ତିନି ତଲାକ ବିଧେୟକକୁ ଜେଡିୟୁର ବିରୋଧ; ବିଜେପି କ୍ଷୁବ୍ଧ

0

ନୂଆଦିଲ୍ଲୀ : ରାଜ୍ୟସଭାରେ ତିନି ତଲାକ ବିଧେୟକକୁ ଜେଡିୟୁ ବିରୋଧ କରିବ। ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏପରି ନିଷ୍ପତ୍ତିକୁ ନେଇ ବିଜେପି କ୍ଷୁବ୍ଧ ହୋଇଛି। ଉଭୟ ବିଜେପି ଓ ଜେଡିୟୁ ଏନଡିଏର ଅଂଶୀଦାର ଥିବାବେଳେ ଆଗାମୀ ଲୋକସଭା ନିର୍ବାଚନ ଲାଗି ଦୁଇଦଳ ଆସନ ବୁଝାମଣା କରିଛନ୍ତି। ସେହିପରି ଦୁଇଦଳ ବିହାରରେ ମେଣ୍ଟ କରି ସରକାର ଗଢିଛନ୍ତି। ଏହା ସତ୍ତ୍ବେ ବିଜେପି ନେତୃତ୍ବ କେନ୍ଦ୍ର ସରକାର ମୁସଲମାନ ମହିଳାଙ୍କ ସୁରକ୍ଷା ପାଇଁ ଆଣିଥିବା ତିନି ତଲାକ ବିଧେୟକକୁ ବିରୋଧ କରିବା ଲାଗି ଜେଡିୟୁ ନିଷ୍ପତ୍ତି ନେଇଛି। ତିନି ତଲାକ ପ୍ରସଙ୍ଗରେ ଗୁରୁବାର ଜେଡିୟୁ ତାର ନିଷ୍ପତ୍ତି ଜଣାଇବା ପରେ ବିଜେପି ଏହାକୁ ସମାଲୋଚନା କରିଛି। ବିହାରରେ ୧୬% ମୁସଲମାନ ନାଗରିକ ଥିବାବେଳେ ଜେଡିୟୁ ଭୋଟ ବ୍ୟାଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛି। ଜେଡିୟୁର ବରିଷ୍ଠ ନେତା ବିଶିଷ୍ଟ ନାରାୟଣ ସିଂହ କହିଛନ୍ତି ଯେ ରାଜ୍ୟସଭାରେ ସରକାର ତିନି ତଲାକ ବିଧେୟକ ଆଗତ କଲେ ଦଳ ଏହା ବିରୋଧରେ ଭୋଟ ଦେବ। ଏହି ବିଧେୟକକୁ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ବିରୋଧ କରିଆସୁଛନ୍ତି। ତିନି ତଲାକ ବିଧେୟକ ଲୋକସଭାରେ ଗୃହୀତ ହୋଇଥିବାବେଳେ ରାଜ୍ୟସଭାରେ ବିରୋଧୀଙ୍କ ବିରୋଧ ଯୋଗୁଁ ଅଟକି ରହିଛି। କାରଣ ରାଜ୍ୟସଭାରେ ସରକାରଙ୍କର ସଂଖ୍ୟାଗରିଷ୍ଠତା ନାହିଁ।

Leave A Reply