‘ତିତ୍‍ଲି ପ୍ରଭାବ’ : ଅରଖକୁଦାରେ ନୂଆ ମୁହାଁଣ

0

ପୁରୀ : ବାତ୍ୟା ‘ତିତ୍‍ଲି’ ପ୍ରଭାବରେ ବ୍ରହ୍ମଗିରିିର ଅରଖକୁଦା ଗ୍ରାମ ନିକଟରେ ନୂଆ ମୁହାଁଣ ସୃଷ୍ଟି ହୋଇଛି। ଏଥିଯୋଗୁ ଅଶାନ୍ତ ସମୁଦ୍ରର ଉତ୍ତାଳ ଜୁଆର ପାଣି ଗାଁ ଭିତରକୁ ପଶି ଆସି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପାଣିଘେରରେ ଥିବା ଚିଲିକା ଉପକୂଳୀୟ ଗ୍ରାମଗୁଡିକର ଅଧିବାସୀ ଭୟରେ ରହିଛନ୍ତି।
ବୁଧବାରଠାରୁ ‘ତିତ୍‍ଲି’ ପ୍ରଭାବରେ ଲଗାଣ ବର୍ଷା ଓ ପବନ ଲାଗି ରହିଥିଲା। ବ୍ରହ୍ମଗିରି ଥାନା ଓ କୃଷ୍ଣପ୍ରସାଦ ବ୍ଲକର ଉପକୂଳୀୟ ଗ୍ରାମ ଅରଖକୁଦା ଓ ସାନପାଟଣା ଗ୍ରାମରେ ସାମୁଦ୍ରିକ ଜୁଆର ପାଣି ପଶିବାରେ ଲାଗିଛି। ଅରଖକୁଦା, ସାନପାଟଣା, ଶିପକୁଦା, ଗଙ୍ଗାଧରପୁର, ଆଳୁପାଟଣା, ମିରିଜାପୁର, ରାୟପୁର, ବନମାଳିପୁର ଓ ଗବକୁଣ୍ଡ ପ୍ରଭୃତି ୧୫ଟି ଗ୍ରାମର ବାସିନ୍ଦା ଭୟରେ ରହିଛନ୍ତି। ଅରଖକୁଦା ଗାଁ ଭିତରେ ଜୁଆର ପାଣି ପଶିବାରେ ଲାଗିଛି। ଗାଁ ଭିତରେ ଆଣ୍ଠୁଏ ଉଚ୍ଚ ପାଣିର ଢେଉ ଖେଳୁଛି। ଫଳରେ ଗୋଟିଏ ସାହିରୁ ଅନ୍ୟ ସାହିକୁ ଯିବାକୁ ଡଙ୍ଗା ଦରକାର ପଡୁଛି। ସମୁଦ୍ର ଅଶାନ୍ତ ଥିବାରୁ କାଳେ କେତେବେଳେ କ’ଣ ଅଘଟଣ ଘଟିବ ସେ ଭୟରେ ଲୋକଙ୍କ ଘରେ ଚୁଲି ଜଳୁ ନାହିଁ। ୩ ଶହରୁ ଊର୍ଦ୍ଧ୍ବ ଲୋକେ ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳରେ ରହିଥିଲେ। ପ୍ରଶାସନ ପକ୍ଷରୁ ବ୍ରହ୍ମଗିରି ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁଙ୍କ ବ୍ୟତୀତ ଜିଲାର କୌଣସି ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ଗ୍ରାମବାସୀ ଏପରି ଦୟନୀୟ ଅବସ୍ଥାରେ ରହିଥିବାବେଳେ କେହି ଜଣେ ହେଲେ ଜିଲାସ୍ତରୀୟ ଅଧିକାରୀ ପହଞ୍ଚି ନ ଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।
ଅରଖକୁଦା ଗ୍ରାମ ନିକଟରେ ବାରମ୍ବାର ମୁହାଣ ଖୋଲୁଥିବା ଯୋଗୁ ଏପରି ଘଟଣା ଘଟୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଏହି ଗ୍ରାମଗୁଡ଼ିକର ରକ୍ଷାକବଚ ସାଜିଥିବା ରିଙ୍ଗ୍‍ବନ୍ଧ କାମ ୫ ବର୍ଷ ହେବ ଆରମ୍ଭ ହୋଇ ଏବେ ମଧ୍ୟ ଅଧାରେ ଅଟକି ରହିଛି। ପ୍ରତି ମାସର ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ଉତ୍ତାଳ ସାମୁଦ୍ରିକ ଜୁଆର ଧସେଇ ପଶି ଝାଟି ମାଟିର ଘର ସବୁ ଭାଙ୍ଗିବାରେ ଲାଗିଛି। ଏପଟେ ଆଜି ଦିନ ତମାମ ପବନ ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଛି। ଏଥିଯୋଗୁଁ ଚାଳ ଘରଗୁଡିକ ଭାଙ୍ଗି ପଡିବାର ସମ୍ଭାବନା ରହିଛି। ପିଲାଛୁଆଙ୍କୁ ଧରି ବାର ଦୁଆର ହେଉଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ପ୍ରଶାସନ ପକ୍ଷରୁ ଚୁଡା ଓ ଗୁଡ ବ୍ୟତୀତ କୌଣସି ରନ୍ଧାଖାଦ୍ୟ ଦିଆଯାଇ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବ୍ରହ୍ମଗିରି ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁଙ୍କୁ ପଚାରିବାରେ ସେ କୁହନ୍ତି ସ୍ଥାନୀୟ ଅଞ୍ଚଳକୁ ଯାଇ ବୁଲି ଦେଖିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଛି। ଘଟଣା ସମ୍ପର୍କରେ ଜିଲା ପ୍ରଶାସନଙ୍କୁ ଜଣାଇବି ବୋଲି ସେ ସୂଚନା ଦେଇଛନ୍ତି।

Leave A Reply