ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ପ୍ରସଙ୍ଗ: ‘ହାଇକୋର୍ଟରେ ଆବେଦନ କର’

0

ନୂଆଦିଲ୍ଲୀ,୨୦।୭(ନି.ପ୍ର): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଏବଂ ଶ୍ରୀଜଗନ୍ନାଥଙ୍କ ୧୩ଶହ ଏକର ଜମି ବେଦାନ୍ତକୁ ଦିଆଯିବା ଘଟଣାର ସିବିଆଇ ତଦନ୍ତ ପାଇଁ ଆଗତ ମାମଲାର ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି।
ଏକ ସ୍ଥାନୀୟ ସମସ୍ୟାକୁ ନେଇ ପିଟିସନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଟିପ୍‍ପଣୀ କରିଛନ୍ତି। ମାମଲାର ଗୁରୁତ୍ତ୍ୱ ଦୃଷ୍ଟିରୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ସୁପ୍ରିମକୋର୍ଟର ବିଚାରପତି ଏ କେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ବେଳେ ପିଟିସନକାରୀ ଇଣ୍ଟରକଣ୍ଟିନେଣ୍ଟାନଲ ଆସୋସିଏସନ ଅଫ ଲୟାରର୍ସର ଅଧ୍ୟକ୍ଷ ତଥା ଆଡଭୋକେଟ ଦେବାଷିଶ ମିଶ୍ର ଦର୍ଶାଇଥିଲେ ଯେ ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ତଥ୍ୟ ଉପସ୍ଥାପନ କରାଯାଇ ଘଟଣାକ୍ରମକୁ ଗୋଳମାଳିଆ କରିଦିଆଯାଇଛି। ପ୍ରକୃତ ସତ୍ୟ କ’ଣ କେହି ଜାଣିପାରୁନାହାନ୍ତି। ଏକାଧିକ ମାମଲା ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ଶୁଣାଣି ଶେଷ ହୋଇପାରୁ ନାହିଁ। ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହାଇକୋର୍ଟ ଚୂଡ଼ାନ୍ତ ରାୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଏକ ନିର୍ଦେଶନାମା ଜାରି କରିବାକୁ ନିବେଦନ କରିଥିଲେ। ଶ୍ରୀମନ୍ଦିର ନିୟମାନୁଯାୟୀ ଡୁପ୍ଳିକେଟ ଚାବି ତିଆରି ନେଇ କୌଣସି ବ୍ୟବସ୍ଥା ନ ଥିଲେ ମଧ୍ୟ ଡୁପ୍ଳିକେଟ ଚାବି ମିଳିବା କଥା ପୁରୀ ଜିଲାପାଳ ଜଣାଇବା ପରେ ସମସ୍ତ ଘଟଣାକ୍ରମ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୪ରେ ଜଗନ୍ନାଥଙ୍କ ନାମରେ ରେକର୍ଡଭୁକ୍ତ ଜମିକୁ ଅନ୍ୟ କୌଣସି ଅନୁଷ୍ଠାନ, ସଂସ୍ଥା ନାମରେ ହସ୍ତାନ୍ତର କରିବାର ବ୍ୟବସ୍ଥା ନାହିଁ। ଜଗନ୍ନାଥଙ୍କ ନାମରେ ଥିବା ପ୍ରାୟ ୧୩ଶହ ଏକର ଜମିକୁ ବେଦାନ୍ତ କମ୍ପାନୀ ହାତରେ ଟେକି ଦିଆଯାଇଛି ବୋଲି ଆଡଭୋକେଟ ମିଶ୍ର ଅଭିଯୋଗ କରିଥିଲେ।

Leave A Reply