ମାନବାଧିକର ଉଲ୍ଲଙ୍ଘନ ନେଇ ମିଳିତ ଜାତିସଂଘର ଏକ ରିପୋର୍ଟକୁ ନେଇ କଂଗ୍ରେସ ରବିବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲା। ବିଶ୍ୱର ଏକ ସଂସ୍ଥାକୁ ଏପରି ରିପୋର୍ଟ ପ୍ରକାଶ କରିବାକୁ କେନ୍ଦ୍ର ସରକାର କିପିରି ଅନୁମତି ଦେଲେ ବୋଲି କଂଗ୍ରେସ ଅଭିଯୋଗ କରିଥିଲା। କଂଗ୍ରେସ ମୁଖପାତ୍ର ପବନ ଖେଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କ ବିଦେଶ ନୀତିର ବିଫଳତାକୁ ଦର୍ଶାଉଛି ବୋଲି କହିଥିଲେ।

ଭାରତ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଏହି ରିପୋର୍ଟକୁ ନେଇ ନିଜ ମତବ୍ୟକ୍ତ କରିଛି। ପକ୍ଷପାତ ଏବଂ ପୂର୍ବମତର ପ୍ରଭାବରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ଭାରତ ପକ୍ଷରୁ କୁହାଯାଇଛି। ଲସ୍କର-ଇ-ତୋଇବା ଏବଂ ଜୈସ ଇ ମହମ୍ମଦ ଭଳି ସଂଗଠନକୁ ଜାତିସଂଘ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଥିଲେ ବି କାଶ୍ମୀର ମାନବାଧିକାର ରିପୋର୍ଟରେ ତାହା ଉଲ୍ଲେଖ କରାଯାଇନାହିଁ।

Leave A Reply