ଭାରତକୁ ଅଧିକ ପଦକ ଜିତାଇ ପାରନ୍ତି ମହିଳା କ୍ରୀଡ଼ାବିତ୍‍

0

ନୂଆଦିଲ୍ଲୀ : ଆସନ୍ତା ଏସୀୟ କ୍ରୀଡ଼ାରେ ମହିଳା କ୍ରୀଡ଼ାବିତ୍‍ମାନେ ଭାରତକୁ ଅଧିକ ପଦକ ଜିତାଇବେ ବୋଲି ଆଶା କରାଯାଉଛି। ବିଗତ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କ୍ରୀଡ଼ାବିତ୍‍ମାନେ ବେଶ୍‍ ଭଲ ପ୍ରଦର୍ଶନ କରିଥିବାରୁ ଆଗାମୀ ଏସୀୟ କ୍ରୀଡ଼ାରେ ମଧ୍ୟ ମହିଳା କ୍ରୀଡ଼ାବିତ୍‍ ଦେଶ ପାଇଁ ବହୁ ସୁନାମ ଅର୍ଜନ କରିବେ ବୋଲି ଆଶା ରହିଛି।
ସୂଚନାଥାଉକି ୧୯୭୦ ଏସୀୟ କ୍ରୀଡ଼ାରେ କମଲଜିତ୍‍ ସାନ୍ଧୁ ୪୦୦ ମିଟର ଦୌଡ଼ରେ ପ୍ରଥମ ଭାରତୀୟ ମହିଳା ଆଥଲେଟ୍‍ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାର ୧୬ ବର୍ଷ ପରେ ୧୯୮୬ ଏସୀୟ କ୍ରୀଡ଼ାରେ ମହାନ୍‍ ଦୌଡ଼ାଳି ପିଟି ଉଷା ୪ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଏସୀୟ କ୍ରୀଡ଼ାରେ ଭାରତ ୫ଟି ସ୍ୱର୍ଣ୍ଣ ପଦକ ଜିତିଥିଲା। ସେହିପରି ୨୦୧୦ ଓ ୨୦୧୪ ଏସୀୟ କ୍ରୀଡ଼ାରେ ଭାରତ ମୋଟ୍‍ ୨୫ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା କ୍ରୀଡ଼ାବିତ୍‍ ୧୦ଟି ସ୍ୱର୍ଣ୍ଣ ହାସଲ କରିଥିଲେ। ଏଥିପୂର୍ବରୁ ୨୦୦୨ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ୬ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗତଥରର ଏସୀୟ କ୍ରୀଡ଼ାରେ ଭାରତ ମୋଟ୍‍ ୫୭ଟି ପଦକ ଜିତିଥିଲା। ସେଥିମଧ୍ୟରେ ୧୧ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ୍‍ ପଦକ ଥିଲା। ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଯୁବ ମହିଳା ଆଥଲେଟ୍‍ ହିମା ଦାସ ଆଗାମୀ ଏସୀୟ କ୍ରୀଡ଼ାର ୪୦୦ ମିଟର ଦୌଡ଼ରେ ନିଶ୍ଚିତ ଭାବେ ସ୍ୱର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଛି। ଏହାବାଦ୍‍ ସେ ୪ ଗୁଣା ୪୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ଭାଗ ନେବେ। ଏସବୁ ବିଭାଗରେ ସେ ପଦକ ଜିତିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ସେହିପରି ୧୦୦ ମିଟର ଦୌଡ଼ରେ ଦୁତି ଚାନ୍ଦ ଭାରତ ନିମନ୍ତେ ପଦକ ଜିତିବା ଆଶା ରହିଛି। ଡିସକସ ଥ୍ରୋରେ ବରିଷ୍ଠ ଖେଳାଳି ସୀମା ପୁନିଆ ପୁନର୍ବାର ସ୍ୱର୍ଣ୍ଣ ପଦକ ଜିତିବାକୁ ନିଶ୍ଚିତ ଭାବେ ପ୍ରୟାସ କରିବେ। ବ୍ୟାଡମିଣ୍ଟନ୍‍ରେ ମହିଳା ତାରକା ସାଇନା ନେହୱାଲ୍‍ ଓ ପିଭି ସିନ୍ଧୁ ଆଗାମୀ ଏସୀୟ କ୍ରୀଡ଼ାରେ ନିଶ୍ଚିତ ଭାବେ ପଦକ ବିଜୟୀ ହେବେ ବୋଲି ଭାରତୀୟ କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି। ପ୍ରତିଥର ଭଳି ସୁଟିଂ (ବନ୍ଧୁକଚାଳନା)ରେ ଭାରତୀୟ ମହିଳା ସୁଟର ଅଧିକ ସଂଖ୍ୟାର ପଦକ ଜିତିବେ ବୋଲି ଦୃଢ଼ ଆଶା ରହିଛି। ୧୬ ବର୍ଷୀୟା ମନୁ ଭାକେର ୧୦ ମିଟର ଏୟାର ପିସ୍ତଲ୍‍, ୨୫ ମିଟର ପିସ୍ତଲ୍‍ ଓ ୧୦ ମିଟର ଏୟାର ପିସ୍ତଲ୍‍ ମିକ୍ସଡ଼ ବିଭାଗରେ ପଦକ ଜିତିବେ ବୋଲି ଆଲୋଚନା ହେଉଛି। ଅନ୍ୟତମ ସୁଟର ହୀନା ସିଧୁ ୧୦ ମିଟର ଏୟାର ପିସ୍ତଲ୍‍ ବିଭାଗରେ ଏସୀୟ କ୍ରୀଡ଼ାରେ ପଦକ ହାସଲ କରିବେ ବୋଲି ଆଶା କରାଯାଉଛି।
ଜିମ୍ନାଷ୍ଟିକ୍‍ ବିଭାଗରେ ଦୀପା କର୍ମକାର ଭାରତ ନିମନ୍ତେ ପଦକ ଜିତିବା ସମସ୍ତେ ଆଶା ରଖିଛନ୍ତି। ୨୦୧୪ ଏସୀୟ କ୍ରୀଡ଼ାରେ ଦୀପା ବ୍ରୋଞ୍ଜ୍‍ ପଦକ ଜିତିଥିବା ବେଳେ ଆଗାମୀ ଏସୀୟ କ୍ରୀଡ଼ାରେ ସେ ନିଶ୍ଚିତ ଭାବେ ସ୍ୱର୍ଣ୍ଣ ପଦକ ଜିତିବାକୁ ଚେଷ୍ଟା କରିବେ। ତୀରନ୍ଦାଜ ବିଭାଗରେ ଦୀପିକା କୁମାରୀ ବିଗତ ଅଧିକାଂଶ ପ୍ରତିଯୋଗିତାରେ ବହୁ ପଦକ ଜିତିଥିବାରୁ ଏସୀୟ କ୍ରୀଡ଼ାରେ ସେ ପଦକ ଜିତିବା ଆଶା କରାଯାଉଛି। ସେହିପରି ମହିଳା କବାଡ଼ି ଦଳ ମଧ୍ୟ ପଦକ ବିଜୟୀ ହେବ ବୋଲି କୁହାଯାଉଛି। ମହିଳା ହକି ଦଳ ଗତଥରର ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍‍ ପଦକ ଜିତିଥିବା ବେଳେ ଆଗାମୀ ଏସୀୟ କ୍ରୀଡ଼ାରେ ଶକ୍ତିଶାଳୀ ଦକ୍ଷିଣ କୋରିଆ ଓ ଚୀନ୍‍ଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିବ ବୋଲି ଆଶା ରହିଛି। କୁସ୍ତି ବିଭାଗରେ ମହିଳା ମଲ୍ଲଯୋଦ୍ଧା ସାକ୍ଷୀ ମଲିକ ଓ ବିନେଶ ଫୋଗତ୍‍ ପଦକ ଜିତିପାରନ୍ତି।

Leave A Reply