ଭାରତ ୬୦ ରନ୍‍ରେ ପରାସ୍ତ ; ଇଂଲଣ୍ଡ ୩-୧ରେ ସିରିଜ୍‍ ଜିତିଲା

0

ସାଉଥାମ୍ପଟନ୍‍ : ବିଦେଶମାଟିରେ କ୍ରମାଗତ ୨ୟ ଟେଷ୍ଟ ସିରିଜ୍‍ ପରାଜୟ ଭୋଗିଛି ଭାରତୀୟ ଦଳ। ଚଳିତବର୍ଷ ପ୍ରାରମ୍ଭରେ ଘରୋଇ ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ ସିରିଜ୍‍ ହାରିଥିବା ଭାରତ ଘରୋଇ ଇଂଲଣ୍ଡଠାରୁ ମଧ୍ୟ ଟେଷ୍ଟ ସିରିଜ୍‍ ହାରିଛି। ରବିବାର ୪ର୍ଥ ଦିନରେ ସମାପ୍ତ ହୋଇଥିବା ୪ର୍ଥ ଟେଷ୍ଟମ୍ୟାଚ୍‍ରେ ୬୦ ରନ୍‍ରେ ଭାରତକୁ ହରାଇ ଇଂଲଣ୍ଡ ସିରିଜ୍ ଜିତିନେଇଛି। ଇଂଲଣ୍ଡ ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ରେ ୩-୧ରେ ଆଗୁଆ ହୋଇଛି। ଇଂଲଣ୍ଡ ସିରିଜ୍‍ ଜିତି ସାରିଥିବା ବେଳେ ୭ରୁ ଆରମ୍ଭ ହେଉଥିବା ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‍ ଔପଚାରିକ ହୋଇ ରହିଯାଇଛି। ୨ୟ ଇନିଂସରେ ୨୪୫ ରନ୍‍ ବିଜୟଲକ୍ଷ୍ୟର ପିଛା କରିଥିବା ଭାରତ ରବିବାର ୪ର୍ଥ ଦିନରେ ୧୮୪ ରନ୍‍କରି ଅଲ୍‍ଆଉଟ ହୋଇଯାଇଛି। ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଅର୍ଦ୍ଧଶତକ ମାରିଥିଲେ ହେଁ ଅନ୍ୟ ସମସ୍ତେ ବିଫଳ ହୋଇଛନ୍ତି। ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ଅଫ୍‍ସ୍ପିନର ମୋଇନ୍‍ ଅଲୀ ୨ୟ ଇନିଂସରେ ୪ଟି ୱିକେଟ ନେଇ ଭାରତ ପାଇଁ କାଳ ସାଜିଛନ୍ତି।
୪ର୍ଥ ଦିନରେ ଇଂଲଣ୍ଡ ଆଉ ୧୧ ରନ୍‍ ଯୋଗକରି ଶେଷ ୨ଟି ୱିକେଟ ହରାଇ ୨ୟ ଇନିଂସରେ ୨୭୧ ରନ୍‍ରେ ଅଲ୍‍ଆଉଟ ହୋଇଥିଲା। ୨୪୫ ରନ୍‍ ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ମାତ୍ର ୨୨ ରନ୍‍ରେ ଭାରତର ୩ଟି ୱିକେଟ ପଡ଼ି ଯାଇଥିଲା। କେ.ଏଲ୍‍. ରାହୁଲ ଖାତା ଖୋଲିବା ପୂର୍ବରୁ ଷ୍ଟୁଆର୍ଟ ବ୍ରଡ୍‍ଙ୍କ ବଲ୍‍ରେ ବୋଲ୍‍ଡ ହୋଇ ଯାଇଥିଲେ। ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଚେତେଶ୍ୱର ପୂଜାରା ୫ ରନ୍‍କରି ଆଉଟ ହୋଇଥିଲେ। ପରେ ଶିଖର ଧାୱନ୍‍ ପୁଣିଥରେ ଅଫ୍‍ଷ୍ଟମ୍ପ୍‍ ବାହାରେ ତାଙ୍କ ଦୁର୍ବଳତା ପ୍ରଦର୍ଶନ କରି ୧୭ ରନ୍‍କରି ସ୍ଲିପ୍‍ରେ କ୍ୟାଚ୍‍ ଦେଇଥିଲେ। ଜେମ୍‍ସ ଆଣ୍ଡରସନ୍‍ ଏହି ୨ଟି ୱିକେଟ ନେଇଥିଲେ। ପରେ ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଧୀରେସୁସ୍ଥେ ସ୍କୋର୍‍କୁ ଆଗେଇ ନେଇଥିଲେ। ତାଙ୍କ ଇନିଂସ ଆରମ୍ଭରୁ କୋହଲି ଓ ରାହାଣେ ଅଳ୍ପକେ ଏଲ୍‍ବିଡବ୍ଲ୍ୟୁ ଆଉଟ ହେବାରୁ ବଞ୍ଚି ଯାଇଥିଲେ। ତେବେ ଭୋଜନ ବିରତି ପରେ କୋହଲି ଓ ରାହାଣେ ଲଢ଼ୁଆ ବ୍ୟାଟିଂ କରିଥିଲେ ଏବଂ ସ୍କୋର୍‍କୁ ଆଗେଇ ନେଇଥିଲେ। ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ଅଫ୍‍ସ୍ପିନର ମୋଇନ୍‍ ଅଲୀ ଏହି ଇନିଂସରେ ମଧ୍ୟ ଚମତ୍କାର ବୋଲିଂକରି କୋହଲି ଓ ରାହାଣେଙ୍କୁ ଅସୁବିଧାରେ ପକାଇଥିଲେ। ୪ର୍ଥ ୱିକେଟ ପାଇଁ ୧୦୧ ରନ୍‍ ଯୋଗକରି କୋହଲି ଓ ରାହାଣେ ଭାରତକୁ ବିଜୟର ଆଶା ଦେଇଥିଲେ। ୩ ୱିକେଟରେ ୧୨୩ ରନ୍‍ କରିଥିବା ଭାରତର ବିଜୟ ଆଶା ଉଜ୍ଜିବୀତ ରହିଥିଲା। ତେବେ ୪୦ ରନ୍‍ରେ ଭାରତ ୬ଟି ୱିକେଟ ହରାଇବା ଯୋଗୁଁ ଏହା ସଙ୍କଟରେ ପଡ଼ି ଯାଇଥିଲା। ଲଢ଼ୁଆ ବ୍ୟାଟିଂ କରିଥିବା କୋହଲିଙ୍କୁ ମୋଇନ୍‍ ଅଲୀ ଆଉଟ କରିଥିଲେ। ଏହି ଇନିଂସରେ ଚଳିତ ସିରିଜ୍‍ରେ ୫ ଶହ ରନ୍‍ ଅତିକ୍ରମ କରିଥିବା ବିରାଟ କୋହଲି ୧୩୦ ବଲ୍‍ରୁ ୪ଟି ଚୌକା ସହ ୫୮ ରନ୍‍ କରିଥିଲେ। ପରେ ହାର୍ଦିକ ପାଣ୍ଡ୍ୟା ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ଋଷଭ ପନ୍ତ୍‍ ଆସି କିଛି ଆକ୍ରମଣାତ୍ମକ ସଟ୍‍ ଖେଳିଥିଲେ ହେଁ ତାଙ୍କର ଏହି ରଣନୀତି ହିଁ କାଳ ହୋଇଥିଲେ। ବାଉଣ୍ଡରୀ ଲାଇନ୍‍ରେ କ୍ୟାଚ୍‍ ଦେଇଥିବା ବାମହାତି ପନ୍ତ୍‍ ୧୨ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‍ କରିଥିଲେ। ପରେ ଈଶାନ୍ତ ଶର୍ମା ୦ ଓ ମହମ୍ମଦ ସାମି ୮ ରନ୍‍କରି ଆଉଟ ହୋଇ ଯାଇଥିଲେ। ତେବେ ଭାରତର ଶେଷ ଆଶା ଅଜିଙ୍କ୍ୟ ରାହାଣେ ଆଉଟ ହୋଇଯିବା ଦଳ ପାଇଁ ଶକ୍ତ ଧକ୍କା ଥିଲା। ରାହାଣେ ୧୫୯ ବଲ୍‍ରୁ ଗୋଟିଏ ଚୌକା ସହ ୫୧ ରନ୍‍ କରିଥିଲେ। ମୋଇନ୍‍ ଅଲୀ ୪ଟି ଏବଂ ବେନ୍‍ ଷ୍ଟୋକ୍‍ସ ଓ ଜେମ୍‍ସ ଆଣ୍ଡରସନ୍‍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Leave A Reply