‘ତିତଲି’ ପ୍ରଭାବରେ ଗଜପତି ସର୍ବାଧିକ କ୍ଷତିଗ୍ରସ୍ତ, ୩ ଲକ୍ଷ ସ୍ଥାନାନ୍ତରିତ

0

ଭୁବନେଶ୍ୱର: ‘ତିତଲି’ ପ୍ରଭାବରେ ୫ ଜିଲାରେ ଯେଭଳି କ୍ଷୟକ୍ଷତି ଘଟିବ ବୋଲି ପୂର୍ବାନୁମାନ କରାଯାଉଥିଲା ସେଭଳି ଆଶଙ୍କା ଦୂର ହୋଇଥିଲେ ମଧ୍ୟ କେତେକ ସ୍ଥାନରେ କ୍ଷୟକ୍ଷତି ଘଟାଇଛି। ଗଜପତି ଜିଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଗଛ ଉପୁଡ଼ି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ଘରର ଟିଣ ଉଡ଼ିଯାଇଛି। ବିଜୁଳି ଖୁଣ୍ଟ ଉପୁଡ଼ି ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ‘ତିତଲି’ ପ୍ରଭାବରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
‘ତିତଲି’ର ପ୍ରଭାବ ଓ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ୩୦ଟି ଜିଲାରେ ଜରୁରିକାଳୀନ ଅପରେସନ୍‍ କେନ୍ଦ୍ର ସ୍ଥାପନା ହୋଇଥିବା ବେଳେ ୩୦୦ ପାୱାର ବୋଟ୍‍ ସହିତ ଉଦ୍ଧାରକାରୀ ଦଳ ସଜାଗ ରହିଛନ୍ତି। ୮୭୯ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରାଯାଇଛି। ‘ତିତଲି’ରେ କ୍ଷତିଗ୍ରସ୍ତ ହେବାକୁ ଥିବା ଜିଲାଗୁଡ଼ିକରେ ୧୩ଟି ଏନ୍‍ଡିଆରଏଫ୍‍ ଟିମ୍‍କୁ ମୁତୟନ କରାଯାଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲାରେ ୨ଟି, ଗଜପତି ଓ ପୁରୀ ଜିଳାରେ ୨ଟି ଏବଂ ନୟାଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ଟିମ୍‍ ସଜାଗ ରହିଛନ୍ତି। ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ବାଲେଶ୍ୱର, ମୟୂରଭଞ୍ଜ, ବୌଦ୍ଧ ଓ କଳାହାଣ୍ଡିରେ ଓଡ୍ରାଫ୍‍ ଟିମ୍‍ ମୁତୟନ କରଯାଇଛି। ଏଥିସହିତ ଜରୁରିକାଳୀନ ସ୍ଥିତି ପାଇଁ ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଛି।
ଆଜି ସକାଳ ୭ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଇତିମଧ୍ୟରେ ୩ ଲକ୍ଷ ଲୋକଙ୍କୁ ୧୧୧୨ଟି ରିଲିଫ୍‍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲାର ୧୦୫ ଜଣ ଗର୍ଭବତୀ ଓ ଜଗତସିଂହପୁର ଜିଲାର ୧୮ ଜଣ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ପଠାଯାଇଛି।

Leave A Reply