ଆତ୍ମହତ୍ୟା ସମାଧାନ ନୁହେଁ

- ସତ୍ୟନାରାୟଣ ମିଶ୍ର (ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ଭାରତ ସରକାର)

0

ଆତ୍ମହତ୍ୟା ହେଉଛି ଏକ ରୋଗ ଓ ଦୁର୍ବଳ ମସ୍ତିଷ୍କର ସିଦ୍ଧାନ୍ତ। ଏହା ଏକ ଭୀରୁ, କାପୁରୁଷ ଓ ସୁବିଧାବାଦୀ ବ୍ୟକ୍ତି ବିଶେଷଙ୍କର ନିଷ୍ପତ୍ତି। ମଣିଷ ଜୀବନ ହେଉଛି ଏକ ଦୁର୍ଲଭ ଜୀବନ ଓ କୋଟି ପୁଣ୍ୟ କରିଥିଲେ ମନୁଷ୍ୟ ଜୀବନ ମିଳିଥାଏ ବୋଲି ବିଶ୍ବାସ କରାଯାଏ। ଈଶ୍ବରଙ୍କ କୃପାରୁ ମନୁଷ୍ୟ ଜନ୍ମ ପାଇଥିବା ମଣିଷ ତାଙ୍କ ଦୟାକୁ କୁଠାରାଘାତ କରି ଆତ୍ମହତ୍ୟାର ହୀନ ନିଷ୍ପତ୍ତି ନେଇଥାଏ। ମଣିଷ ଯେତେବେଳେ ଉକ୍ତ ନିଃଶ୍ବାସ ପ୍ରଶ୍ବାସର ଗତି କ୍ରିୟା ବନ୍ଦ କରିବାର ନିଷ୍ପତ୍ତି ନେଇଥାଏ, ସେତେବେଳେ ସୃଷ୍ଟିର ନିୟମକୁ ଉଲ୍ଲଙ୍ଘନ କରିଥାଏ, ଯାହାକୁ ଅପରାଧଯୁକ୍ତ ବୋଲି ଭାରତୀୟ ଆଇନ (ଆଇପିସି) ଧାରା ୩୦୯ରେ କୁହାଯାଇ ଆତ୍ମହତ୍ୟା ଏକ ଅପରାଧ ବୋଲି ବିବେଚନା କରାଯାଇଛି। ଆଇନର ଉଦ୍ଦେଶ୍ୟ ହେଉଛି ହୀନ ପ୍ରକୃତିରୁ ମଣିଷ କ୍ଷାନ୍ତ ହୋଇ ଅତୀତ ଭବିଷ୍ୟତକୁ ବିଚାର କରି ନିଷ୍ପତ୍ତି ନେଇ ଜୀବନ ନିର୍ବାହ କରିବା ଉଚିତ । ଜୀବଦ୍ଦଶା ମଧ୍ୟରେ ଅଭାବ, ଅସୁବିଧା, ଦୁଃଖ, ସୁଖ, ଭଲ ମନ୍ଦ, ଇତ୍ୟାଦି ସମସ୍ତଙ୍କୁ ସହ୍ୟ କରିବାକୁ ପଡିଥାଏ ଓ ସେଥିରେ କାହାର ମାତ୍ରା ଅଧିକ ହୋଇଥାଏ ତ ପୁଣି କାହାର ମାତ୍ରା କମ ହୋଇଥାଏ। ମାତ୍ର ଈପ୍ସିତ ଇଚ୍ଛା ବା କାମନା ତଥା ବାସନା ପୂରଣ ନ ହେଲେ ଯେ ମଣିଷ ଆତ୍ମହତ୍ୟା କରିବ, ତାହା ସୁସ୍ଥ ମାନସିକତାର ପରିଚୟ ହୋଇ ନଥାଏ; ବରଂ ଉକ୍ତ ଶ୍ରେଣୀର ଲୋକଙ୍କୁ ସୁବିଧାବାଦୀ କୁହାଯାଇପାରେ।

ସଂସାରରେ ଅନେକ ମଣିଷ ସୀମାତୀତ ଦୁର୍ଦ୍ଦିନରେ କାଳାତିପାତ କରୁଥିଲେ ମଧ୍ୟ କାମନା, ବାସନା, ମୋହ ଆଦିକୁ ଉପେକ୍ଷା କରି ଈଶ୍ବରଙ୍କ ଇଚ୍ଛାକୁ ସମ୍ମାନ ଦେଇ ଜୀବନ ନିର୍ବାହ କରିଥାନ୍ତି ଯାହା ଆତ୍ମହତ୍ୟା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଦୃଷ୍ଟାନ୍ତ। ମଣିଷ ଯଦି ସମସ୍ୟାର ସମାଧାନ କରି ନପାରିଲା ବା ସମସ୍ୟାକୁ ଭୟଭୀତ ହୋଇ ଆତ୍ମହତ୍ୟା କଲା ତେବେ ଜୀବନର ଅର୍ଥ ପ୍ରତିପାଦନରେ ଊଣା ଅଛି ବୋଲି ମାନି ନେବାକୁ ପଡିଥାଏ। ଈଶ୍ବରଙ୍କ ସୃଷ୍ଟିରେ ମଣିଷ ହେଉଛି ଏକମାତ୍ର ପ୍ରାଣୀ ଯିଏକି ଆତ୍ମହତ୍ୟା କରିଥାଏ ଓ ଈଶ୍ବରଙ୍କ ନିର୍ଦେଶକୁ ଅବଜ୍ଞା କରି ନିଷ୍ପତ୍ତି ନେଇଥାଏ।

ଭାରତରେ ପ୍ରତିବର୍ଷ ଏକ ଲକ୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଆତ୍ମହତ୍ୟା କରିଥାନ୍ତି। ଉକ୍ତ ମୃତ୍ୟୁ ହାର ଏକ ଲକ୍ଷ ଜନସଂଖ୍ୟାରେ ୧୦.୪ ଜଣ। ତନ୍ମଧ୍ୟରୁ ୭୧% ୪୪ ବର୍ଷରୁ କମ ବୟସର ବ୍ୟକ୍ତି ଆତ୍ମହତ୍ୟା କରୁଥିବାବେଳେ ୩୭.୮% ୩୦ ବର୍ଷରୁ କମ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା କରିଥାନ୍ତି। ପ୍ରତି ୬୦ ଜଣରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥାନ୍ତି ବା ଆତ୍ମହତ୍ୟାର ଉଦ୍ୟମ କରି ବଞ୍ଚି ଯାଇଥାନ୍ତି ଯାହା ଅପରାଧ ବୋଲି ବିବେଚନା କରାଯାଏ। ଆତ୍ମହତ୍ୟାର କାରଣକୁ ଯଦି ଆଲୋଚନା କରାଯାଏ ତେବେ ୪୩% ଆତ୍ମହତ୍ୟା ଅଜଣା କାରଣରୁ ହେଉଥିବା ବେଳେ ୪୪% ରୋଗ, ବ୍ୟକ୍ତିଗତ ସମସ୍ୟା ଓ ପାରିବାରିକ ସମସ୍ୟା ଦ୍ବାରା ହୋଇଥାଏ। ପାରିବାରିକ ସମସ୍ୟା ଦ୍ବାରା ପ୍ରତି ତିନି ଜଣରେ ଜଣେ ଆତ୍ମହତ୍ୟା କରୁଥିବା ବେଳେ ବିବାହ, ବିଚ୍ଛେଦ, ଯୌତୁକ, ପ୍ରେମରେ ଅସଫଳତା ବା ମତବିଭେଦ, ଅବୈଧ ଗର୍ଭଧାରଣ, ପାରିବାରିକ ହିଂସା, ଅସରନ୍ତି ଆଶାର ଅପୂରଣ, ପରୀକ୍ଷାରେ ଅକୃତକାର୍ଯ୍ୟ, ଅଧୈର୍ଯ୍ୟ, ଅପମାନ, ସାମାଜିକ ନିନ୍ଦା, ନିଶା ସେବନ ଆଦି ଦ୍ବାରା ମଣିଷ ଆତ୍ମହତ୍ୟାର ଶିକାର ହୋଇଥାଏ।

ତେବେ ୩୬-୫୦% ପୁରୁଷ କେବଳ ନିଶା ପାଇଁ ଆତ୍ମହତ୍ୟା କରୁଥିବାବେଳେ ନିଶାଜନିତ ପ୍ରାଦୁର୍ଭାବର ଶିକାର ହୋଇ ଉକ୍ତ ପୁରୁଷମାନଙ୍କର ସ୍ତ୍ରୀମାନେ ମଧ୍ୟ ଆତ୍ମହତ୍ୟା କରିଥାନ୍ତି। ଉକ୍ତ କ୍ରମକୁ ବିଚାର କଲେ ସମାଜରେ ଅର୍ଦ୍ଧଶିକ୍ଷିତ ବ୍ୟକ୍ତିମାନେ ଅଧିକ ଆତ୍ମହତ୍ୟା କରିଥାନ୍ତି ଯାହା ୨୩.୩% ଅଟେ। ଆତ୍ମହତ୍ୟାର ରୂପରେଖକୁ ବିଚାର କଲେ ସମାଜରେ ଚାଷୀ ଆତ୍ମହତ୍ୟା ହାର ୭.୪%, ଛାତ୍ର -୭.୪%, ଯୁବକ ଓ ଯୁବତୀ-୧୦.୧୧% ଗୃହିଣୀ-୧୫.୪% । ମାନସିକ ରୋଗ ବା ଭାରସାମ୍ୟ ହରାଇ ୪.୭% ବ୍ୟକ୍ତି ଆତ୍ମହତ୍ୟା କରୁଥିବା ବେଳେ ଆତ୍ମହତ୍ୟାର କାରଣକୁ ଚିନ୍ତା କରାଯାଇପାରେ। ସାମାଜିକ ପରିବର୍ତ୍ତନ ତଥା ସାମାଜିକ ଓ ଅର୍ଥନୈତିକ ସମସ୍ୟାକୁ ଆଧାର କଲେ ସାମାଜିକ ଅସହିଷ୍ଣୁତା, ଧର୍ମାନ୍ଧତା, ଅର୍ଥନୈତିକ ଚାପ, ସାମାଜିକ ଅସମାନତା, ମାନସିକତାର ପରିବର୍ତ୍ତନ, ଜିଦଖୋର ମନୋବୃତ୍ତି, ସମର୍ପଣ ଭାବରେ କାର୍ପଣ୍ୟ ଆଦି ଆତ୍ମହତ୍ୟାକୁ ପଥ ଦେଖାଇଥାଏ।

ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟାର ପରିସରରେ ମଣିଷ ଅଧିକ ନିର୍ଭରଶୀଳ ହୋଇ ପ୍ରଯୁକ୍ତିରୁ ଭଲ ଗୁଣଗୁଡିକ ଆହରଣ ଅପେକ୍ଷା ଦୁର୍ଗୁଣଗୁଡିକୁ ଅଧିକ ମାତ୍ରାରେ ସାଉଁଟିବା ପାଇଁ ବ୍ୟସ୍ତ। ଅର୍ଥ ଓ କାମର ବଶବର୍ତ୍ତୀ ହୋଇ ମଣିଷ ଧର୍ମ ଓ ମୋକ୍ଷକୁ ଭୁଲିଯାଏ ଯାହା କ୍ରମେକ୍ରମେ ମଣିଷ ଷଡ଼ରିପୁର ବେଷ୍ଟନୀ ମଧ୍ୟରେ ଆବଦ୍ଧ ହୋଇ ନିଜର ଅସ୍ତିତ୍ବକୁ ଲୋପ କରିଦିଏ। ମଣିଷ ନିଜକୁ ଆବିଷ୍କାର କରିବା ପୂର୍ବରୁ ନିଜେ ସେଗୁଡ଼ିକର ଅଧୀନରେ ବନ୍ଦୀ ହୋଇ ଯାଇଥାଏ, ଯାହାର ପ୍ରତିଫଳନ ହୋଇଥାଏ ଆତ୍ମହତ୍ୟା। ଯଦି ଆତ୍ମହତ୍ୟାର ପରିମାଣ ଏପରି ବଢ଼ିଚାଲେ ତେବେ ଭବିଷ୍ୟତରେ ଏହା ଏକ ବିରାଟ ସମସ୍ୟା ହୋଇ ଦଣ୍ଡାୟମାନ ହେବ।
ଆତ୍ମହତ୍ୟା ନିରାକରଣକୁ ଯଦି ଆମେ ଚିନ୍ତା କରିବା ତେବେ ସାର ଓ କୀଟନାଶକ ଔଷଧର ପରିମିତ ପ୍ରୟୋଗ, ନିଶାଦ୍ରବ୍ୟର ବ୍ୟବହାରରେ ଅଙ୍କୁଶ, ଖାଦ୍ୟ ଓ ଜୀବନ ଶୈଳୀରେ ପରିବର୍ତ୍ତନ, ପରିବେଶ ତଥା ପାରିପାର୍ଶ୍ବିକ ସ୍ଥିତିରେ ନିର୍ଭରଶୀଳ ଉନ୍ନତି, ପ୍ରଯୁକ୍ତିବିଦ୍ୟାର ସଦ୍‌ ବିନିଯୋଗ, ସକାରାତ୍ମକ ମାନସିକତାର ବିକାଶ, ଦୟା, କ୍ଷମା, କରୁଣା, ସେବା ଆଦି ଚିନ୍ତାଧାରାର ବିନ୍ୟାସ, ଅହଙ୍କାରଲୁପ୍ତ ଜୀବନ, ଅଧିକ ଧନ, ଯଶ, ଗୌରବ ଆଦିରୁ କ୍ଷାନ୍ତ ଓ ସର୍ବୋପରି କାମନା, ବାସନା, ଲାଳସାର ବିନାଶ ସହିତ ଈଶ୍ବରଙ୍କଠାରେ ସମର୍ପଣ ଭାବ ରଖିଲେ ଆତ୍ମହତ୍ୟା ଭଳି ଜଘନ୍ୟ କୁକର୍ମରୁ ମଣିଷ ନିବୃତ୍ତ ହୋଇପାରେ।

However, the mini pill does not reliably suppress ovulation. cialis malaysia The mini pill should be taken on a daily basis, at the same time each day.

Leave A Reply