ଯୋଗେଶଙ୍କ ପରେ ନରେଶଙ୍କୁ ନେଇ କଂଗ୍ରେସ ମହଲରେ ଚର୍ଚ୍ଚା

0

ସୁନ୍ଦରଗଡ଼ : ସଦର ବିଧାୟକ ଯୋଗେଶ ସିଂଙ୍କୁ ନିଲମ୍ବନ କରିବାର ୨୪ଘଣ୍ଟା ନପୁରୁଣୁ ତାଙ୍କ ବଡ଼ଭାଇ ତଥା ଜିଲା ପରିଷଦ ସଭ୍ୟ ଓ ଜିଲା କଂଗ୍ରେସ କମିଟିର ଉପସଭାପତି ନରେଶ ପ୍ରତାପ ସିଂଙ୍କୁ ନେଇ କଂଗ୍ରେସ ମହଲରେ ଏକ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏସମ୍ପର୍କରେ ନରେଶଙ୍କ ମତାମତ ନେବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନଥିବା ବେଳେ ଜିଲା କଂଗ୍ରେସ କମିଟିର କର୍ମକର୍ତ୍ତାମାନେ ମଧ୍ୟ ଏ ସଂପର୍କରେ ଦଳର ଅନୁଶାସନକୁ ଡ଼ରି କିଛି ଖୋଲାଖୋଲି କହିବା ପାଇଁ ଚାହୁନଥିଲେ ମଧ୍ୟ ପରୋକ୍ଷରେ ଏ ଚର୍ଚ୍ଚାର ଗୁରୁତ୍ୱ ରହିଛି ବୋଲି ଇଙ୍ଗିତ ଦେଇଛନ୍ତି। ଦୁଇ ଦୁଇ ଥର କଂଗ୍ରେସ ଦଳରୁ ବିଧାୟକ ହୋଇଥିବା ଯୋଗେଶ ସିଂ ବିଜେଡ଼ିରେ ଯୋଗଦେବାକୁ ନେଇ ନିଜ ଆଭିମୁଖ୍ୟ ପ୍ରକାଶ କରିବା ଓ ଦଳର ହାଇକମାଣ୍ଡ ସମ୍ପର୍କରେ ମତ ଦେଇ ଦଳରୁ ନିଲମ୍ବନ ହେବା ଘଟଣାର ଚର୍ଚ୍ଚା ଜାରି ରହିଛି। ଯୋଗେଶଙ୍କ ନିଲମ୍ବନ ଆଦେଶକୁ ଜିଲା କଂଗ୍ରେସ କମିଟି ସମେତ ବରିଷ୍ଠ ନେତାମାନେ ସ୍ୱାଗତ କରିଥିଲେ ହିଁ ଏହା ଯଥେଷ୍ଟ ପୂର୍ବରୁ ଏହା ହେବାର ଥିଲା ବୋଲି ମତ ଦେଇଛନ୍ତି। ଅପରପକ୍ଷରେ ଯୋଗେଶଙ୍କ ବଡ଼ଭାଇ ତଥା ବର୍ତ୍ତମାନ ଜିଲା ପରିଷଦ ସଭ୍ୟ ଓ ଜିଲା କଂଗ୍ରେସ କମିଟିର ଉପ-ସଭାପତି ଥିବା ନରେଶ ପ୍ରତାପ ସିଂଙ୍କ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜନୈତିକ ପରିପକ୍ୱତା ଓ ଅଭିଜ୍ଞତା ଥିବା ନରେଶ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହେବା ପାଇଁ ଦଳର ଏକ ଗୋଷ୍ଠୀ ଅଣ୍ଟା ଭିଡ଼ିଛନ୍ତି। ଏପରିକି ତାଙ୍କ ପ୍ରାର୍ଥୀତ୍ୱକୁ ଦୃଢ଼ କରିବା ପାଇଁ ଏହି ଗୋଷ୍ଠୀଙ୍କ ବୈଠକ ଅନୁଷ୍ଠିତ ହୋଇ କଂଗ୍ରେସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି। ନରେଶ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ସର୍ଗିପାଲି ପଞ୍ଚାୟତର ସରପଞ୍ଚ ରହିଥିବା ବେଳେ ୨୦୦୭ ରୁ ୨୦୧୭ ପର୍ଯ୍ୟନ୍ତ ଲଗାତାର ଦୁଇଥର ଲେଫ୍ରିପଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ବ୍ଲକ ଲୋକଙ୍କ ଆସ୍ଥାଭାଜନ ହୋଇପାରିଥିଲେ। ଫଳସ୍ୱରୂପ ଗତ ଜିଲା ପରିଷଦ ନିର୍ବାଚନରେ ଜିଲା ପରିଷଦ ସଭ୍ୟ ଭାବେ ବିଜୟୀ ହୋଇ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ସେ ଜିଲା ପରିଷଦର ଅଧ୍ୟକ୍ଷ ହୋଇଥାନ୍ତେ ବୋଲି ଏହି ଗୋଷ୍ଠୀ କୁଆଡ଼େ ଦାବି କରିବା ସହ ଉପାଧ୍ୟକ୍ଷ ପଦ ପାଇଁ ତାଙ୍କୁ କୁହାଯାଇଥିଲେ ମଧ୍ୟ ସେ ଏହାକୁ ଏକ ପ୍ରକାର ପ୍ରତ୍ୟାଖ୍ୟାନ କରିଥିଲେ। ପରବର୍ତ୍ତୀ ସମୟରେ ସେ ତଳସରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ହେବା ପାଇଁ ମନବଳାଇ ଦଳ ନିକଟରେ ପରୋକ୍ଷରେ ସୂଚନା ଦେଇଥିଲେ ମାତ୍ର ପିସିସି ମୁଖିଆ ବଦଳି ଯିବା ପରେ ସମଗ୍ର ରାଜ୍ୟରେ କଂଗ୍ରେସ ରାଜନୀତିରେ ଏକ ନୂଆ ମୋଡ଼ ଚାଲି ଆସିଥିଲା। ନରେଶଙ୍କ କର୍ତ୍ତବ୍ୟନିଷ୍ଠା ଓ ଦଳ ପ୍ରତି ଆନୁଗତ୍ୟକୁ ହୃଦୟଙ୍ଗମ କରି ଦଳ ତାଙ୍କୁ ତଳସରା ଓ ସଦର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ କାର୍ଯ୍ୟକ୍ରମର ପ୍ରମୁଖ ଦାୟିତ୍ୱ ଦେଇଥିବାର ଜଣାପଡ଼ିଛି। ତେଣୁ ନରେଶଙ୍କୁ ସଦର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଇଲେ କଂଗ୍ରେସ ଦଳ ବିଶେଷ ଲାଭବାନ ହେବ ବୋଲି ଗୋଷ୍ଠୀ ଦାବି କରିଛି।

Leave A Reply