ଧରାପଡିଲା ‘ସୁପର-୩୦’ର ଜାଲିଆତି ; ମାତ୍ର ୩ ଜଣ ପାସ୍ କରିଛନ୍ତି ଜେଇଇ !

0

ନୂଆଦିଲ୍ଲୀ : ବିଭିନ୍ନ ବୈଷୟିକ ଶିିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା ନିମନ୍ତେ କୋଚିଂ ପ୍ରଦାନ କରି ସୁନାମ ଅର୍ଜନ କରିଥିବା ‘ସୁପର-୩୦’ ନାମରେ ସାଙ୍ଘାତିକ ଅଭିଯୋଗ ଆସିଛି। ‘ସୁପର-୩୦’ର ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କ ବିରୁଦ୍ଧରେ ନିଜ ଛାତ୍ର ହିଁ ଅଭିଯୋଗ ଆଣିଛନ୍ତି। ନିଜର ଲୋକପ୍ରିୟତା ବୃଦ୍ଧି ପାଇଁ ଆନନ୍ଦ କୁମାର ଜାଲିଆତି କରି ଚର୍ଚ୍ଚାକୁ ଆସୁଛନ୍ତି। ମିଥ୍ୟା ଓ ଜାଲିଆତିର ଆଶ୍ରୟ ନେଇ ଆନନ୍ଦ କୁମାର ଚର୍ଚ୍ଚାର ବିଷୟ ପାଲଟୁଛନ୍ତି ବୋଲି ଅଭିଯୋଗ ହୋଇଛି।
ଚଳିତ ବର୍ଷ ‘ସୁପର-୩୦’ର ୨୬ ଜଣ ଛାତ୍ର ଆଇଆଇଟି ଜେଇଇ ପରୀକ୍ଷାରେ ସଫଳତା ପାଇଥିବା ଆନନ୍ଦ କୁମାର ଘୋଷଣା କରିଥିଲେ। କିନ୍ତୁ ବାସ୍ତବରେ ୩ ଜଣ ଛାତ୍ର ସଫଳ ହୋଇଥିବା ଅଭିଯୋଗ ହୋଇଛି। ଆଇଆଇଟି ଜେଇଇ ଆଡଭାନ୍ସର ଫଳାଫଳ ପ୍ରକାଶ ପାଇବା ପରେ ଆନନ୍ଦ କୁମାର ଘୋଷଣା କରିଥିଲେ କି ‘ସୁପର-୩୦’ ର ୨୬ ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ସଫଳତା ପାଇଥିବା ପିଲାଙ୍କ ମଧ୍ୟରେ ଅଛନ୍ତି ଉନୋର୍ଜିତ ଗୋସ୍ୱାମୀ, ସୁରଜ କୁମାର, ୟଶ କୁମାର ଏବଂ ସୂର୍ଯ୍ୟକାନ୍ତ। କିନ୍ତୁ ବାସ୍ତବରେ ସେହି ୨୬ ଜଣଙ୍କ ମଧ୍ୟରୁ କେହି ‘ସୁପର-୩୦’ର ନୁହନ୍ତି।
‘ସୁପର-୩୦’ର ଜଣେ ଛାତ୍ର ଗଗନ ଅଭିଯୋଗ କରିଛନ୍ତି ଯେ, ସୁରଜ କୁମାର ନାମକ ଯେଉଁ ଛାତ୍ର ଜଣଙ୍କ ଆଇଆଇଟି ଜେଇଇ ଆଡଭାନ୍ସରେ କୃତକାର୍ଯ୍ୟ ହୋଇଛନ୍ତି, ସେ ରାଜସ୍ଥାନର କୋଟାର ଏକ କୋଚିଂ ସଂସ୍ଥାରେ ପଢୁଥିଲେ। କିନ୍ତୁ ଯେତେବେଳେ ଆଇଆଇଟି ଜେଇଇ ଆଡଭାନ୍ସର ଫଳ ପ୍ରକାଶ ପାଇଲା ସେତେବେଳେ ଆନନ୍ଦ କୁମାର ଘୋଷଣା କଲେ ଯେ ସୁରଜ କୁମାର ‘ସୁପର-୩୦’ର ଛାତ୍ର। ମିଡିଆ ସମ୍ମୁଖରେ ସୁରଜ କୁମାରଙ୍କୁ ‘ସୁପର-୩୦’ର ଛାତ୍ର ଭାବେ ଉପସ୍ଥାପନ କରାଗଲା। ସୁରଜ କୁମାରଙ୍କୁ ବହୁତ ଅଧିକ ଟଙ୍କା ବୃତ୍ତି ଆକାରରେ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଗଗନ ଆଉ ଏକ ଅଭିଯୋଗ କରିଛନ୍ତି ଯେ ଚଳିତ ବର୍ଷ ‘ସୁପର-୩୦’ର ଯେଉଁ ୨୬ ଜଣଙ୍କ ନାମ ଘୋଷଣା କରାଯାଉଛି ସେମାନଙ୍କ ମଧ୍ୟରୁ କେବଳ ଉନୋର୍ଜିତ ଗୋସ୍ୱାମୀ ହିଁ ‘ସୁପର-୩୦’ର ଛାତ୍ର।
‘ସୁପର-୩୦’ ନାମରେ ଏହି ଅଭିଯୋଗ ଆସିବା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave A Reply