ସିରିଆ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ଼

0

ଡାମାସ୍କସ୍‌ : ସିରିଆର ହୋମ୍ସ ଅଞ୍ଚଳରେ ମଙ୍ଗଳବାର କ୍ଷେପଣାସ୍ତ୍ର ମାଡ ହୋଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସରକାର ପରିଚାଳିତ ସିରିଆ ସେଣ୍ଟ୍ରାଲ ମିଡିଆ କହିଛି ଯେ ହୋମ୍ସ ଅଞ୍ଚଳରେ ଥିବା ସାୟରାତ ବିମାନ ଘାଟି ଉପରେ ସକାଳୁ ସକାଳୁ କ୍ଷେପଣାସ୍ତ୍ର ମାଡ ହୋଇଛି। ତେବେ ଏହି କ୍ଷେପଣାସ୍ତ୍ର କିଏ ମାଡ କରିଛି ତାହା କୁହାଯାଇପାରି ନାହିଁ। ଏହା ପୂର୍ବରୁ ମଧ୍ୟ ହୋମ୍ସର ୪ଟି ସାମରିକ ପ୍ରତିଷ୍ଠାନ ଉପରେ ଅଜଣା କ୍ଷେପଣାସ୍ତ୍ର ମାଡ ହୋଇଥିଲା। ଏଥିରେ ୪ଜଣ ଇରାନ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏହି କ୍ଷେପଣାସ୍ତ୍ର ମାଡ ପାଇଁ ସିରିଆ ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡିକ ଇସ୍ରାଏଲକୁ ଦାୟୀ କରିଥିଲେ। ସିରିଆର ଏପରି ଅଭିଯୋଗ ଉପରେ ଇସ୍ରାଏଲ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲା। ଶନିବାର ସିରିଆ ଉପରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ମିଳିତ ଆକ୍ରମଣ କରିବା ପରେ ଏହି କ୍ଷେପଣାସ୍ତ୍ର ମାଡକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡିକ ସିରିଆର ରାସାୟନିକ ଅସ୍ତ୍ରଭଣ୍ଡାର ଓ ଅସ୍ତ୍ରତିଆରି ପ୍ରତିଷ୍ଠାନକୁ ନିଶାଣ କରି ଶତାଧିକ କ୍ଷେପଣାସ୍ତ୍ର ମାଡ କରିଥିଲେ। ଏହାକୁ ନେଇ ସିରିଆ ଓ ଏହାର ସହଯୋଗୀ ରାଷ୍ଟ୍ର ରୁଷ୍‌ ଓ ଇରାନ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିପାଇଁ ଆମେରିକା ଉପରେ ପ୍ରତିଆକ୍ରମଣ କରିବାକୁ ରୁଷ୍‌ ଧମକ ଦେଇଥିଲା। ରୁଷ୍‌ର ଧମକ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ସୃଷ୍ଟି କରିଥିବାବେଳେ ଏବେ ହେମ୍ସ ଅଞ୍ଚଳରେ ଥିବା ସାମରିକ ଘାଟିକୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ ହେବା ଏହି ଆଶଙ୍କାକୁ ଜଟିଳ ହୋଇପଡିଛି। ଅନ୍ୟପଟେ ସିରିଆରେ ରାସାୟନିକ ଅସ୍ତ୍ର ପ୍ରୟୋଗ କରାଯିବା ଉପରେ ତଦନ୍ତ କରିବା ଲାଗି ଡୌମା ସହରରେ ଆନ୍ତର୍ଜାତିକ ତଦନ୍ତକାରୀ ଦଳ ପହଞ୍ଚିଛନ୍ତି। ରାସାୟନିକ ଅସ୍ତ୍ର ନିରୋଧ ସଂଗଠନ (ଓପିସିିଡବ୍ଲ୍ୟୁ)ର ଅଧିକାରୀମାନେ ସିରିଆରେ ରାସାୟନିକ ଅସ୍ତ୍ର ପ୍ରୟୋଗର ସତ୍ୟତା ଉପରେ ତଦନ୍ତ କରିବେ। ଏପ୍ରିଲ ୭ରେ ଡୌମା ସହରରେ ରାସାୟନିକ ଅସ୍ତ୍ର ପ୍ରୟୋଗ ଦ୍ୱାରା ୪୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ରାସାୟନିକ ଅସ୍ତ୍ରପ୍ରୟୋଗ ପାଇଁ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡିକ ବାସର ଅଲ ଆସାଦଙ୍କ ନେତୃତ୍ୱ ସିରିଆ ସରକାରଙ୍କୁ ଦାୟୀ କରିଛନ୍ତି। ଆସାଦଙ୍କ ସରକାରକୁ ବିରୋଧ କରୁଥିବା ବିରୋଧୀଙ୍କୁ ନିୟନ୍ତ୍ରଣ ପାଇଁ ଏହି ରାସାୟନିକ ଅସ୍ତ୍ର ପ୍ରୟୋଗ କରାଯାଇଥିଲା। ଏହାର ଜବାବରେ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡିକ ଉପରେ ଆକ୍ରମଣ କରିଥିଲେ।

Leave A Reply