ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳ ନାକଚ ଆବେଦନ ସୁପ୍ରିମକୋର୍ଟରେ ଖାରଜ

0

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳ ନାକଚ କରିବା ନେଇ ବିରୋଧୀ ଦଳ ପକ୍ଷରୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ଯେଉଁ ଆସନରେ କେବଳ ଜଣେ ମାତ୍ର ପ୍ରାର୍ଥୀ ପ୍ରାର୍ଥିୀପତ୍ର ଦାଖଲ କରିଥିଲେ ତାହାର ଫଳାଫଳ ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ. ଏମ୍‍. ଖାନ୍‍ୱିଲକର ଏବଂ ଡି. ୱାଇ. ଚନ୍ଦ୍ରଚୂଡଙ୍କ ପୀଠ ନିର୍ଦେଶ ଦେଇଛନ୍ତି। ଫଳରେ ତୃଣମୂଳ କଂଗ୍ରେସର ୨୦,୦୦୦ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ବିଜୟୀ ଘୋଷଣା ହେବାର ପଥପ୍ରଶସ୍ତ ହୋଇଛି। ଏହି ନିର୍ବାଚନକୁ ନେଇ ଦୀର୍ଘ ଦିନର ବିବାଦ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ଼ଧରଣର ଆଶ୍ୱସ୍ତି ମିଳିଛି। ପ୍ରାର୍ôଥପତ୍ର ଦାଖଲ କରିବା ନେଇ ବିଜେପି ଓ ସିପିଆଇଏମ୍‍ ପ୍ରାର୍ଥୀମାନଙ୍କ ପାଇଁ ବାଧା ସୃଷ୍ଟି କରାଯାଇଥିଲା ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ପୀଠ ଏହି ଅଭିଯୋଗକୁ ବିଚାରକୁ ନେବା ସହ ଅସନ୍ତୁଷ୍ଟ ବ୍ୟକ୍ତି ଚାହିଁଲେ ପଞ୍ଚାୟତ ନିର୍ବାଚନ ବିରୋଧରେ ଉଦ୍ଦିଷ୍ଟ କୋର୍ଟରେ ଆବେଦନ କରିପାରିବେ ବୋଲି କହିଛନ୍ତି। ନିର୍ବାଚନ ସମ୍ବନ୍ଧୀୟ ଆବେଦନ ପାଇଁ ଉଦ୍ଦିଷ୍ଟ ୩୦ ଦିନର ସମୟ ସୀମା ଶେଷ ହୋଇଛି। ଏଣୁ ସାମ୍ବିଧାନିକ ଧାରା ୧୪୨ ଅଧୀନରେ ପୀଠ ନିଜର ବିଶେଷ କ୍ଷମତାର ଉପଯୋଗ ଉକ୍ତ ସମୟସୀମା ନୂତନ ଭାବେ ଆରମ୍ଭ ହେବ ବୋଲି କହିଛନ୍ତି। ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ସମ୍ବନ୍ଧୀୟ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ୩୦ ଦିନ ମଧ୍ୟରେ ଅସନ୍ତୁଷ୍ଟ ପ୍ରାର୍ଥୀ ଏହି ଆବେଦନ କରିପାରିବେ। ଅନ୍ୟପଟେ ଇମେଲ୍‍ ଏବଂ ହ୍ୱାଟସଆପ୍‍ ମାଧ୍ୟମରେ ଦାଖଲ ହୋଇଥିବା ପାର୍ଥୀପତ୍ର ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ କୋଲକତା ହାଇକୋର୍ଟ ପୂର୍ବରୁ ଦେଇଥିବା ନିର୍ଦେଶକୁ ମଧ୍ୟ ସୁପ୍ରିମକୋର୍ଟ ରଦ୍ଦ କରି ଦେଇଛନ୍ତି। ଇମେଲ୍‍ ଏବଂ ହ୍ୱାଟସଆପ୍‍ ମାଧ୍ୟମରେ ପ୍ରାର୍ଥୀପତ୍ର ଗ୍ରହଣ ନିମନ୍ତେ କୌଣସି ଆଇନ ନ ଥିବାରୁ ଏଭଳି କରାଯାଇପାରିବ ନାହିଁ ବୋଲି ପୀଠ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖ ଯେ ୨୦୧୮ ମେ’ରେ ପଶ୍ଚିମବଙ୍ଗରେ ପ୍ରବଳ ହିଂସାକାଣ୍ଡ ମଧ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୫୯,୬୯୨ଟି ଗ୍ରାମପଞ୍ଚାୟତ, ଜିଲା ପରିଷଦ ଏବଂ ପଞ୍ଚାୟତ ସମିତି ପଦ ମଧ୍ୟରୁ ୨୦,୧୫୯ଟି ପଦରେ ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯାଇ ନ ଥିଲା। ଫଳରେ ଏଗୁଡିକରେ ଶାସକ ଦଳ ତୃଣମୂଳ କଂଗ୍ରେସର ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ବିରୋଧୀ ଦଳର ଅଭିଯୋଗ ଅନୁସାରେ, ଏହାର ପ୍ରାର୍ଥୀମାନଙ୍କ ପ୍ରାର୍ଥୀପତ୍ର ଦାଖଲରେ ଶାସକ ଦଳର ସମର୍ଥକ ବାଧା ସୃଷ୍ଟି କରିଥିଲେ। ଏଣୁ ବିରୋଧୀ ପ୍ରାର୍ଥୀଙ୍କ ମଧ୍ୟରୁ କେତେ ଜଣ ଇମେଲ୍‍ ଏବଂ ହ୍ୱାସଆପ୍‍ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ନିର୍ବାଚନ କମିଶନ ଉକ୍ତ ପ୍ରାର୍ଥୀପତ୍ର ଗ୍ରହଣ କରିବା ତଥା ନିର୍ବାଚନ ଫଳାଫଳ ରଦ୍ଦ କରିବା ଦାବିରେ ସେମାନେ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave A Reply