ଫେଡେରର ପରାସ୍ତ; ସେମିରେ ଜୋକୋଭିକ୍‍ ଓ ଆଣ୍ଡରସନ୍‍

0

ଲଣ୍ଡନ : ଗ୍ରାଣ୍ଡସ୍ଲାମ୍‍ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍‍ର ପୁରୁଷ ସିଙ୍ଗଲ୍‍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ନୋଭାକ୍‍ ଜୋକୋଭିକ୍‍ ଓ କେଭିନ୍‍ ଆଣ୍ଡରସନ୍‍। ତେବେ ଚକିକତର ଭାବେ ବିଶ୍ୱରେକର୍ଡ ୨୦ ଗ୍ରାଣ୍ଡସ୍ଲାମ୍‍ ଓ ରେକର୍ଡ ୮ଟି ୱିମ୍ବଲଡନ୍‍ ସିଙ୍ଗଲ୍‍ସ ଟାଇଟଲ ଜିତିଥିବା ରଜର ଫେଡେରର ପରାସ୍ତ ହୋଇଯାଇଛି। ଫେଡେରରଙ୍କୁ ୫ଟି ସେଟ୍‍ରେ ଦକ୍ଷିଣ ଆଫ୍ରିକାର କେଭିନ୍‍ ଆଣ୍ଡରସନ୍‍ ପରାସ୍ତକରି ବିପର୍ଯ୍ୟୟ ଘଟାଇଛନ୍ତି।
ବୁଧବାର ଖେଳା ଯାଇଥିବା ଏକ ମାଥରାନ୍‍ କ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ଦକ୍ଷିଣ ଆଫ୍ରିକାର କେଭିନ୍‍ ଆଣ୍ଡରସନ୍‍ ୨-୬, ୬-୭, ୭-୫, ୬-୪, ୧୩-୧୧ରେ ଟପ୍‍ ସିଡ୍‍ ସ୍ୱିଜରଲାଣ୍ଡର ରଜର ଫେଡେରରଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୪ ଘଣ୍ଟା ୧୩ ମିନିଟ ଧରି ଚାଲିଥିଲା। ରଜର ଫେଡେରର ପ୍ରଥମ ୨ଟି ସେଟ୍‍ ଜିତିବା ପରେ ମ୍ୟାଚ୍‍କୁ ସହଜରେ ଜିତିବେ ବୋଲି ଆଶା କରା ଯାଉଥିଲା। ତେବେ ୮ମ ସିଡ୍‍ କେଭିନ୍‍ ଆଣ୍ଡରସନ୍‍ ଆଶା ହରାନଥିଲେ ଏବଂ ସଂଘର୍ଷକରି ପରବର୍ତ୍ତୀ ୨ଟି ସେଟ୍‍କୁ ଜିତି ସ୍କୋର୍‍କୁ ୨-୨ କରିଥିଲେ। ନିର୍ଣ୍ଣାୟକ ୫ମ ତଥା ଅନ୍ତିମ ସେଟ୍‍ ୧ ଘଣ୍ଟାରୁ ଅଧିକ ସମୟ ଚାଲିଥିଲା ଏବଂ ସ୍କୋର୍‍ ୧୧ ଥିବା ବେଳେ ଫେଡେରରଙ୍କ ସର୍ଭିସ୍‍ ବ୍ରେକ୍‍କରି ଆଣ୍ଡରସନ୍‍ ଏହାକୁ ଜିତି ନେଇଥିଲେ। ଫେଡେରର ୨ଟି ସେଟ୍‍ରେ ଆଗୁଆ ଥିବା ବେଳେ ଏକ ମ୍ୟାଚ୍‍ ପଏଣ୍ଟ ମଧ୍ୟ ହାତଛଡ଼ା କରିଥିଲେ। ଗତବର୍ଷ ଫ୍ରେଞ୍ଚ୍‍ ଓପନ୍‍ର ଫାଇନାଲ ଖେଳିଥିବା କେଭିନ୍‍ ଆଣ୍ଡରସନ୍‍ ଏହାକୁ ମିଶାଇ ଜୀବନର ୨ୟ ଗ୍ରାଣ୍ଡସ୍ଲାମ୍‍ ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ବୁଧବାର ଏକ ସଂଘର୍ଷପୂର୍ଣ୍ଣ କ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ୧୨ଶ ସିଡ୍‍ ଜୋକୋଭିକ୍‍ ୨୪ନଂ ସିଡ୍‍ ଜାପାନର କେଇ ନିଶିକୋରିଙ୍କୁ ୬-୩, ୩-୬, ୬-୨, ୬-୨ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହ ଜୋକୋଭିକ୍‍ ୮ମ ଥର ୱିମ୍ବଲଡନ୍‍ର ସେମିଫାଇନାଲରେ ପହଞ୍ଚିଥିବା ବେଳେ ୩୨ତମ ଗ୍ରାଣ୍ଡସ୍ଲାମ୍‍ ସେମିଫାଇନାଲ ଖେଳିବାକୁ ଯାଉଛନ୍ତି। ପୁଣି ୨୦୧୬ ଫ୍ରେଞ୍ଚ୍‍ ଓପନ୍‍ ପରେ ଏହା ଜୋକୋଭିକ୍‍ଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ୍‍ ସେମିଫାଇନାଲ। ପ୍ରଥମ ସେଟ୍‍ ହାରିବା ପରେ ନିଶିକୋରି ୨ୟ ସେଟ୍‍ ଜିତି ମ୍ୟାଚ୍‍କୁ ଫେରିଥିଲେ ହେଁ ଜୋକୋଭିକ୍‍ ପରବର୍ତ୍ତୀ ୨ଟି ସେଟ୍‍କୁ ସହଜରେ ଜିତି ନେଇଥିଲେ। ମ୍ୟାଚ୍‍ର ଶେଷ ୧୨ଟି ଗେମ୍‍ରୁ ଜୋକୋଭିକ୍‍ ୧୦ଟି ଜିତି ପାରିଥିଲେ। ୨୦୧୧, ୨୦୧୪ ଓ ୨୦୧୫ରେ ୱିମ୍ବଲଡନ୍‍ ଚମ୍ପିଆନ୍‍ ହୋଇଥିବା ଜୋକୋଭିକ୍‍ ଜୀବନରେ ୧୨ଟି ଗ୍ରାଣ୍ଡସ୍ଲାମ୍‍ ସିଙ୍ଗଲ୍‍ସ ଟାଇଟଲ ଜିତିଛନ୍ତି। ଜୀବନର ପ୍ରଥମ ୱିମ୍ବଲଡନ୍‍ କ୍ୱାର୍ଟରଫାଇନାଲ ଖେଳିଥିବା ନିଶିକୋରି ଆଗକୁ ଯାଇ ପାରିନାହାନ୍ତି।

Leave A Reply