ଉତ୍ତରପ୍ରଦେଶ ଯୁବକଙ୍କୁ ବିବାହ କରି ଅଡୁଆରେ ୟୁକ୍ରେନ୍‍ ମହିଳା

0

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବାଗପତ ଜିଲା ନିବାସୀ ଜଣେ ଯୁବକଙ୍କୁ ବିବାହ କରି ଅଡୁଆରେ ପଡିଛନ୍ତି ୟୁକ୍ରେନ୍‍ର ଯୁବତୀ। ବିବାହ ପଞ୍ଜୀକରଣ ପାଇଁ ବାଗପତ୍‍ ଜିଲା ମାଜିଷ୍ଟ୍ରେଟ୍‍ ତାଙ୍କୁ ହଇରାଣ କରୁଥିବା ଦର୍ଶାଇ ସେ ଟ୍ୱିଟର୍‍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହାୟତା ଲୋଡିଛନ୍ତି। ବାଗପତ୍‍ ନିବାସୀ ଅକ୍ଷତ ତ୍ୟାଗୀଙ୍କୁ ବିବାହ କରିବା ନିମନ୍ତେ ୟୁକ୍ରେନ୍‍ ନାଗରିକ ବେରୋନିକା ଖଲିଏବୋଭା ଜୁନ୍‍ ୪ରେ ଭାରତ ଆସିଥିଲେ। ବିବାହ କାର୍ଯ୍ୟ ସୁରୁଖୁରୁରେ ଶେଷ ହେବା ପରେ ସେ ପଞ୍ଜୀକରଣ ଉଦ୍ୟମ କରିଥିଲେ। ଏ ନେଇ ଆବଶ୍ୟକ ସମସ୍ତ କାଗଜପତ୍ର ଦାଖଲ କରିବା ସତ୍ତ୍ବେ ତାଙ୍କର ବିବାହ ପଞ୍ଜିକୃତ ହୋଇ ପରି ନ ଥିଲା। ଭାରତୀୟ ଦୂତାବାସ ଦ୍ୱାରା ଜାରି କରାଯାଇଥିବା ଏନ୍‍ଓସି ଗ୍ରହଣ କରିବାକୁ ଜିଲା ମାଜିଷ୍ଟ୍ରେଟ୍‍ ମନା କରିଦେଇଥିଲେ।
ଏ ନେଇ ବେରୋନିକା ତାଙ୍କ ପ୍ରଥମ ଟ୍ୱିଟ୍‍ରେ ପ୍ରଧାନମନ୍ତ୍ରୀଙ୍କଠାରୁ ସହଯୋଗ ଲୋଡିଥିଲେ। ଦ୍ୱିତୀୟ ଟ୍ୱିଟ୍‍ରେ ମାଜିଷ୍ଟ୍ରେଟ୍‍ ଋଷିରେନ୍ଦ୍ର କୁମାର ତାଙ୍କୁ କଡା଼ ବ୍ୟବହାର କରୁଥିବା ସେ ଦର୍ଶାଇଥିଲେ। ସ୍ୱତନ୍ତ୍ର ବିବାହ ଆଇନ ଅଧୀନରେ ସେମାନଙ୍କ ବିବାହ ପଞ୍ଜିକୃତ ହେବ ବୋଲି ମାଜିଷ୍ଟ୍ରେଟ୍‍ଙ୍କ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ କୁହାଯାଇଥିଲା। ମାତ୍ର ସମସ୍ତ ଦସ୍ତାବିଜ୍‍ ଦାଖଲ କରିବାର ୩୫ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ବିବାହ ପଞ୍ଜିକୃତ ହୋଇ ପାରି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କଠାରୁ ୨ ଲକ୍ଷ ଟଙ୍କା ଦାବି କରିଥିବା ବେରୋନିକା କହିଛନ୍ତି।

Leave A Reply