ଚୀନ ସହିତ ମୁକ୍ତ ବାଣିଜ୍ୟ ବୁଝାମଣାରୁ ଓହରିବ ମାଳଦ୍ୱୀପ

0

ମାଲେ : ଚୀନ ସହିତ ରହିଥିବା ମୁକ୍ତ ବାଣିଜ୍ୟ ବୁଝାମଣା (ଏଫଟିଏ)ରୁ ମାଳଦ୍ୱୀପ ଓହରିଯିବାକୁ ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲିଙ୍କ ନେତୃତ୍ୱରେ ଗଠିତ ମାଳଦ୍ୱୀପ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି ଜଣେ ପାର୍ଲମେଣ୍ଟର ଜଣେ ବରିଷ୍ଠ ସାଂସଦ। ପୂର୍ବତନ ରାଷ୍ଟ୍ରପତି ଅବଦୁଲା ୟାମିନଙ୍କ ନେତୃତ୍ୱ ସରକାର ଚୀନ ସହିତ ଏହି ବୁଝାମଣା ସ୍ୱାକ୍ଷର କରିଥିବାବେଳେ ନୂଆ ସରକାର ଏହାକୁ ଖାରଜ କରିବାକୁ ନିଷ୍ପତ୍ତି ନେଇଥିବା ମାଳଦ୍ୱୀପ ଡେମୋକ୍ରାଟ ପାର୍ଟି ମୁଖ୍ୟ ମହମ୍ମଦ ନାସିଦ କହିଛନ୍ତି। ନସିଦ ହେଉଛନ୍ତି ଜଣେ ପୂର୍ବତନ ରାଷ୍ଟ୍ରପତି। ଏବେ ସେ ସୋଚିଙ୍କ ସରକାରର ପରାମର୍ଶଦାତା ଅଛନ୍ତି। ଅବଦୁଲା ୟାମିନଙ୍କ ସରକାର ଚୀନ ସପକ୍ଷବାଦୀ ଥିବାବେଳେ ସୋଚିଙ୍କ ନେତୃତ୍ୱ ସରକାର ଏବେ ଭାରତ ଆଡକୁ ଢଳିବା ଆରମ୍ଭ କରିଛନ୍ତି। ସୋଚି ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ। ସୋଚିଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦୀ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। ନୂଆ ସରକାର କହିଛନ୍ତି ଯେ ଚୀନ ସହ ହୋଇଥିବା ମୁକ୍ତ ବାଣିଜ୍ୟ କାରବାର ଯୋଗୁଁ ମାଳଦ୍ୱୀପ ବିପୁଳ କ୍ଷତିର ସମ୍ମୁଖୀନ ହେଉଛି। ଏହି ବୁଝାମଣା ଏକପାକ୍ଷିଆ ଭାବେ କାର୍ଯ୍ୟ କରୁଛି। କାରଣ ମାଳଦ୍ୱୀପ ଠାରୁ ଚୀନ କୌଣସି ଜିନିଷ କ୍ରୟ କରୁ ନାହିଁ ବୋଲି ନସିଦ କହିଛନ୍ତି। ତେବେ ମାଳଦ୍ୱୀପର ଏହି ନିଷ୍ପତ୍ତି ସମ୍ପର୍କରେ ଏଠାକାର ଚୀନ ଦୂତାବାସ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଅନ୍ୟପଟେ ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ମାଳଦ୍ୱୀପ ସହିତ ସମ୍ପର୍କକୁ ମଜବୁତ କରିବା ଲାଗି ପଦକ୍ଷେପ ନିଆଯାଉଛି।

Leave A Reply