କେରଳ ପାଇଁ କୌଣସି ଆର୍ଥିକ ସହାୟତା ଘୋଷଣା କରନି ୟୁଏଇ

0

ନୂଆଦିଲ୍ଲୀ : ଭୟଙ୍କର ବନ୍ୟାର ଶିକାର କେରଳର ବନ୍ୟାକ୍ଲିଷ୍ଟଙ୍କ ପାଇଁ ସଂଯୁକ୍ତ ଆରବ ଏମିରେଟ୍‍ସ (ୟୁଏଇ)ର ୭୦୦ କୋଟି ଟଙ୍କା ସହାୟତା ପ୍ରଦାନ ପ୍ରସ୍ତାବକୁ ନେଇ ରାଜ୍ୟର ଶାସକଦଳ ଏଲ୍‍ଡିଏଫ୍‍ ଏବଂ ବିରୋଧୀ ଦଳ ବିଜେପି ମଧ୍ୟରେ ନୂତନ ବିବାଦ ଆରମ୍ଭ ହୋଇଯାଇଛି। କେରଳ ପାଇଁ କୌଣସି ପ୍ରକାର ଆର୍ଥିକ ସହାୟତା ଘୋଷଣା କରାଯାଇ ନ ଥିବା ୟୁଏଇ ପ୍ରଶାସନ ପ୍ରକାଶ କରିବା ପରେ ବିଜେପି ଏବେ କେରଳ ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଛି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‍ ଏହି ସହାୟତା ସମ୍ବନ୍ଧୀୟ ପ୍ରସ୍ତାବ ସମ୍ପର୍କିତ ସୂଚନା କେଉଁଠାରୁ ପାଇଲେ ବୋଲି ବିଜେପି ରାଜ୍ୟ ମୁଖ୍ୟ ପି. ଏସ୍‍. ଶ୍ରୀଧରନ୍‍ ପିଲାଇ ପ୍ରଶ୍ନ କରିଛନ୍ତି।
ୟୁଏଇର ରାଷ୍ଟ୍ରଦୂତ ଅହମ୍ମଦ ଆଲବାନା ପ୍ରମୁଖ ଇଂଲିଶ ଗଣମାଧ୍ୟମ ‘ଇଣ୍ଡିଆନ୍‍ ଏକ୍ସପ୍ରେସ୍‍’କୁ ଗୁରୁବାର କହିଥିଲେ, କେରଳ ବନ୍ୟାପୀଡ଼ିତଙ୍କ ପାଇଁ ଏଯାବତ୍‍ ଔପଚାରିକ ଭାବେ କୌଣସି ସହାୟତା ଘୋଷଣା କରାଯାଇ ନାହିଁ। ରାଜ୍ୟ ପାଇଁ ଆବଶ୍ୟକ ରିଲିଫ୍‍ ସମ୍ବନ୍ଧରେ ଏଯାବତ୍‍ ଆକଳନ ଶେଷ ହୋଇ ନ ଥିବା ସେ ଦର୍ଶାଇଥିଲେ। ଏହାପରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ବିଜୟନ୍‍ଙ୍କୁ ସମାଲୋଚନା କରାଯାଇଛି। ପିଲାଇ କହିଛନ୍ତି, କେରଳକୁ ଯେତିକି ସହାୟତା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି ସେଭଳି ସହାୟତା କୌଣସି ରାଜ୍ୟକୁ ପ୍ରଦାନ କରାଯାଇନାହିଁ। ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ସହାୟତା ଘୋଷଣା କରିଛନ୍ତି। ସେହିଭଳି କମ୍ୟୁନିଷ୍ଟ-ଇସ୍‍ଲାମିୟଙ୍କ ସହିତ ସମ୍ବନ୍ଧ ରଖୁଥିବା କେରଳର କିଛି ଲୋକ ବିଦେଶୀ ସହାୟତାର ପ୍ରହେଳିକାକୁ ନେଇ ଆନନ୍ଦିତ ହେଉଛନ୍ତି ବୋଲି ବିଜେପିର ଜାତୀୟ ସୂଚନା ଓ ପ୍ରଯୁକ୍ତି ବିଭାଗ ପ୍ରଭାରୀ ଅମିତ୍‍ ମାଲବ୍ୟ ଟ୍ୱିଟ୍‍ କରିଛନ୍ତି।
ୟୁଏଇ ସରକାର କେରଳ ପାଇଁ ୭୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଜୟନ୍‍ ଚଳିତ ସପ୍ତାହ ପ୍ରାରମ୍ଭରେ କହିଥିଲେ। ଶୁକ୍ରବାର ସେ କହିଛନ୍ତି, ଯଦି ୟୁଏଇଠାରୁ କୌଣସି ଆର୍ଥିକ ସହଯୋଗ ମିଳେ ତାହାକୁ ସ୍ୱୀକାର କରିବା ନେଇ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ନିବେଦନ କରିବ। ୟୁଏଇ ସହିତ କେରଳର ପୁରୁଣା ସମ୍ପର୍କର ଦ୍ୱାହି ଦେଇ ସେ କହିଛନ୍ତି, ଏହି ରାଷ୍ଟ୍ରକୁ ଅନ୍ୟ ଦେଶ ସହିତ ତୁଳନା କରାଯାଇ ପାରିବ ନାହିଁ। ପ୍ରଳୟଙ୍କରୀ ବନ୍ୟାରେ କେରଳ ବିଧ୍ୱଂସ୍ତ ହୋଇପଡିଥିବାରୁ ରିଲିଫ୍‍ ଯୋଗାଣ ପ୍ରସଙ୍ଗରେ ଏହାକୁ ଭିନ୍ନ ମାପଦଣ୍ଡରେ ତଉଲିବାକୁ ହେବ। ଅନ୍ୟ ରାଜ୍ୟର କ୍ଷୟକ୍ଷତି ସହିତ ଏହା ତୁଳନୀୟ ନୁହେଁ। ରାଜ୍ୟରେ ୨୦,୦୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି, ଯାହାକି ରାଜ୍ୟର ୨୦୧୮-୧୯ ଆର୍ଥିକ ବର୍ଷର ଅଟକଳ ସହିତ ସମାନ ବୋଲି ସେ ଦର୍ଶାଇଛନ୍ତି।
ଅନ୍ୟପଟେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ରାଜ୍ୟରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପୁନରୁଦ୍ଧାର କାର୍ଯ୍ୟରେ ସେନା ସମସ୍ତ ସହଯୋଗ କରିବା ବୋଲି ସେ ବନ୍ୟାପୀଡ଼ିତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ନିଜର ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କା ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଇତିମଧ୍ୟରେ କେରଳକୁ ୬୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅଗଷ୍ଟ ୮ ପରଠାରୁ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା ଆସି ଶହଶହ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦.୪୦ ଲକ୍ଷ ଲୋକଙ୍କୁ ରିଲିଫ୍‍ କ୍ୟାମ୍ପରେ ଆଶ୍ରୟ ନେବାକୁ ପଡିଛି।

Leave A Reply