ସ୍ୱାମୀ-ବଡ଼ ଯା’ଙ୍କ ଆତ୍ମହତ୍ୟା

0

ଖଡିଆଳ/କଣ୍ଟାବାଞ୍ଝି  : ନୂଆପଡା ଜିଲା ଖଡିଆଳ ବ୍ଲକ ଡୁଆଝର ଗ୍ରାମରେ ହେରମ୍ବ ମେହେର ନିଜ ପତ୍ନୀ ତନୁଜା ମେହେରଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା ଉଦ୍ୟମ ଘଟଣା ଏବେ ନୂଆ ରୂପ ନେଇଛି। ପରକୀୟ ପ୍ରେମ ପାଇଁ ସ୍ୱାମୀ ଏଭଳି ଘଟଣା ଘଟଣାଇଥିବା ଚର୍ଚ୍ଚା ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ହେରମ୍ବ ଓ ମହିଳାଙ୍କ ବଡ଼ ଯା’ ତଥା ହେରମ୍ବଙ୍କ ଭାଉଜ ପୂର୍ଣ୍ଣିମା ମେହେର ଗତକାଲି ରାତିରୁ ଫେରାର ହୋଇଯିବା ଏବଂ ଆଜି ସେମାନଙ୍କ ମୃତଦେହ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ରେଳଧାରଣାରୁ ମିଳିବା ଘଟଣା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ସୂଚନା ଅନୁସାରେ ଖଡିଆଳ ଥାନା ଡୁଆଝର ଗ୍ରାମର ହେରାମ୍ବ ପତ୍ନୀ ତନୁଜାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଆଉ ଏହି ନିର୍ଯାତନାରେ ହେରାମ୍ବଙ୍କୁ ତାଙ୍କ ଭାଉଜ ପୂର୍ଣ୍ଣିମା ସହଯୋଗ କରୁଥିଲେ। ଅନ୍ୟପକ୍ଷରେ ପୂର୍ଣ୍ଣିମା ଓ ହେରମ୍ବଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା ବୋଲି ତନୁଜା ଅଭିଯୋଗ କରି ଆସୁଥିଲେ ଏବଂ ଏ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ରହିଥିଲା। ହେରମ୍ବ ନିଜ ପତ୍ନୀଙ୍କୁ ଜୀବନରେ ମାରିଦେବା ପାଇଁ ବିଷ ଇଞ୍ଜେକସନ ଦେଇଥିଲେ ଓ ଶେଷରେ ତନୁଜାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖଡିଆଳସ୍ଥିତ ଘରୋଇ ମିଶନ ହସପିଟାଲରେ ଭର୍ତ୍ତି କରିଥିଲେ। ତେବେ ତନୁଜାଙ୍କ ସଙ୍କଟାପନ୍ନ ଅବସ୍ଥା ଦେଖି ହେରମ୍ବ ଓ ତାଙ୍କ ଭାଉଜ ପୂର୍ଣ୍ଣିମା ଗତ ରାତିରୁ ଫେରାର ହୋଇଯାଇଥିଲେ। ପରେ ସେହି ୨ ଜଣ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ପାଖରେ ଟ୍ରେନ ଆଗକୁ ଡ଼େଇଁ ପଡ଼ିଥିଲେ।
କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟସ୍ଥ ମାଲଇ ଖୁଣ୍ଟ ୧୬୭/୬ ଫରେଷ୍ଟ କର୍ପୋରେସନ ନିକଟରେ ରାୟପୁର-ବିଶାଖାପଟନମ ଆଡକୁ ଯାଉଥିବା ଆମ୍ବ ସ୍ପେସାଲ ମାଲଗାଡି ଟ୍ରେନ ଆଗକୁ ଡ଼େଇଁ ସେମାନେ ଜୀବନ ହାରିଥିବା ଜଣାପଡ଼ିଛି। ମାଲଗାଡି ଲୋକୋ ପାଇଲଟ କଣ୍ଟାବାଞ୍ଜି ଷ୍ଟେସନ ମାଷ୍ଟରଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଷ୍ଟେସନ ମାଷ୍ଟର, ଜିଆରପି ପୁଲିସ ଓ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସୋମବାର ସକାଳେ ସ୍ଥାନୀୟ ଏକ୍‍ଜ୍ୟୁକିଟିଭ ମାଜିଷ୍ଟ୍ରେଟ, ସ୍ଥାନୀୟ ତହସିଲଦାର ସୁବାସ ଚନ୍ଦ୍ର ସେଠୀଆଙ୍କ ଉପସ୍ଥିତିରେ ପଞ୍ଚନାମା କଲାପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ର ଶବ ବ୍ୟବଚ୍ଛେଦ କରାଯାଇଥିଲା। ଭାଉଜ ପୂର୍ଣ୍ଣିମା ମେହେର ପିନ୍ଧିଥିବା କିଛି ସୁନା ଅଲଙ୍କାର, ଭୋଟର ପରିଚୟ ପତ୍ର ଓ ଘଟଣାସ୍ଥଳରେ ପଡିଥିବା ଦୁଇଟି ମୋବାଇଲ ଏବଂ ସେମାନେ ଏଇଏନ ଅଫିସ ପାଖରେ ଛାଡିଯାଇଥିବା ମୋଟର ସାଇକେଲ ( ଓଆର ୨୬-୪୭୭୯)କୁ ପୁଲିସ୍‍ ଜବତ କରିଥିବା ତଦନ୍ତକାରୀ ଅଫିସରଙ୍କ ସୂଚନା ଦେଇଛନ୍ତି।

Leave A Reply