ନେପାଳକୁ ୧୭୧ ରନରେ ହରାଇଲା ଭାରତ

0

ଢାକା : ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ଶତକ ଓ ସିମ୍ରନ ସିଂହଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଶନିବାର ଖେଳା ଯାଇଥିବା ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଏକ ଗ୍ରୁପ୍‍-ଏ’ ମ୍ୟାଚରେ ନେପାଳକୁ ୧୭୧ ରନରେ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତ ୨ ପଏଣ୍ଟ ପାଇଛି। ରବିବାର ଭାରତ ୨ୟ ମ୍ୟାଚରେ ୟୁଏଇକୁ (ସଂଯୁକ୍ତ ଆରବ ଏମିରେଟ୍‍ସ) ଭେଟିବ।
ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟରେ ୩୦୪ ରନ କରିଥିଲା। ପ୍ଲେୟର ଅଫ୍‍ ଦି ମ୍ୟାଚ ବିବେଚିତ ଯଶସ୍ୱୀ ଜୟସ୍ୱାଲ ୧୦୪ (୮ ଚୌକା, ୫ ଛକା), ସିମ୍ରନ ସିଂହ ୮୨ (୬ ଚୌକା, ୩ ଛକା), ଆୟୁଷ ବାଦୋନି ୩୩ ଓ ଦେବଦତ୍ତ ପାଡିକଲ ୩୦ ରନ କରିଥିବାବେଳେ ନେପାଳ ପକ୍ଷରୁ ଭୀମ ସାର୍କି ସର୍ବାଧିକ ୪ଟି ଓ ରସିଦ ଖାନ୍‍ ୨ଟି ୱିକେଟ ନେଇଥିଲେ। ଜବାବରେ ନେପାଳ ୧୩୩ ରନରେ ଅଲଆଉଟ ହୋଇଥିଲା। ଅଧିନାୟକ ଆସିଫ ସେଖ୍‍ ୨୫ ଓ ରୋହିତ କୁମାର ପୌଡେଲ ୨୪ ରନ କରିଥିଲେ। ଭାରତ ପକ୍ଷରୁ ସିଦ୍ଧାର୍ଥ ଦେଶାଇ ଓ ହର୍ଷ ତ୍ୟାଗୀ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମୋହିତ ଜାଙ୍ଗ୍ରାଙ୍କୁ ୨ଟି ୱିକେଟ ମିଳିଥିଲା। ସୂଚନାଯୋଗ୍ୟ; ଏହି ମ୍ୟାଚ ଖେଳି ଓଡ଼ିଶାର ଖେଳାଳି ରାଜେଶ ମହାନ୍ତି ଆନ୍ତର୍ଜାତିକ ସର୍କିଟରେ ପଦାର୍ପଣ କରିଛନ୍ତି। ତେବେ ଫାଷ୍ଟ ବୋଲର ଭାବେ ଦଳରେ ସ୍ଥାନ ପାଇଥିବା ରାଜେଶ କୌଣସି ୱିକେଟ (୬-୧-୨୨-୦) ହାସଲ କରି ପାରିନଥିବା ବେଳେ ବ୍ୟାଟିଂରେ ମଧ୍ୟ ଖାତା ଖୋଲି ପାରିନାହାନ୍ତି।

Leave A Reply