ସରକାରୀ ଜମିରୁ ବେଆଇନ କ୍ଷତିପୂରଣ ଗ୍ରହଣ ମାମଲା: ବସୁନ୍ଧରା ଓ ତାଙ୍କ ପୁଅଙ୍କୁ ସୁପ୍ରିମକୋର୍ଟ ନୋଟିସ

0

ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ତାଙ୍କ ପୁଅ ଦୁଷ୍ୟନ୍ତ ସିଂହଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଏକ ସରକାରୀ ଜମିକୁ ଭାରତ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ)ଙ୍କୁ ବିକ୍ରି କରି ୧.୯୭ କୋଟି ଟଙ୍କା କ୍ଷତିପୂରଣ ନେବା ଅଭିଯୋଗ ଆଧାରରେ ଏହି ନୋଟିସ ଜାରି କରାଯାଇଛି। ଏନଏଚଏଆଇଙ୍କୁ ସରକାରୀ ଜମି ବିକି ବେଆଇନ ଭାବେ କ୍ଷତିପୂରଣ ନେବାକୁ ନେଇ ମା ଓ ପୁଅଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ରାଜସ୍ଥାନର ଓକିଲ ଶ୍ରୀଜନ ଶ୍ରେଷ୍ଠ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଛନ୍ତି। ଶ୍ରୀଜନଙ୍କ ଆବେଦନ ଉପରେ ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ୱ ପୀଠ ବସୁନ୍ଧରା ଓ ତାଙ୍କ ପୁଅଙ୍କ ଠାରୁ ଜବାବ ଲୋଡିଛନ୍ତି। ପିଟିସନ ଅନୁଯାୟୀ ୨୦୧୦ରେ ବସୁନ୍ଧରା ଏନଏଚଏଆଇଙ୍କୁ ଧୋଲପୁର ସହର ନିକଟରେ ଥିବା ୫୬୭ ବର୍ଗମିଟର ଜମି ବ୍ରିକ୍ରି କରିଥିଲେ। ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ ଏନଏଚଏଆଇ ଏହି ଜମି ବସୁନ୍ଧରାଙ୍କ ଠାରୁ କିଣିଥିଲେ। ଏଥିପାଇଁ ସେ ୧.୯୭ କୋଟି ଟଙ୍କା କ୍ଷତିପୂରଣ ପାଇଥିଲେ। ତେବେ ଏନଏଚଏଆଇକୁ ବିକ୍ରି କରାଯାଇଥିବା ଜମିଟି ରାଜ୍ୟ ସରକାରଙ୍କର ହୋଇଥିବାବେଳେ ବସୁନ୍ଧରା ଓ ତାଙ୍କ ପୁଅ ବେଆଇନ ଭାବେ ଏହାକୁ ଦଖଲ କରିନେଇଥିଲେ। ବସୁନ୍ଧରା ସେତେବେଳେ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତ୍ରୀ ଥିଲେ। ଶ୍ରୀଜନ ମାମଲା ରୁଜୁ ଅନୁମତି ପାଇଁ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ; ମାତ୍ର ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ନଭେମ୍ବର ୨୮ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ସୁପ୍ରିମକୋର୍ଟଙ୍କ ଏହି ନୋଟିସ ଶାସକ ବିଜେପିକୁ ବଡ ଧକ୍କା ଦେଇଛି।

Leave A Reply