ଲୋକାର୍ପିତ ହେଲା ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’

0

ନୂଆଦିଲ୍ଲୀ: ଲୌହମାନବ ତଥା ଭାରତର ପ୍ରଥମ ସ୍ବରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି  ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଲୋକାର୍ପିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲୋକାର୍ପିତ କରିଛନ୍ତି। ବୁଧବାର ପୂର୍ବାହ୍ନରେ ଗୁଜୁରାଟର ନର୍ମଦା ଜିଲା କେଭାଡିଆଠାରେ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ତାଙ୍କ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ଉଦଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଆଜିର ଦିବସ ସମଗ୍ର ଭାରତ ଇତିହାସରେ ସ୍ମରଣୀୟ ହୋଇରହିବ । ଭାରତବାସୀ ଏହାକୁ ଭୁଲି ପାରିବେ ନାହିଁ ।
ଉଦଘାଟନ ପରେ ଭାରତୀୟ ବାୟୁସେନାର ‘କିରଣ’ ବିମାନ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଚାରିପଟ ଆକାଶରେ ତ୍ରିରଙ୍ଗା ବିଚ୍ଛୁରଣ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଜନତାଙ୍କୁ ପ୍ରଥମେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟଭାଇ ରୂପାନି ନିଜର ଅଭିଭାଷଣ ପ୍ରଦାନ କରିବା ସହ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପାଇଁ ପ୍ରଶ୍ବସ୍ତି ପତ୍ର ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପଲକ୍ଷେ ନର୍ମଦା ଚାରିପଟେ ଅପୂର୍ବ ନିରାପତ୍ତା ବ୍ୟବସ୍ଥା କରାଯାଇଥିଲା। ଉଦଘାଟନସ୍ଥଳୀରେ ଜଣେ ଆଡିସନାଲ ଡିଜି, ଜଣେ ଆଇଜି, ପାଞ୍ଚ ଜଣ ପୁଲସି ସୁପରିଣ୍ଟେଣ୍ଡେଣ୍ଟ, ୩୦ଜଣ ଡିଏସପି, ୬୭ଜଣ ପୁଲିସ ଇନସପେକ୍ଟର, ୩୧୭ଜଣ ପୁଲିସ ସବ-ଇନସପେକ୍ଟର ଓ ୨୮ଜଣ ବାଇକ ଆରୋହୀ ପୁଲିସ ବିଭିନ୍ନ ସ୍ଥାନରେ ରହିଛନ୍ତି। ୬ଟି ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ମୁତୟନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ସର୍ଦ୍ଦାର ପଟେଲଙ୍କ ଏହି ପ୍ରତିମୂର୍ତ୍ତିକୁ ତାଙ୍କର ଜନ୍ମଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ଏହି ପ୍ରତିମୂର୍ତ୍ତି ଦୁନିଆର ସର୍ବୋଚ୍ଚ ପ୍ରତିମୂର୍ତ୍ତିର ମାନ୍ୟତା ହାସଲ କରିଛି। ଏହି ମୂର୍ତ୍ତିକୁ ଦେଖିବା ପାଇଁ ଦେଶ ଏବଂ ବିଦେଶରୁ ଲୋକମାନେ ଆସିବା ନେଇ ଗୁଜରାଟ ସରକାର ଆଶା କରିଛନ୍ତି। ତେଣୁ ସମସ୍ତ ପର୍ଯ୍ୟଟକମାନଙ୍କୁ ରହିବା ପାଇଁ ମଧ୍ୟ ଉତ୍ତମ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ନର୍ମଦା ନଦୀର ସର୍ଦ୍ଦାର ସରୋଭର ଡ୍ୟାମ ଠାରୁ ୩.୫ କିମି ଦୂରରେ ଏହି ମୂର୍ତ୍ତି ରହିଛି। ମୂର୍ତ୍ତି ନିର୍ମାଣ କରିଥିବା କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଏନ.ସୁବ୍ରମଣ୍ୟନଙ୍କ ମତରେ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ରାଷ୍ଟ୍ରର ଗର୍ବ ଏବଂ ଗୌରବର ପ୍ରତୀକ। ଏହି ପ୍ରତିମା ଦ୍ୱାରା ଦେଶର ଇଞ୍ଜିନିୟର ମାନଙ୍କର କୌଶଳ ଓ ଜ୍ଞାନ ସମଗ୍ର ବିଶ୍ୱରେ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶା ରଖାଯାଇଛି।

Leave A Reply