ଜାତୀୟ ପୁରୁଷ ହକି ଶିବିରରେ ୭ ଓଡ଼ିଆ

0

ବେଙ୍ଗାଲୁରୁ : ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପରିସରରେ ଶୁକ୍ରବାରରୁ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ପୁରୁଷ ହକି ଶିବିର ନିମନ୍ତେ ହକି ଇଣ୍ଡିଆ ତରଫରୁ ୫୫ ଖେଳାଳି ତାଲିକା ଘୋଷିତ ହୋଇଛି। ଏହି ତାଲିକାରେ ଓଡ଼ିଶାର ୭ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ରକ୍ଷଣଭାଗରେ ଓଡ଼ିଶାର ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ଦିପସାନ୍‍ ତିର୍କୀ, ନିଲମ ସଂଜୀପ ଖେସ୍‍ ଓ ଆନନ୍ଦ ଲାକ୍ରା, ମଧ୍ୟଭାଗରେ ଅମୋନ ମିରାସ ତିର୍କୀ ଓ ଆକ୍ରମଣପନ୍ଥୀରେ ପ୍ରଭାକର ମିଞ୍ଜ୍‍ ଶିବିରରେ ସାମିଲ ହେବେ।
ଏହି ଶିବିରରେ ପୂର୍ବତନ ଅଧିନାୟକ ସର୍ଦାର ସିଂହଙ୍କୁ ସାମିଲ କରାଯାଇଛି। ସୂଚନାଥାଉକି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ଭାରତୀୟ ଦଳରୁ ସର୍ଦାର ବାଦ୍‍ ପଡ଼ିଥିଲେ। ଏହି ଶିବିର ମେ ୧୮ ପର୍ଯ୍ୟନ୍ତ ଚାଲିବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିମନ୍ତେ ଭାରତୀୟ ଦଳରେ ସାମିଲ ଥିବା ସମସ୍ତ ୧୮ଜଣ ଯାକ ଖେଳାଳିଙ୍କୁ ଏହି ଶିବିରରେ ସ୍ଥାନ ମିଳିଛି। ଶିବିର ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶିକ୍ଷକ ସୋଏର୍ଡ ମାରିୟେନେ କହିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦଳ କୌଣସି ପଦକ ଜିତିବାରେ ସକ୍ଷମ ହୋଇପାରି ନ ଥିଲା। ଆଗାମୀ ଦିନରେ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଯାଉଥିବାରୁ ଖେଳାଳିଙ୍କ ଦୋଷ ଦୁର୍ବଳତା ଜାଣିବାକୁ ଏହି ଶିବିର ସହାୟକ ହେବ।

Leave A Reply